Latest Odisha News

BREAKING NEWS

ରାଜ୍ୟଗୋଷ୍ଠୀ କ୍ରୀଡା: ବ୍ୟାଡମିଂଟନ, ଟିଟିରେ କମାଲ

ବର୍ମିଂହାମ: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ଅଭିଯାନ ଶେଷ ହୋଇଛି । ଟିମଇଣ୍ଡିଆ ୨୨ ସ୍ୱର୍ଣ୍ଣ, ୧୬ ରୌପ୍ୟ ଓ ୨୩ ବ୍ରୋଞ୍ଜ ସହ ୬୧ ପଦକ ହାସଲ କରି ଓଭରାଲ ୪ର୍ଥ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ୧୭୮( ୬୭ ସ୍ୱର୍ଣ୍ଣ, ୫୭ ରୌପ୍ୟ, ୫୪ ବ୍ରୋଞ୍ଜ), ଇଂଲଣ୍ଡ ୧୭୬ (୫୭ ସ୍ୱର୍ଣ୍ଣ, ୬୬ ରୌପ୍ୟ, ୫୩ ବ୍ରୋଞ୍ଜ) ଓ କାନାଡା ୯୨(୨୬ ସ୍ୱର୍ଣ୍ଣ, ୩୨ ରୌପ୍ୟ, ୩୪ ବ୍ରୋଞ୍ଜ) ପ୍ରଥମ ୩ଟି ସ୍ଥାନରେ ରହିଥିଲେ । ଭାରତ ୨୦୧୦ରେ ନୂଆଦିଲ୍ଲୀ ଏସିଆନ ଗେମ୍ସରେ ସର୍ବାଧିକ ୧୦୧ ପଦକ ହାସଲ କରିଥିଲା । ଏହା ପରେ ୨୦୦୨ରେ ୬୯, ୨୦୧୮ରେ ୬୬, ୨୦୧୪ରେ ୬୪ ପଦକ ଭାରତୀୟ ଆଥଲେଟ ହାସଲ କରିଥିଲେ । ପିଭି ସିନ୍ଧୁ ବ୍ୟାଡମିଂଟନରେ ବ୍ୟକ୍ତିଗତ ଭାବେ ସ୍ୱର୍ଣ୍ଣ ପଦକ ହାସଲ କରିବା ସହ ଭାରତ ପାଇଁ ଓଭରାଲ ୨୦୦ତମ ସ୍ୱର୍ଣ୍ଣ ଜିତିଥିଲେ । ଅନ୍ତିମ ଦିବସରେ ଭାରତର ବ୍ୟାଡମିଂଟନ ଓ ଟିଟି ଖେଳାଳି ସ୍ମରଣୀୟ ପ୍ରଦର୍ଶନ କରି ୪ ସ୍ୱର୍ଣ୍ଣ ଜିତିଥିଲେ ।

ଟିଟିରେ ସିନିୟର ଖେଳାଳି ଶରଥ କମାଲ ପୁରୁଷ ସିଙ୍ଗଲ୍ସରେ ଇଂଲଣ୍ଡର ଲିୟାମ ପିଚଫୋର୍ଡଙ୍କୁ ୧୧-୧୩, ୧୧-୭, ୧୧-୨, ୧୧-୬ ଓ ୧୧-୭ରେ ପରାସ୍ତ କରିଥିଲେ । ସେହିପରି ବ୍ୟାଡମିଂଟନର ମହିଳା ସିଙ୍ଗଲ୍ସରେ ପିଭି ସିନ୍ଧୁ ଓ ପୁରୁଷ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ ସ୍ୱର୍ଣ୍ଣ ଜିତିଥିଲେ । ଶେଷ ଭାଗରେ ପୁରୁଷ ଡବଲ୍ସ ଯୋଡି ସାତ୍ୱିକ ସାଇରାଜ ରେଡୀ ଓ ଚିରାଗ ଶେଟ୍ଟି ଇଂଲଣ୍ଡର ବେନ ଲେନ ଓ ସିନ ୱେଣ୍ଡିଙ୍କୁ ୨୧-୧୫ ଓ ୨୧-୧୩ରେ ପରାସ୍ତ କରି ତୃତୀୟ ସ୍ୱର୍ଣ୍ଣ ଜିିତିଥିଲେ । ପୁରୁଷ ଡବଲ୍ସରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ଏହା ପ୍ରଥମ ସ୍ୱର୍ଣ୍ଣ ।

Leave A Reply

Your email address will not be published.