Latest Odisha News

ନିର୍ବାଚନ ପ୍ରଚାର ପାଇଁ ତାହିର ହୁସେନଙ୍କୁ ମିଳିଲାନି ଜାମିନ, ଏମିତି କହିଲେ କୋର୍ଟ…

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ପାଇଁ ମନି ଲଣ୍ଡରିଙ୍ଗ ମାମଲାରେ ଜେଲରେ ଥିବା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଥିଲା ଜାମିନ। ୧୦ ମେ ୨୦୨୪ରେ ନିର୍ବାଚନ ପ୍ରଚାର ପାଇଁ ସୁପ୍ରିମ କୋର୍ଟ ତାଙ୍କୁ ୨୦ ଦିନର ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଏଆଇଏମଆଇଏମ ପ୍ରାର୍ଥୀ ତାହିର ହୁସେନଙ୍କ ଆବେଦନ ସୁପ୍ରିମକୋର୍ଟ ଖାରଜ କରିବ ପରେ ଏହା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କୁ କାହିଁକି କେଜ୍ରିୱାଲଙ୍କ ପରି ଅନ୍ତରୀଣ ଜାମିନ ମିଳିବ ନାହିଁ ବୋଲି ସାଧାରଣରେ ପ୍ରଶ୍ନ ହେଉଛି।

ମାର୍ଚ୍ଚ ୨୦୨୪ ରେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିଲା। କିନ୍ତୁ ତାହିରଙ୍କ ନାଁରେ ୫ ଟି ମାମଲା ରହିଛି। ସେଥିରେ କେତେକ ଗମ୍ଭୀର ମାମଲା ମଧ୍ୟ ରହିଛି। ଏହି ପ୍ରସଙ୍ଗରେ ଜଷ୍ଟିସ ପଙ୍କଜ ମିଥଲ କହିଛନ୍ତି, ତାହିରଙ୍କ ନାଁରେ ଅନେକ ଗମ୍ଭୀର ମାମଲା ଥିବାରୁ ତାଙ୍କୁ ଜାମିନ ମିଳି ପାରିବ ନାହିଁ।

ମାମଲା ଶୁଣାଣି ସମୟରେ ତାହିରଙ୍କ ଓକିଲ ସିଦ୍ଧାର୍ଥ ଅଗ୍ରୱାଲ କେଜ୍ରିୱାଲଙ୍କ ଉଦାହରଣ ଦେଇଥିଲେ। ଏହାକୁ ବିରୋଧ କରିଥିଲେ ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି ରାଜୁ। ସେ କହିଥିଲେ କେଜରିୱାଲ ଗୋଟିଏ ଦଳର ମୁଖ୍ୟ ହୋଇଥିବାବେଳେ ତାହିର କେବଳ ଜଣେ ପ୍ରାର୍ଥୀ। ଏହିପରି ଭାବେ କୋର୍ଟ ଜାମିନ ପ୍ରଦାନ କଲେ, ଜେଲରେ ବନ୍ଦ ଥିବା ସବୁ କଏଦୀ ନିର୍ବାଚନ ଲଢିବେ। ଆଉ ଦେଶରେ ସବୁବେଳେ ନିର୍ବାଚନ ଲାଗି ରହିବ ବୋଲି ରାଜୁ କହିଛନ୍ତି। ତାହିର ଗତ ୫ ବର୍ଷ ହେଲା ଜେଲରେ ଥିବାରୁ ଏହି ସମୟ ମଧ୍ୟରେ କେବେ ହେଲେ ନିଜ ନିର୍ବାଚନ ମଣ୍ଡଳୀରେ ଉପସ୍ଥିତ ହୋଇ ନାହାନ୍ତି। ଏଭଳି ପରିସ୍ଥିତିରେ ଅନ୍ତରୀଣ ଜାମିନ ଭିତ୍ତିହୀନ ବୋଲି ରାଜୁ କହିଛନ୍ତି।

ପ୍ରକାଶଯୋଗ୍ୟ, କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ପାଇଁ ୩ ଜଣିଆ ବେଞ୍ଚରେ ହୋଇଥିଲା । ଅନ୍ୟପକ୍ଷରେ କେଜ୍ରିୱାଲଙ୍କୁ ଜାମିନ ପାଇଁ ୩ ଜଣ ବିଚାରପତି ସହମତ ଥିବାବେଳେ ତାହିରଙ୍କ ଆବେଦନ ଖାରଜ ହୋଇଛି।

Comments are closed.