Latest Odisha News

BREAKING NEWS

ୟୁକ୍ରେନରେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ଼: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଦିଲ୍ଲୀ: ପୁଣି ଜଣେ ଭାରତୀୟ ଛାତ୍ର ୟୁକ୍ରେନରେ ବର୍ବରତାର ଶିକାର ହୋଇଛନ୍ତି । ଜଣେ ଭାରତୀୟ ଛାତ୍ରଙ୍କୁ ୟୁକ୍ରେନରେ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି । ତେବେ ଗୁରୁତର ଅବସ୍ଥାରେ ଉକ୍ତ ଛାତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଗୁଳିମାଡ଼ର ଶିକାର ହୋଇଥିବା ଛାତ୍ରଙ୍କ ବିଷୟରେ ସବିଶେଷ ତଥ୍ୟ ହସ୍ତଗତ ହୋଇପାରିନଥିବା ବେଳେ ୟୁକ୍ରେନର ରାଜଧାନୀ କିଭରେ ଏହି ଅଘଟଣ ଘଟିଥିବା ସ୍ପଷ୍ଟ ହୋଇଛି ।

ଯୁଦ୍ଧ ଭୟଙ୍କର ସ୍ଥିତି ଆଡକୁ ଗତି କରୁଥିବାରୁ ସମସ୍ତ ଭାରତୀୟଙ୍କୁ କିବ ଓ ଖାରକିଭ ଛାଡିବାକୁ ଭାରତ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଥିଲା । କିବ ଓ ଖାରକିଭରୁ ବାହାରି ଆସିବା ପରେ ଭାରତୀୟ ଦୂତାବାସ ପକ୍ଷରୁ ସମସ୍ତଙ୍କୁ ଉଦ୍ଧାର ପାଇଁ ଅଭିଯାନ ଜାରି ରହିଛି ।

ତେବେ ଋଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ଏଯାବତ ୨ ଜଣ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇ ସାରିଲାଣି । ୧ ମାର୍ଚ୍ଚରେ ୟୁକ୍ରେନର ଖାରକିଭରେ ଋଷ ପକ୍ଷରୁ ହୋଇଥିବା ଆକ୍ରମଣରେ କର୍ଣ୍ଣାଟକର ନବୀନ ଶେଖରପ୍ପାଙ୍କ ମୃତ୍ୟୁ ହୋଇଥିଲା । ସେହିଭଳି ମାର୍ଚ୍ଚ ୨ ତାରିଖରେ ମଧ୍ୟ ୟୁକ୍ରେନରେ ଆଉ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା ।

ମୃତଜ ଚନ୍ଦନ ଜିନ୍ଦଲ ପଞ୍ଜାବର ବାସିନ୍ଦା ହୋଇଥିବା ବେଳେ ୪ ବର୍ଷ ପୂର୍ବେ ଡାକ୍ତରୀ ପାଠ ପଢିବା ପାଇଁ ୟୁକ୍ରେନ୍ ଯାଇଥିଲେ । ଯୁଦ୍ଧ ଭିତରେ ୨ ଫେବ୍ରୁଆରୀରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

Comments are closed, but trackbacks and pingbacks are open.