ନୂଆଦିଲ୍ଲୀ: ଡେରାଡୁନର ଭାରତୀୟ ସାମରିକ ଏକାଡେମୀ (ଆଇଏମଏ)ରେ ୯୨ ବର୍ଷରେ ପ୍ରଥମଥର ପାଇଁ ଏକ ପରିବର୍ତ୍ତନ ହେବାକୁ ଯାଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଜୁଲାଇ ୨୦୨୫ରେ ମହିଳା ଅଫିସର କ୍ୟାଡେଟମାନଙ୍କୁ ସାମିଲ କରାଯିବ।
ସୁପ୍ରିମକୋର୍ଟ ମହିଳାଙ୍କ ପାଇଁ ଜାତୀୟ ଡିଫେନ୍ସ ଏକାଡେମୀ (ଏନଡିଏ) ଖଡକଭାସଲାର ଦ୍ୱାର ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ତିନି ବର୍ଷ ପୂର୍ବେ ଏନଡିଏରେ ମହିଳାମାନଙ୍କର ପ୍ରବେଶ ଆରମ୍ଭ ହୋଇଥିଲା ଓ ବର୍ତ୍ତମାନ ମହିଳା କ୍ୟାଡେଟମାନେ ଅଧିକ ତାଲିମ ପାଇଁ ଆଇଏମଏକୁ ଆସିବେ।
ବର୍ତ୍ତମାନ ସୁଦ୍ଧା ଆଇଏମଏ ଦେଶର ଏକମାତ୍ର ସାମରିକ ଏକାଡେମୀ ଯେଉଁଠାରେ ଏପର୍ଯ୍ୟନ୍ତ ମହିଳାଙ୍କୁ ତାଲିମ ଦିଆଯାଇ ନଥିଲା। ବର୍ତ୍ତମାନ ୧୨୬ ଜଣ ମହିଳା କ୍ୟାଡେଟ୍ ଏନଡିଏରେ ତାଲିମ ନେଉଛନ୍ତି। ତେବେ ଯେଉଁମାନେ ଅଗଷ୍ଟ ୨୦୨୨ରେ ଏନଡିଏରେ ଯୋଗ ଦେଇଥିଲେ। ସେହି ବ୍ୟାଚ୍ ଚଳିତ ବର୍ଷ ମେ ମାସରେ ପାସ୍ ଆଉଟ୍ ହେବେ।
ଆଇଏମଏରେ ମହିଳା ଅଫିସର କ୍ୟାଡେଟମାନଙ୍କ ପାଇଁ ଅଲଗା ରହିବାର ବ୍ୟବସ୍ଥା ରହିଛି। ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ଆଇଏମଏ ଅଧିକାରୀମାନେ ଅଫିସର୍ସ ଟ୍ରେନିଂ ଏକାଡେମୀ (ଓଟିଏ), ଚେନ୍ନାଇ, ବାୟୁସେନା ଏକାଡେମୀ, ଡୁଣ୍ଡିଗଲ୍ ଏବଂ ଭାରତୀୟ ନୌସେନା ଏକାଡେମୀ, ଏଜିମାଲା ସମେତ ଅନେକ ତାଲିମ ଏକାଡେମୀ ପରିଦର୍ଶନ କରିଛନ୍ତି।