ଚେନ୍ନାଇ: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଦିଗରେ ଭାରତୀୟ ସେନା ଏକ ବଡ଼ ପଦକ୍ଷେପ ନେଇଛି । ଆଇଆଇଟି ମାଡ୍ରାସ ସହଯୋଗରେ ସେନା ‘ଅଗ୍ନିଶୋଧ’ ନାମକ ଏକ ଗବେଷଣା ସେଲ୍ (IARC) ପ୍ରତିଷ୍ଠା କରିଛି । ଏହି ସ୍ୱତନ୍ତ୍ର ଗବେଷଣା କେନ୍ଦ୍ରକୁ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଉଦଘାଟନ କରିଥିଲେ । ଏହାର ଉଦ୍ଦେଶ୍ୟ ହେଉଛି ସେନାର ଆବଶ୍ୟକତା ଅନୁଯାୟୀ ନୂତନ ପ୍ରଯୁକ୍ତିବିଦ୍ୟା ବିକଶିତ କରିବା ଏବଂ ଦେଶକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ।
ଏହି କେନ୍ଦ୍ରଟି IIT ମାଡ୍ରାସର କ୍ୟାମ୍ପସରେ ନିର୍ମିତ ଏବଂ ଏଠାରେ ବୈଜ୍ଞାନିକ ଏବଂ ସେନା କର୍ମଚାରୀମାନେ ଏକାଠି କାମ କରିବେ । ସେନା ମୁଖ୍ୟ କହିଛନ୍ତି ଯେ ସେନାରେ ପ୍ରଯୁକ୍ତିବିଦ୍ୟା ପରିବର୍ତ୍ତନ ଆଣିବା ପାଇଁ ଏହି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଗ୍ନି ଶୋଧ ଭାରତୀୟ ସେନା ଏବଂ IIT ମାଡ୍ରାସ ମଧ୍ୟରେ ସହଭାଗୀତାର ପ୍ରତୀକ, ଯାହା ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟାରେ ନୂତନ ଆବିଷ୍କାର ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛି ।
ଏହି ଗବେଷଣା ପ୍ରକୋଷ୍ଠ ଆଧୁନିକ ଯୁଦ୍ଧ ପ୍ରଣାଳୀ, କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ରୋବୋଟିକ୍ସ, ଡ୍ରୋନ୍ ଟେକନୋଲୋଜି ଏବଂ ଅନ୍ୟାନ୍ୟ ଉନ୍ନତ ପ୍ରଯୁକ୍ତିବିଦ୍ୟା ଉପରେ ଧ୍ୟାନ ଦେବ ଯାହା ଦ୍ୱାରା ଭବିଷ୍ୟତର ଆବଶ୍ୟକତା ଅନୁଯାୟୀ ଭାରତୀୟ ସେନାକୁ ବୈଷୟିକ ଭାବରେ ଶକ୍ତିଶାଳୀ କରାଯାଇପାରିବ । ଜେନେରାଲ ଦ୍ୱିବେଦୀ ଏହାକୁ ସ୍ୱଦେଶୀକରଣ ମାଧ୍ୟମରେ ସଶକ୍ତିକରଣର ମନ୍ତ୍ର ଭାବରେ ବର୍ଣ୍ଣନା କରିଥିଲେ । ‘ଅଗ୍ନିଶୋଧ ସାଇବର ସୁରକ୍ଷା, କ୍ୱାଣ୍ଟମ୍ କମ୍ପ୍ୟୁଟିଂ, ୱାୟାରଲେସ୍ ଯୋଗାଯୋଗ ଏବଂ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ସାମରିକ କର୍ମଚାରୀମାନଙ୍କୁ ତାଲିମ ଦେବେ । ଏହି କେନ୍ଦ୍ର ଯୁଦ୍ଧକ୍ଷେତ୍ରରେ ଶିକ୍ଷାଗତ ଉତ୍କର୍ଷତାକୁ ନବସୃଜନରେ ପରିଣତ କରିବ, ଯାହା ବିକଶିତ ଭାରତ ୨୦୪୭ ର ସ୍ୱପ୍ନକୁ ବାସ୍ତବରେ ପରିଣତ କରିବ ।
ଏହି ସମୟରେ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ IIT ମାଡ୍ରାସରେ “ଅପରେସନ୍ ସିନ୍ଦୂର” ବିଷୟରେ ମଧ୍ୟ କହିଥିଲେ । ସେ କହିଥିଲେ ଯେ ଏହି ଅପରେସନ ୮୮ ଘଣ୍ଟା ଧରି ଚାଲିଥିଲା ଏବଂ ଭାରତର ତିନି ସେନା ମିଶି ଶତ୍ରୁ ବିରୁଦ୍ଧରେ ସଠିକ୍ ଏବଂ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ସେ କହିଥିଲେ ଯେ ଏହା ଭାରତର ଆତଙ୍କବାଦ ବିରୁଦ୍ଧରେ ଲଢ଼େଇର ଏକ ନୂତନ ଅଧ୍ୟାୟ ।
ସେ ଆହୁରି କହିଥିଲେ ଯେ, ଆଜିର ଯୁଦ୍ଧ କେବଳ ବନ୍ଧୁକ ସହିତ ନୁହେଁ, ବରଂ ପ୍ରଯୁକ୍ତିବିଦ୍ୟା ସହିତ ମଧ୍ୟ ଲଢ଼ାଯାଏ । ତେଣୁ, ବର୍ତ୍ତମାନ ଯବାନମାନେ ଡ୍ରୋନ୍, ସାଇବର ସୁରକ୍ଷା, କ୍ୱାଣ୍ଟମ୍ କମ୍ପ୍ୟୁଟର ଏବଂ ନୂତନ ପ୍ରଯୁକ୍ତିବିଦ୍ୟାରେ ମଧ୍ୟ ବିଶେଷଜ୍ଞ ହେବା ଆବଶ୍ୟକ । ସେ କହିଥିଲେ ଯେ ଅଗ୍ନି ଶୋଧ କେନ୍ଦ୍ରରେ ଯବାନମାନଙ୍କୁ ମଧ୍ୟ ଏପରି ତାଲିମ ଦିଆଯିବ । ‘ଅଗ୍ନି ଶୋଧ’ ସେନା ଏବଂ ବିଜ୍ଞାନକୁ ସଂଯୋଗ କରୁଥିବା ଏକ ସେତୁ ପାଲଟିବ ଏବଂ ଭାରତକୁ ଶକ୍ତିଶାଳୀ ଏବଂ ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରିବ ।
Comments are closed.