Latest Odisha News

ବଢୁଛି କୋଭିଡ-୧୯ ସଂକ୍ରମିତଙ୍କ ସୁସ୍ଥତା ହାର

ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୧୧ ହଜାର ୨୬୪ ଜଣ କୋଭିଡ-୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି  । ଯେଉଁଟାକି ଗୋଟିଏ ଦିନରେ ସର୍ବାଧିକ ରୋଗୀ ସୁସ୍ଥ ହେବାରେ ଏକ ରେକର୍ଡ  । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଆଧାରରେ ଶନିବାର ସୁଦ୍ଧା ଦେଶରେ ୮୨ ହଜାର ୩୬୯ ଜଣ କୋଭିଡ-୧୯ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଲେଣି  । ବର୍ତ୍ତମାନ ଦେଶରେ କରୋନା ସୁସ୍ଥତା ହାର ୪୭.୪ ପ୍ରତିଶତ ରହିଛି  । ଯାହାକି ପୂର୍ବରୁ ୪୨.୮୯ ପ୍ରତିଶତ ରହିଥିଲା  । ଅର୍ଥାତ ସୁସ୍ଥତା ହାରରେ ୪.୫୧ ପ୍ରତିଶତ ବୃଦ୍ଧି ଘଟିଛି  । ସେହିଭଳି ଆଗରୁ ୧୩.୩ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଦ୍ୱିଗୁଣିତ ହେଉଥିବାବେଳେ ବର୍ତ୍ତମାନ ତାହା ୧୫.୪ ଦିନକୁ ବୃଦ୍ଧି ପାଇଛି  । ବର୍ତ୍ତମାନ ସୁଦ୍ଧା ଦେଶରେ ୧ ଲକ୍ଷ ୭୩ ହଜାର ୭୬୩ ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ୪ ହଜାର ୯୭୧ ଜଣଙ୍କ ଜୀବନ ନେଇସାରିଲାଣି ଏହି ମହାମାରୀ  । ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୧୪ ଜଣ ପୋଲିସ କର୍ମଚାରୀ ଅଛନ୍ତି  ।

ପ୍ରତିଦିନର ତଥ୍ୟକୁ ହିସାବକୁ ନେଲେ କୋଭିଡ-୧୯ ରେ ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନରେ ସର୍ବାଧିକ ୨୬୫ ଜଣଙ୍କ ଜୀବନ ଯାଇଛି  । ସେହିଭଳି ଗୋଟିଏ ଦିନରେ ସର୍ବାଧିକ ୭ ହଜାର ୯୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ରେକର୍ଡ ରହିଥିବା କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ  । ଏବେ କରୋନା ହଟସ୍ପଟ୍ ଦେଶ ଭାବେ ବିଶ୍ୱରେ ନବମ ସ୍ଥାନରେ ରହିଛି ଭାରତ  ।

Leave A Reply

Your email address will not be published.