ଭାଇଜାଗ: ଯଶସ୍ୱୀ ଜୈସୱାଲଙ୍କ ଶତକ ଏବଂ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିିନିକିଆ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କରିଛି । ଏଥିସହ ଟିମ ଇଣ୍ଡିଆ ୨-୧ରେ ସିରିଜ ବିଜୟୀ ହୋଇ ଟେଷ୍ଟ ପରାଜୟର ମଧୂର ପ୍ରତିଶୋଧ ନେଇଛି । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୭୦ ରନ କରିଥିଲା । କ୍ୱିଂଟନ ଡିକକ ଶତକ ହାସଲ କରିଥିବା ବେଳେ ଟେମ୍ବା ବାଭୁମା ୪୮ ଓ ଡେଭାଲ୍ଡ ବ୍ରେଭିସ ୨୯ ରନ କରିଥିଲେ । ଭାରତ ପକ୍ଷରୁ କୂଲଦୀପ ଯାଦବ ଓ ପ୍ରସିଦ୍ଧ କ୍ରିଷ୍ଣା ୪ଟି ଲେଖାଏଁ ୱିକେଟ ନେଇଥିଲେ ।
୨୭୧ ରନର ଲକ୍ଷ୍ୟକୁ ପିଛା କରି ଭାରତ ୩୯.୫ ଓଭରରେ ୧ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଯଶସ୍ୱୀ ଓ ରୋହିତ ପ୍ରଥମ ୱିକେଟରେ ୧୫୫ ରନ ଯୋଗ କରିଥିଲେ । ରୋହିତ ୭୫ ରନ କରି ଆଉଟ ହେବା ପରେ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସିଥିଲେ । କୋହଲି ଓ ଯଶସ୍ୱୀ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଯଶସ୍ୱୀ ୧୧୬ ଓ କୋହଲି ୬୫ ରନ କରିଥିଲେ । ଉଭୟ ଦେଶ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଡିସେମ୍ବର ୯ରୁ କଟକରେ ଆରମ୍ଭ ହେବ । ଯଶସ୍ୱୀ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିବା ବେଳେ କୋହଲି ପ୍ଲେୟାର ଅଫ ଦି ସିରିଜ ହୋଇଥିଲେ ।