ନୂଆଦିଲ୍ଲୀ: ପୃଥିବୀର ପ୍ରାୟ ସମସ୍ତ ଦେଶରେ ବିଭିନ୍ନ ଧର୍ମର ଲୋକ ବସବାସ କରନ୍ତି । କିଛି କିଛି ଦେଶରେ ଏକ ନିର୍ଦ୍ଧିଷ୍ଟ ଧର୍ମର ଜନସଂଖ୍ୟା ଅଧିକ ଥାଏ । ତେବେ ଯଦି ପଚରାଯାଏ ଅଧିକାଂଶ ମୁସଲମାନ ଧର୍ମର ଲୋକେ କେଉଁ ଦେଶରେ ରୁହନ୍ତି ତାହେଲେ ଆମେ ସାଧାରଣତଃ ଭାବୁ ଯେ ପାକିସ୍ତାନ । ଆମ ମନରେ ଥାଏ ଯେ ପାକିସ୍ତାନରେ ହିଁ ସବୁଠାରୁ ଅଧିକ ମୁସଲିମ ଧର୍ମର ଲୋକେ ବସବାସ କରନ୍ତି । କିନ୍ତୁ ଏହା ସଠିକ୍ ତଥ୍ୟ ନୁହେଁ । କାରଣ ଅଧିକାଂଶ ମୁସଲମାନ ଧର୍ମାବଲମ୍ବୀ ରହୁଥିବା ଦେଶ ହେଉଛି ଇଣ୍ଡୋନେସିଆ ।
ଦୁନିଆରେ ସବୁ ଧର୍ମର ଲୋକେ ବସବାସ କରୁଛନ୍ତି । କିନ୍ତୁ ସେଥିରୁ ଅଧିକାଂଶ ଲୋକେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର । ଅର୍ଥାତ ସବୁଠାରୁ ବେଶି ଜନସଂଖ୍ୟା ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କର । ତାଙ୍କ ପରେ ଆସିଥାଆନ୍ତି ଇସଲାମ ଏବଂ ହିନ୍ଦୁ ଧର୍ମାବଲମ୍ବୀ । ଇସଲାମ ଧର୍ମ ବିଶ୍ଵର ଅଧିକାଂଶ ଦେଶକୁ ବ୍ୟାପିଛି । ୨୦୧୧ ଜନଗଣନା ଅନୁସାରେ, ଭାରତରେ ମୁସଲମାନ ମାନଙ୍କର ଜନସଂଖ୍ୟା ୧୭ କୋଟି ଏବଂ ସମଗ୍ର ବିଶ୍ୱରେ ୨ ବିଲିୟନରୁ ଅଧିକ ।
ତେବେ ଇସଲାମ ଧର୍ମାବଲମ୍ବୀ ଅଧିକାଂଶ ଇଣ୍ଡୋନେସିଆରେ ରୁହନ୍ତି । ଏଠାରେ ମୁସଲମାନମାନଙ୍କ ସଂଖ୍ୟା ୨୪ କୋଟିରୁ ଅଧିକ । ଦକ୍ଷିଣ ପୂର୍ବ ଏସିଆର ଇଣ୍ଡୋନେସିଆ ହେଉଛି ବୃହତ୍ତମ ଅର୍ଥନୀତି । ରିପୋର୍ଟ ଅନୁଯାୟୀ, ଇଣ୍ଡୋନେସିଆର ଅନେକ ପ୍ରଦେଶ ସ୍ୱାଧୀନତା ଦାବି କରୁଥିବା ଇସଲାମିକ ସଶସ୍ତ୍ର ଗୋଷ୍ଠୀର ଆକ୍ରମଣର ସମ୍ମୁଖୀନ ହେଉଛନ୍ତି । ଇଣ୍ଡୋନେସିଆ ପରେ ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ମୁସଲମାନମାନଙ୍କ ସଂଖ୍ୟା ୨୩ କୋଟିରୁ ଅଧିକ । ଏହାପରେ ରହିଛି ଭାରତ । ଭାରତରେ ମୁସଲମାନମାନଙ୍କର ସଂଖ୍ୟା ୨୧ କୋଟିରୁ ଅଧିକ । ସେହିପରି ଚତୁର୍ଥ ସ୍ଥାନରେ ରହିଛି ବାଂଲାଦେଶ । ଏଠାରେ ମୁସଲମାନଙ୍କ ସଂଖ୍ୟା ୧୫ କୋଟିରୁ ଅଧିକ । ଆଫ୍ରିକୀୟ ଦେଶ ନାଇଜେରିଆ ପଞ୍ଚମ ସ୍ଥାନରେ ରହିଛି। ଇସଲାମ ଧର୍ମ ଅନୁସରଣ କରୁଥିବା ୧୧ କୋଟିରୁ ଅଧିକ ଲୋକ ଏଠାରେ ବାସ କରନ୍ତି । ଏହା ପରେ ଇଜିପ୍ଟରେ ୧୧ କୋଟି ଓ ଇରାକ ଏବଂ ତୁର୍କୀରେ ପାଖାପାଖି ୯ କୋଟି ମୁସଲମାନ ଅଛନ୍ତି ।
ଇଂଲଣ୍ଡ ଇତିହାସରେ ପ୍ରଥମ ଥର ପାଇଁ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ଦେଶର ମୋଟ ଜନସଂଖ୍ୟାର ଅଧାରୁ କମ୍ ହୋଇଛି। ଗତ ବର୍ଷ ନଭେମ୍ବରରେ ଇଂଲଣ୍ଡ ଏବଂ ୱେଲ୍ସରେ କରାଯାଇଥିବା ଜନଗଣନା ତଥ୍ୟ ଅନୁଯାୟୀ ମୁସଲମାନ ଏବଂ ହିନ୍ଦୁଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏପରିକି କୌଣସି ଧର୍ମ ଅନୁସରଣ କରୁ ନ ଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ୨୦୧୧ ମସିହାରେ ଏଠାରେ ମୁସଲମାନଙ୍କ ସଂଖ୍ୟା ୪.୯ ପ୍ରତିଶତ (୨୭ ଲକ୍ଷ) ଥିଲା, ଯାହା ବର୍ତ୍ତମାନ ୬.୫ ପ୍ରତିଶତ (୩୯ଲକ୍ଷ) କୁ ବୃଦ୍ଧି ପାଇଛି । ଏଥି ସହିତ, ସ୍ପେନରେ ମୁସଲମାନଙ୍କ ସଂଖ୍ୟା ଗତ ୩୦ ବର୍ଷ ମଧ୍ୟରେ ୧୦ ଗୁଣ ବୃଦ୍ଧି ପାଇଛି ।
ସେପଟେ ଦୁନିଆର ସବୁଠାରୁ ଛୋଟ ଦେଶ ଭାଟିକାନ୍ ସିଟିରେ ନାହାଁନ୍ତି କୌଣସି ବ ମୁସଲମାନ ସମ୍ପ୍ରଦାୟ । ଏହି ଦେଶ ଦୁନିଆର ସବୁଠାରୁ ଛୋଟ ଦେଶ । ଏହା ଏକ ଖ୍ରୀଷ୍ଟିଆନ ସଂଖ୍ୟାଗରିଷ୍ଠ ଦେଶ । ଏହି ଦେଶର ମୁଖ୍ୟ ପୋପ୍ ହୋଇଥାଆନ୍ତି ଏବଂ ସେ ବିଶ୍ଵରେ ବ୍ୟାପିଥିବା ପ୍ରାୟ ୧.୨ ଆରବ ଖ୍ରୀଷ୍ଟିଆନଙ୍କ ଧର୍ମଗୁରୁ ହୋଇଥାଆନ୍ତି ।
Comments are closed.