ମୁମ୍ୱାଇ : ସୈଫ ଅଲ୍ଲୀ ଖାନ ଆକ୍ରମଣ ଘଟଣାରେ ନୂଆ ଖୁଲାସା । ୬ ଥର ଛୁରାମାଡ଼ ଖାଇଲେ ମଧ୍ୟ, ଆକ୍ରମଣକାରୀକୁ କବୁ କରିଥିଲେ ଅଭିନେତା ସୈଫ ଅଲ୍ଲୀ ଖାନ । ଆକ୍ରମଣକାରୀ ସରିଫୁଲ୍ ଇସଲାମ୍ ଶେହଜାଦକୁ ସୈଫ ଓ ତାଙ୍କ ଘରେ ଥିବା ନର୍ସ କାବୁ କରିଥିଲେ । ଏହାପରେ ତାକୁ ଲାଟ୍ରିନ୍-ବାଥରୁମ୍ ଆଟାଚ୍ ଥିବା ଏକ ଘରେ ପୂରାଇ ବାହାରୁ ଚାବି ପକାଇ ଦେଇଥିଲେ । କିନ୍ତୁ ଦୁର୍ବୃତ୍ତ ଅନ୍ୟ ଏକ ବାଟ ଖସିଯାଇଥିଲା ।
ସୈଫଙ୍କୁ ଆକ୍ରମଣ ପରେ ସେ ନିଜ ଦେଶ, ବାଂଲାଦେଶ ପଳାଇବାକୁ ଚେଷ୍ଟା କରିଥିଲା । ପ୍ରଥମେ ସେ ହାୱଡ଼ା ଯାଇଥାନ୍ତା । କିନ୍ତୁ ଟ୍ରେନରେ ରିଜର୍ଭେସନ୍ ଟିକେଟ ମିଳି ନଥିଲା ଏବଂ ରିଜର୍ଭେସନ୍ ଟିକେଟ୍ ଦେବାକୁ ଏଜେଣ୍ଟ ଅଧିକ ଟଙ୍କା ଦାବି କରିଥିଲେ । ଯେଉଁଥି ପାଇଁ ସେ ଯାଇ ନପାରି ଲେବର କ୍ୟାମ୍ପରେ ଲୁଚିଥିଲା ବୋଲି କହିଛି ମୁମ୍ବାଇ କ୍ରାଇମ ବ୍ରାଞ୍ଚ । ତେବେ ମୁମ୍ବାଇ କ୍ରାଇମବ୍ରାଞ୍ଚର ଏହି କଥା କାହାଣୀ ଭଳି ଲାଗୁଛି । ଜଣେ ହାଇଫାଇ ସେଲିବ୍ରିଟିଙ୍କୁ ଆକ୍ରମଣ କରିବା ପରେ ଧରାପଡ଼ିବା ନିଶ୍ଚିତ ଥିବା ବେଳେ ଅଭିଯୁକ୍ତ ସଂରକ୍ଷିତ ଟିକେଟ ଖୋଜୁଥିଲା କାହିଁକି । ସେ ଚାହିଁଥିଲେ ସାଧାରଣ ବଗିରେ ହାୱଡ଼ା ଯାଏଁ ଯାଇ ପାରିଥାନ୍ତା । ଜଣେ ଅଭିଯୁକ୍ତ ରିଜର୍ଭେସନ୍ ଟିକେଟ୍ ଖୋଜିବା ଏବଂ ସେଥିପାଇଁ ଟିକେଟ୍ ଏଜେଣ୍ଟଙ୍କୁ ଫୋନ୍ କରିବା, ଶୁଣିଲା ବେଳକୁ କାନକୁ କାହିଁ ବିଶ୍ବାସ ହେଲା ଭଳି ଲାଗୁନି ।
ସେପଟେ ହସ୍ପିଟାଲରେ ଚିକିତ୍ସିତ ହୋଇ ୬ଦିନ ପରେ, ମଙ୍ଗଳବାର ଘରକୁ ଫେରିଛନ୍ତି ସୈଫ ଅଲ୍ଲୀ ଖାନ । ଆହତ ଅବସ୍ଥାରେ ତାଙ୍କୁ ଲୀଳାବତୀ ହସ୍ପିଟାଲକୁ ନେଇଥିବା ଅଟୋ ଡ୍ରାଇଭରଙ୍କୁ ଘରକୁ ଡକାଇ ତାଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ସୈଫ ଅଲ୍ଲୀ ଖାନ ।
Comments are closed.