ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳର ମୁଖ୍ୟ କୋଚ୍ ଇସ୍ତଫା ଦେଇଛନ୍ତି । ମୁଖ୍ୟ କୋଚ୍ ପଦରୁ ହରେନ୍ଦ୍ର ସିଂହ ହଠାତ୍ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ହକି ଦଳରୁ ଇସ୍ତଫା ଦେଇଛନ୍ତି। ହକି ଇଣ୍ଡିଆ ଏହି ଖବରକୁ ନିଶ୍ଚିତ କରି କହିଛି ଯେ ଭାରତୀୟ ହକି ଦଳର କୋଚ୍ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛନ୍ତି।
ଆମେରିକାରେ ହକି ଦଳର କୋଚ ଥିବା ହରେନ୍ଦ୍ର ସିଂହ ଏପ୍ରିଲ ୨୦୨୪ ରେ ଏହି ପଦବୀ ଗ୍ରହଣ କରିଥିଲେ। ଆଶା କରାଯାଉଥିଲା ଯେ ସେ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ୨୦୨୮ ପର୍ଯ୍ୟନ୍ତ ଦଳ ସହିତ ରହିବେ କିନ୍ତୁ ସେ ମଝିରୁ ପଦବୀ ଛାଡି ଦେଇଛନ୍ତି ।
ପୂର୍ବରୁ ସେ ଲକ୍ଷ୍ନୌ ବିଶ୍ୱକପ୍ ୨୦୧୬ ବିଜେତା ଜୁନିଅର ପୁରୁଷ ହକି ଦଳର ପ୍ରଶିକ୍ଷକ ଥିଲେ।
ସୂତ୍ର ଅନୁସାରେ ମାରିନ ଭାରତୀୟ ମହିଳା ହକି ଦଳର ପ୍ରଶିକ୍ଷକ ଭାବରେ ଫେରିପାରନ୍ତି, ଯାହାଙ୍କ ମାର୍ଗଦର୍ଶନରେ ଭାରତୀୟ ଦଳ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ କରି ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ମାରିନ୍ ଅଗଷ୍ଟ ୨୦୨୧ରେ ମହିଳା ହକି ଦଳର ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଥିଲେ।
ହରେନ୍ଦ୍ର ସିଂହ କହିଛନ୍ତି, ଭାରତୀୟ ମହିଳା ହକି ଦଳର କୋଚ୍ ହେବା ମୋ କ୍ୟାରିୟରର ଏକ ବଡ଼ ସଫଳତା। ମୁଁ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି, କିନ୍ତୁ ମୋର ହୃଦୟ ସବୁବେଳେ ଏହି ଚମତ୍କାର ଦଳ ସହିତ ରହିବ । ହକି ଇଣ୍ଡିଆ ସହିତ ମୋର ଯାତ୍ରା ମୋ ପାଇଁ ସ୍ୱତନ୍ତ୍ର ଏବଂ ଭାରତୀୟ ହକିକୁ ଶୀର୍ଷ ସ୍ତରକୁ ନେବା ପାଇଁ ସେମାନଙ୍କର ପ୍ରୟାସରେ ମୁଁ ସେମାନଙ୍କୁ ସହଯୋଗ କରୁଥିବି ।
ଗତ ଗୋଟିଏ ବର୍ଷ ମଧ୍ୟରେ ଭାରତୀୟ ମହିଳା ହକି ଦଳର ପ୍ରଦର୍ଶନ ନିରାଶାଜନକ ରହିଛି। FIH ପ୍ରୋ ଲିଗ୍ ୨୦୨୪-୨୫ରେ, ଭାରତୀୟ ଦଳ ୧୬ଟି ମ୍ୟାଚରୁ ମାତ୍ର ଦୁଇଟି ବିଜୟ ଏବଂ ତିନୋଟି ଡ୍ର କରିଥିଲା ବେଳେ ୧୧ଟି ମ୍ୟାଚରେ ହାରିଥିଲା। ଭାରତୀୟ ଦଳ ୧୦ ପଏଣ୍ଟ ସହିତ ନଅ ଦଳ ବିଶିଷ୍ଟ ତାଲିକାରେ ଶେଷ ସ୍ଥାନରେ ରହିଥିଲା ଏବଂ ପରବର୍ତ୍ତୀ ସିଜନ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନଥିଲା। ସେହିପରି ଏସିଆ କପର ଫାଇନାଲରେ ହାରିବା ପରେ, ଭାରତ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିପାରିନଥିଲା।
ହକି ଇଣ୍ଡିଆର ସଭାପତି ଡକ୍ଟର ଦିଲୀପ ତିର୍କୀ କହିଛନ୍ତି, “ଆମେ ହରେନ୍ଦ୍ର ସିଂହଙ୍କୁ ତାଙ୍କ ସେବା ଏବଂ ତାଙ୍କ ଉଲ୍ଲେଖନୀୟ ଅଭିଜ୍ଞତା ପାଇଁ ଧନ୍ୟବାଦ ଜଣାଉଛୁ। ଭାରତୀୟ ହକିର ବିକାଶ ପ୍ରତି ତାଙ୍କର ପ୍ରତିବଦ୍ଧତା ସାରା ବିଶ୍ୱର ହକି ସମ୍ପ୍ରଦାୟରେ ଜଣାଶୁଣା। ଆମେ ଖୁବ୍ ଶୀଘ୍ର ଜଣେ ଉପଯୁକ୍ତ କୋଚ୍ ଘୋଷଣା କରିବୁ, ଆମେ ତାଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛୁ।”
ହକି ଇଣ୍ଡିଆର ମହାସଚିବ ଭୋଳା ନାଥ ସିଂହ ଆହୁରି କହିଛନ୍ତି, “ଆମେ ହରେନ୍ଦ୍ର ସିଂହ ଏବଂ ଦଳ ପ୍ରତି ତାଙ୍କର ଅବଦାନକୁ ସମର୍ଥନ କରୁଛୁ। ଆମେ ତାଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛୁ । କ୍ୱାଲିଫାୟର ପାଇଁ ଯୋଜନା ଅନୁଯାୟୀ ଭାରତୀୟ ମହିଳା ଦଳର ପ୍ରସ୍ତୁତି ଜାରି ରହିବ ।”