Latest Odisha News

ଭାରତୀୟ ଗୁପ୍ତଚର ସଂସ୍ଥା ‘ର’ : କଣ, କାହିଁକି, କେମିତି?

୧୯୭୧ ମସିହା । ପାକିସ୍ତାନର ଏକ ଆତଙ୍କବାଦୀ ଗ୍ରୁପ ‘ଅଲଫତେ’କୁ ପାକିସ୍ତାନୀ ସେନା ପ୍ରଶିକ୍ଷଣ ଦେଉଥିଲେ, ଯାହାର ଟାର୍ଗେଟ ଥିଲା ଏକ ଭାରତୀୟ ବିମାନକୁ ଅପହରଣ କରିବା । ଅସଲରେ ସେମାନଙ୍କ ଟାର୍ଗେଟରେ ‘ବିମାନ’ ନଥିଲା, ଥିଲା ବିମାନ ଉଡାଉଥିବା ପାଇଲଟ । ଏହି ପାଇଲଟ ଅନ୍ୟ କେହି ନଥିଲେ; ଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁଅ ସଞ୍ଜୟ ଗାନ୍ଧୀ ।

ଏହି କାମ କରିବା ପାଇଁ ପାକିସ୍ତାନ ହାସିମ କୁରେସିକୁ ଭାରତ ପଠାଇଲା । କିନ୍ତୁ ନିଜ ଲକ୍ଷ୍ୟରେ ସଫଳ ହେବା ପୂର୍ବରୁ ହାସିମ ବିଏସଏଫ ହାତରେ ଧରା ପଡିଗଲା । କିନ୍ତୁ ଭାରତର ଏକ ଗୁପ୍ତଚର ସଂସ୍ଥା ହାସିମକୁ ଗିରଫ କରିବା ବଦଳରେ ତାକୁ ଏକ ନକଲି ବନ୍ଧୁକ ଓ ନକଲି ଗ୍ରେନେଡ଼ ଦେଇ ବିମାନକୁ ହାଇଜାକ କରିବାକୁ ସୁଯୋଗ ଦେଲା ।

ବିମାନ ଯେତେବେଳେ ଲାହୋର ପହଞ୍ଚିଲା, ପାକିସ୍ତାନକୁ ଲାଗିଲା, ଯେମିତି ସେମାନେ ନିଜ ପ୍ଲାନରେ ସଫଳ ହୋଇଗଲେ । କିନ୍ତୁ ପାକିସ୍ତାନ ଭାରତର ଏହି ଜାଲରେ ସମ୍ପୂର୍ଣ୍ଣ ଭାବରେ ଫସି ସାରିଥିଲା ।

ଏହାପରେ ଭାରତ ପୂରା ଦୁନିଆ ସାମ୍ନାରେ ପାକିସ୍ତାନର ମୁଖା ଖୋଲିଦେବା ସହ ୱେଷ୍ଟ ପାକିସ୍ତାନରୁ ଇଷ୍ଟ ପାକିସ୍ତାନ ପର୍ଯ୍ୟନ୍ତ ଭାରତୀୟ ଉଡାଣ ରଦ୍ଦ କରିଦେଲା। ଯେଉଁଥିପାଇଁ ୧୯୭୧ରେ ହୋଇଥିବା ଯୁଦ୍ଧରେ ପାକିସ୍ତାନକୁ ପରାଜୟ ସ୍ୱୀକାର କରିବାକୁ ପଡିଥିଲା ।

ଯେଉଁ ଗୁପ୍ତଚର ସଂସ୍ଥା ଏହି ସମ୍ପୂର୍ଣ୍ଣ ଚକ୍ରବ୍ୟୁହ ରଚନା କରିଥିଲା, ତାହା ଥିଲା ଭାରତର ରିସର୍ଚ୍ଚ ଆଣ୍ଡ ଆନାଲିସିସ ଉଇଙ୍ଗ୍‍ (‘ର’) ।୨୧ ସେପ୍ଟେମ୍ବର ୧୯୬୧ରେ ଏହା ଗଠିତ ହୋଇଥିଲା।

ସବୁ ବଡ଼ବଡ ଦେଶମାନଙ୍କରେ ଗୁପ୍ତଚର ସଂସ୍ଥା ଥାଆନ୍ତି । ଯାହା ଖାଲି ସେହି ଦେଶ ନୁହେଁ ପୁରା ଦୁନିଆସାରା ଲମ୍ବି ଥାଏ । ଏହାର କାମ ହେଲା, ଦେଶ ଉପରକୁ ଆସୁଥିବା ବିପଦ ବିଷୟରେ ଦେଶକୁ ଆଗୁଆ ଜଣାଇବା ଓ କୂଟନୀତି ମାଧ୍ୟମରେ ଶତ୍ରୁର ଚାଲକୁ ବିଫଳ କରାଇବା ।

୧୯୬୨ ଓ ୧୯୬୫ ରେ ‘ଆଇବି’ର ବିଫଳତା ପରେ ୧୯୬୭ରେ ଭାରତ ସରକାର ‘ର’ ଗଠନ କରିଥିଲେ । ଯାହାର ପ୍ରଥମ ଚିଫ୍ ଭାବେ ଦାୟିତ୍ୱ ନେଇଥିଲେ ଆର.ଏନ. କାଓ । ଏହାପରେ ‘ର’ ଅନେକ ସଫଳତାର ସ୍ୱାଦ ଚାଖିବା ସହ ଭାରତ ସରକାରଙ୍କୁ ମଧ୍ୟ ଏହାର ସ୍ୱାଦ ଚଖାଇଛି ।

‘ର’ର କିଛି କୋଡୱାର୍ଡ ଅପରେସନ ବାବଦରେ ଆସନ୍ତୁ ଜାଣିବା:

ଅପରେସନ ସ୍ମାଇଲିଙ୍ଗ ବୁଦ୍ଧ:

୧୯୭୪ ମସିହାରେ ଭାରତର ପ୍ରଥମ ନ୍ୟୁକ୍ଲିଅର ଟେଷ୍ଟ ରାଜସ୍ଥାନର ପୋଖରାନରେ ହେବାକୁ ଥିଲା ।

ଏହା ଏକ ଶାନ୍ତିପୂର୍ଣ୍ଣ ନ୍ୟୁକ୍ଲିଅର ପରୀକ୍ଷଣ ବୋଲି ଦୁନିଆକୁ କୁହାଯାଇଥିଲେ ବି, ଭାରତ ସରକାର ଏକ ବଡ ନ୍ୟୁକ୍ଲିଅର ପରୀକ୍ଷଣ କରିବାକୁ ଯାଉଥିଲା।

ଏହି ସମ୍ପୂର୍ଣ୍ଣ ଅପରେସନକୁ ଗୁପ୍ତ ରଖିବା ଦାୟିତ୍ବ ‘ର’ କୁ ଦିଆଯାଇଥିଲା ।

‘ର’ ମଧ୍ୟ ଏହାକୁ ଏତେ ସାବଧାନତା ସହ ସମ୍ପାଦନା କଲା ଯେ, ୧୮ ମେ ୧୯୭୪ରେ ଏହି ଟେଷ୍ଟ ନହେବା ଯାଏଁ ଆମେରିକା ଓ ଚାଇନାର ଗୁପ୍ତଚର ସଂସ୍ଥା ଏହାର ଗନ୍ଧ ମଧ୍ୟ ପାଇଲେ ନାହିଁ ।

ଭାରତ ନ୍ୟୁକ୍ଲିଅର ଦେଶମାନଙ୍କ ଗ୍ରୁପର ସଦସ୍ୟ ହୋଇ ସାରିଥିଲା । ଭାରତର ଏହି ପରୀକ୍ଷଣ ପରେ ହିଁ ନ୍ୟୁକ୍ଲିଅର ସପ୍ଲାୟେ ଗ୍ରୁପ (ଏନ ଏସ ଜି) ଗଠନ କରାଗଲା । ଯାହାଦ୍ୱାରା ଏହା ଦୁନିଆରେ ହେଉଥିବା ଏହିପରି ନ୍ୟୁକ୍ଲିଅର ପରୀକ୍ଷଣ କରୁଥିବା ଦେଶମାନଙ୍କ ଉପରେ ନଜର ରଖିବ ।

କହୁତା ବ୍ଲୁ ପ୍ରିଣ୍ଟ:

କହୁତାରେ ପାକିସ୍ତାନର ଖାନ ରିସର୍ଚ୍ଚ ଲାବ୍ରୋଟୋରି ରହିଛି । ଯେଉଁଠି ପାକିସ୍ତାନର ନ୍ୟୁକ୍ଲିଅର ୱେପନ ଓ ଲଙ୍ଗ ରେଞ୍ଜ ମିଶାଇଲକୁ ଡେଭଲପ କରାଯାଇଥାଏ । ‘ର’ କୁ ୧୯୭୮ରୁ ହିଁ ଏହି ଲାବ୍ରୋଟୋରି ବିଷୟରେ ଜଣା ଥିଲା । କିନ୍ତୁ ‘ର’ର ଏହି ପ୍ଲାନ ସେତେବେଳେ ଫସର ଫାଟିଗଲା ଯେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ପାକିସ୍ତାନର ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେବା ସମୟରେ କହିଦେଲେ ଯେ, କହୁତାରେ କଣ ସବୁ ଚାଲୁଛି ତାଙ୍କୁ ସବୁ ଜଣା ଅଛି ବୋଲି । ଯାହାପରେ ପାକିସ୍ତାନ ସଜାଗ ହୋଇଗଲା ଏବଂ ‘ର’ର ସମସ୍ତ ଏଜେଣ୍ଟକୁ ସେଠାରୁ ହଟିବାକୁ ପଡିଲା । କିନ୍ତୁ ଯେଉଁଭଳି ଭାବରେ ‘ର’ ଏହି ଅପରେସନ କରୁଥିଲା, ନିହାତି ଭାବରେ ଏହା ପ୍ରଶଂସାର ଯୋଗ୍ୟ ଅଟେ ।

ଅପରେସନ ମେଘଦୂତ:
୧୯୮୪ରେ ଲଣ୍ଡନର ଏକ କମ୍ପାନୀରୁ ‘ର’ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାଣିବାକୁ ପାଇଲା । ଲଣ୍ଡନର ଏହି କମ୍ପାନୀ ଭାରତୀୟ ସେନାପାଇଁ ବରଫାବୃତ ଅଞ୍ଚଳରେ ପିନ୍ଧିବା ଲାଗି ପୋଷାକ ଓ ସାମଗ୍ରୀ ପ୍ରେରଣ କରେ । ଏହି କମ୍ପାନୀରୁ ‘ର’କୁ ଏହି ସୂଚନା ମିଳିଲା ଯେ ପାକିସ୍ତାନ ମଧ୍ୟ ସେହିଭଳି ସାମଗ୍ରୀ ଓ ପୋଷାକ ସେହିଠାରୁ କିଣିବାକୁ ଯାଉଛି।

ଏସବୁ ଜାଣିବା ପରେ ‘ର’ କୁ ବୁଝିବାକୁ ବେଶି ସମୟ ଲାଗିଲାନି ଯେ ପାକିସ୍ତାନ ସିଆଚିନକୁ କବଜା କରିବାକୁ ପ୍ଲାନ ବନଉଛି । ‘ର’ ଏହି ସୂଚନା ଭାରତୀୟ ସେନାକୁ ଦେଲା । ଆଉ ପାକିସ୍ତାନ କିଛି କରିବା ଆଗରୁ ୧୩ ଏପ୍ରିଲ ୧୯୮୪ରେ ଭାରତୀ ନିଜର ସେନାଙ୍କୁ ସିଆଚିନରେ ଅବତରଣ କରାଇସାରିଥିଲା । ଆଜି ଯଦି ସିଆଚିନର ଶିଖରରେ ତିରଙ୍ଗା ଉଡୁଛି ତାହା କେବଳ ‘ର’ ପାଇଁ ସମ୍ଭବ ହୋଇ ପାରିଛି ।

ଅପରେସନ ଚାଣକ୍ୟ:
ଏହି ଅପରେସନ ମାଧ୍ୟମରେ ‘ର’ କଶ୍ମୀର ଘାଟିରେ ଥିବା ‘ଆଇଏସଆଇ’ର ଏଜେଣ୍ଟକୁ ଖୋଜି ବାହାର କରିଥିଲା। ତାସହ କଶ୍ମୀରରେ ଶାନ୍ତି ଫେରେଇ ଆଣିବାରେ ମଧ୍ୟ ସାହାଯ୍ୟ କରିଥିଲା ।
ଏହା ଗୋଟିଏ ପଟେ କଶ୍ମୀରରେ ପାକିସ୍ତାନର ଉପସ୍ଥିତିକୁ ଲୋକଲୋଚନକୁ ଆଣିଥିଲା ଓ ଅନ୍ୟପଟେ କଶ୍ମୀରରେ ‘ଇକୱାନ ଉଲ ମୁସଲିମ’ ଓ ‘ମୁସଲିମ ମୁଜାହୀଦ’ ଭଳି ପ୍ରୋ ଇଣ୍ଡିଆ ଗ୍ରୁପ ମଧ୍ୟ ତିଆରି କଲା । ଚାଣକ୍ୟ ନୀତି ପ୍ରୟୋଗ ଯୋଗୁଁ ହେଜବୁଲ ମୁଜାହିଦି ଭଳି ଆତଙ୍କବାଦୀ ଗ୍ରୁପକୁ ଭାଙ୍ଗିବାର ଶ୍ରେୟ ମଧ୍ୟ ‘ର’କୁ ଯାଉଛି ।

ଏହାଛଡା ୧୯୯୯ରେ ହୋଇଥିବା କାରଗିଲ ଯୁଦ୍ଧ, ସଂସଦ ହାମଲା, ୨୬/୧୧ରେ ହୋଇଥିବା ଆକ୍ରମଣ ସମ୍ପର୍କରେ ସୂଚନା ‘ର’ ପୂର୍ବରୁ ହିଁ ସେ ସମୟର ସରକାରଙ୍କୁ ଦେଇ ସାରିଥିଲା । କିନ୍ତୁ ସରକାର ଉଚିତ ପଦକ୍ଷେପ ଗ୍ରହଣ କରିବାରେ ବିଫଳ ହୋଇଥିଲେ । ଏମିତିକି ଆମେରିକାରେ ହୋଇଥିବା ୯/୧୧ ଆକ୍ରମଣର ପରେ ‘ର’ ହିଁ ଆତଙ୍କବାଦ ବିପକ୍ଷରେ ଆମେରିକାକୁ ସାହଯ୍ୟ କରିଥିଲା ।

‘ର’ର ଆଭିମୁଖ୍ୟ ହେଉଛି – ଧର୍ମୋ ରକ୍ଷତି ରକ୍ଷିତାଃ। ଯାହାର ଅର୍ଥ ‘ଆପଣ ଧର୍ମର ରକ୍ଷା କଲେ ଧର୍ମ ଆପଣଙ୍କର ରକ୍ଷା କରିବ’।

Leave A Reply

Your email address will not be published.