Latest Odisha News

BREAKING NEWS

ଏସିଆନ୍ ଗେମ୍ସ ୨୦୨୬: ସିଙ୍ଗାପୁରକୁ ହରାଇ ସେମିରେ ଭାରତୀୟ ମହିଳା ହକି ଦଳ

କାକାମିଗାହାରା (ଜାପାନ): ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ହକି ଦଳର ବିଜୟ ଅଭିଯାନ ଜାରି ରହିଛି । ରବିବାର ଖେଳାଯାଇଥିବା ନିଜର ଶେଷ ପୁଲ୍ ମ୍ୟାଚ୍‌ରେ ଭାରତୀୟ ଦଳ ସିଙ୍ଗାପୁରକୁ ୭-୦ ଗୋଲ୍‌ରେ ପରାସ୍ତ କରି କ୍ରମାଗତ ୫ମ ବିଜୟ ହାସଲ କରିଛି । ଏହି ସଫଳତା ସହ ଭାରତ ପୁଲ୍‌-ବି ର ଶୀର୍ଷରେ ରହି ସେମିଫାଇନାଲ୍‌ରେ ପ୍ରବେଶ କରିଛି । ସେପ୍ଟେମ୍ବର ୩୦ରେ ଖେଳାଯିବାକୁ ଥିବା ସେମିଫାଇନାଲ୍‌ରେ ଭାରତର ମୁକାବିଲା ଦକ୍ଷିଣ କୋରିଆ ସହ ହେବ ।  ଭାରତ ପକ୍ଷରୁ ସୁନେଲିତା ଟପ୍ପୋ ଚମତ୍କାର ପ୍ରଦର୍ଶନ କରି ୨ଟି ଗୋଲ୍ ଦେଇଥିବା ବେଳେ ଅଧିନାୟିକା ସଲିମା ଟେଟେ, ଲାଲରେମ୍‌ସିଆମି, ରୁତୁଜା ଦାଦାସୋ ପିସାଲ୍, ନିକ୍କି ପ୍ରଧାନ ଏବଂ ଦୀପିକା ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ ।

ପ୍ରଥମ କ୍ୱାର୍ଟର ଗୋଲ୍‌ଶୂନ୍ୟ ରହିବା ପରେ, ଦ୍ୱିତୀୟ କ୍ୱାର୍ଟରରେ ଭାରତୀୟ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ମାତ୍ର ୧୫ ମିନିଟ୍ ମଧ୍ୟରେ ୫ଟି ଗୋଲ୍ ଦେଇ ପ୍ରଥମାର୍ଦ୍ଧ ସୁଦ୍ଧା ୫-୦ରେ ଆଗୁଆ ରହିଥିଲା । ଭାରତୀୟ ଦଳ ସମ୍ପୂର୍ଣ୍ଣ ମ୍ୟାଚ୍‌ରେ ବଲ୍ ପୋଜେସନ୍ ନିଜ ନିୟନ୍ତ୍ରଣରେ ରଖିବା ସହ ମୋଟ ୨୭ଟି ପେନାଲ୍ଟି କର୍ନର ହାସଲ କରିଥିଲା ।  ପୁଲ୍-ବି ରେ ଭାରତ ନିଜର ସମସ୍ତ ୫ଟି ଯାକ ମ୍ୟାଚ୍ ଜିତିଛି। ଉଜ୍ବେକିସ୍ତାନ, ଇଣ୍ଡୋନେସିଆ, ଜାପାନ, ଥାଇଲ୍ୟାଣ୍ଡ ଏବଂ ସିଙ୍ଗାପୁର ବିପକ୍ଷରେ ବିଜୟ ସହ ଭାରତ ଶୀର୍ଷ ସ୍ଥାନ ହାସଲ କରିଛି ।

Leave A Reply

Your email address will not be published.