Latest Odisha News

ଜରାଜୀର୍ଣ୍ଣ ଅବସ୍ଥାରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଡାକ୍ତରଖାନା, ଖତ ଖାଉଛି ଆମ୍ବୁଲାନ୍ସ

ନବରଙ୍ଗପୁର : ଜରାଜୀର୍ଣ୍ଣ ଅବସ୍ଥାରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଡାକ୍ତରଖାନା। ଖତ ଖାଉଛି ଯନ୍ତ୍ରପାତି,ଡାକ୍ତରଖାନା ଉପରୁ ତୁଟିଯାଇଛି ଲୋକଙ୍କ ଆଶା । ଚାକିରୀ ବଞ୍ଚାଇବା ପାଇଁ ଡ୍ୟୁଟି କରୁଛନ୍ତି ଷ୍ଟାଫ। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳ ବିଦ୍ୟୁତପ୍ରକଳ୍ପ ଚିକିତ୍ସାଳୟର ଅବସ୍ଥା ଗୋଟିଏ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ମଧ୍ୟ ଅଧିକ ଦୟନୀୟ ହୋଇପଡିଛି।ଏହି ଚିକିତ୍ସାଳୟରେ ଚପରାସୀ ଠାରୁ ଆରମ୍ଭ କରି ଡାକ୍ତର ପର୍ଯ୍ୟନ୍ତ ସମସ୍ତେ ଡେପୁଟେସନରେ କାର୍ଯ୍ୟ କରୁଛନ୍ତି  । ୩ ଜଣ ଡାକ୍ତରଙ୍କୁ ନାମକୁ ମାତ୍ର ଡେପୁଟେସନରେ ଅଣାଯାଇଛି, ଡାକ୍ତର ମାନେ ସେମାନଙ୍କ ସୁବିଧା ଅନୁସାରେ ପାଳି କରି ଡ୍ୟୁଟି କରୁଛନ୍ତି ।

କେବେ ଦିନ ୧୦ ଟାରେ ମେଡିକାଲ ଖୋଲାହେବ ତ କେବେ ୧୧ ଟାରେ କିନ୍ତୁ ସନ୍ଧ୍ୟା ୫ଟା ହେଲେ ମେଡିକାଲରେ ତାଲା ଝୁଲେ। କିଛି ଔଷଧ ରଖି ନାମକୁ ମାତ୍ର ଚାଲିଛି ଚିକିତ୍ସା, ଗର୍ଭବତୀ ମାଆଙ୍କ ପ୍ରସୂତୀଗୃହ କବାଡଖାନା ପାଲଟି ଯାଇଛି। ଫିଲ୍ମ ନଥିବାରୁ ଏକବର୍ଷ ହେବ ଏକ୍ସରାଏ ହୋଇପାରୁନାହିଁ, ଗୋଟିଏ ଏସି ରୁମ ଅଛି କିନ୍ତୁ ଏସିରେ ଉଇ ଲାଗି ନଷ୍ଟ ହୋଇଯାଇଛି, ଶୌଚାଳୟର ଅବସ୍ଥା ନକହିବା ଭଲ, ମେଡିକାଲ କୋଠା ଜରାଜୀର୍ଣ୍ଣ ହେବାକୁ ବସିଲାଣି। ଆମ୍ବୁଲାନ୍ସର ଫିଟନେସ ନଥିବାରୁ ଖତ ଖାଉଛି ଆମ୍ବୁଲାନ୍ସ।ଡ୍ରାଇଭର ବସିବସି ଦରମା ନେଉଛି। ସାମାନ୍ୟରୁ ସାମାନ୍ୟ ସ୍ଵାସ୍ଥ୍ୟଗତ ସମସ୍ୟା ପାଇଁ ଲୋକଙ୍କୁ ୧୫ କିଲୋମିଟର ଦୂର ତେନ୍ତୁଳିଖୁଣ୍ଟି ମେଡିକାଲକୁ ଯିବାକୁ ପଡୁଛି।

ନବରଙ୍ଗପୁର ଜିଲ୍ଲାର  ତେନ୍ତୁଳିଖୁଣ୍ଟି ଓ ନନ୍ଦହାଣ୍ଡି ଦୁଇଟି ବ୍ଲକର ୯ ଟି ପଞ୍ଚାୟତ,କଳାହାଣ୍ଡି ଜିଲ୍ଲା ଥୁଆମୂଲରାମପୁର ବ୍ଲକର ୬ ଟି ଗାଁ ସହ କୋରାପୁଟ ଜିଲ୍ଲା ଦସମନ୍ତପୁର ବ୍ଲକର ୩ ଟି ଗାଁ ମୋଟ ୧୧ ଟି ପଞ୍ଚାୟତର ୫୦ ହଜାରରୁ ଉର୍ଦ୍ଧ୍ବ ଲୋକ ଏହି ଚିକିତ୍ସାଳୟ ଉପରେ ସମ୍ପୂର୍ଣ୍ଣ ଭାବରେ ନିର୍ଭର କରନ୍ତି । ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଆରମ୍ବ ହେବା ସମୟରେ  ୩୨ ଶଯ୍ୟା ବିସିଷ୍ଟ ଏହି ଡାକ୍ତରଖାନା ପ୍ରତିଷ୍ଠା କରାଯାଇଥିଲା  । ପ୍ରକଳ୍ପ କାମ ସରିବାପରେ କିଛି ବର୍ଷ ଭଲରେ ଚାଲିଥିଲା,କିନ୍ତୁ ଏବେ ସନ୍ଧ୍ୟା ୫ ଟା ପରେ ଝୁଲୁଛି ତାଲା।

ଏହି ଡ଼ାକ୍ତରଖାନା ଉପରେ ନିର୍ଭର କରୁଥବା ହଜାର ହଜାର ଲୋକ ସ୍ୱାସ୍ଥ୍ୟଗତ କାରଣରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି  । ମେଡିକାଲ ପରିଚାଳନା ଦାୟିତ୍ୱରୁ OHPC ହାତ ଖସାଇ ଦେବାପରେ ଇନ୍ଦ୍ରାବତୀ ଡ୍ୟାମ ଡିଭିଜନ ମେଡିକାଲ ପରିଚାଳନା ଦ୍ୱିତୀୟରେ ଥିବାବେଳେ ଏହି ବିଭାଗ ମଧ୍ୟ ମେଡିକାଲ ପରିଚାଳନା ଦାଇତ୍ୱରୁ ଓହରି ଯିବାପାଇଁ ଓଡିଶା ସରକାରଙ୍କୁ ବାରମ୍ବାର ଚିଠି ମାଧ୍ୟମରେ ଜଣାଇଛି,କିନ୍ତୁ ଆଜି ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗକୁ ଏହି ମେଡିକାଲକୁ ହସ୍ତାନ୍ତର ହୋଇଛି ନା ଇନ୍ଦ୍ରାବତୀ ଡ୍ୟାମ ଡିଭିଜନ ଏହାର ପରିଚାଳନା କରୁଛି,ଏହିଭଳି ଦୋ’ଛକିରେ ପଡି ରହିଛି ମେଡିକାଲ। ତୁରନ୍ତ ଏହାର ସମାଧାନ ଦିଗରେ ପଦକ୍ଷେପ ନେବାପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି।

Comments are closed.