ନୂଆଦିଲ୍ଲୀ: ଇନ୍ଫୋସିସ୍ରେ ଆରମ୍ଭ ହୋଇଛି ଛଟେଇ। ୭୦୦ କର୍ମଚାରୀଙ୍କୁ ଛଟେଇ କରିଛି କମ୍ପାନୀ। ସପ୍ତାହକୁ ୭୦ ଘଣ୍ଟା କାମ କରିବାକୁ କହୁଥିବା ନାରାୟଣ ମୂର୍ତ୍ତୀଙ୍କ ଆଇଟି କମ୍ପାନୀ ଇନ୍ଫୋସିସ୍ରେ କର୍ମଚାରୀ ଛଟେଇ ନେଇ ଆରମ୍ଭ ହୋଇ ଯାଇଛି ବିବାଦ। ମିଡିଆ ରିପୋର୍ଟ ମୁତାବକ, କମ୍ପାନୀ ପାଖାପାଖି ୭୦୦ କର୍ମଚାରୀ ଛଟେଇ କରିଛି। କିନ୍ତୁ ୩୫୦ରୁ କମ୍ କର୍ମଚାରୀ ଛଟେଇ ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।
ସୂଚନା ଅନୁଯାୟୀ,୨୦୨୪ ଅକ୍ଟୋବରରେ ଏହି ସମସ୍ତ କର୍ମଚାରୀ ନିଯୁକ୍ତି ପାଇଥିଲେ। ମହୀଶୂର ଟ୍ରେନିଂ ସେଣ୍ଟରରେ ସେମାନଙ୍କୁ ଟ୍ରେନିଂ ଦିଆଯାଉଥିଲା। ତେବେ କର୍ମଚାରୀଙ୍କୁ ବଳ ପୂର୍ବକ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିବା ଛଟେଇ ହୋଇଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ନାସେଣ୍ଟ ଇନଫରମେସନ ଟେକ୍ନୋଲୋଜୀ ଏମ୍ପ୍ଲୋଇ ସିନେଟ(NITES) ପକ୍ଷରୁ ନିନ୍ଦା କରାଯାଇଛି। ଆଇଟି କର୍ମଚାରୀଙ୍କର ଏଭଳି ଶୋଷଣ ବିରୋଧରେ କେନ୍ଦ୍ର ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି NITES ଦାବି କରିଛି।ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପାଖାପାଖି ୪୦୦ କର୍ମଚାରୀଙ୍କୁ ଗୋଟିଏ ବ୍ୟାଚ୍ରେ ଡକାଯାଇଥିଲା। ପରେ ଯୋଗ୍ୟତା ପାଇଁ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାରେ ବିଫଳ ହେବା ପରେ ସେମାନଙ୍କୁ ଅଲ୍ଟିମେଟମ ଲେଟର ଜାରି କରାଯାଇଥିଲା।
ଏହି ଘଟଣାରେ ପ୍ରତିକ୍ରିୟା ଦେଇ ଇନଫୋସିସ୍ କହିଛି, “ଇନଫୋସିସ୍ରେ, ଆମର ଏକ କଠୋର ନିଯୁକ୍ତି ପ୍ରକ୍ରିୟା ଅଛି। ଫ୍ରେସର୍ସ, ଆମ ମହୀଶୂର କ୍ୟାମ୍ପସରେ ତାଲିମ ନେବା ପରେ, ଇଣ୍ଟରନାଲ ଆସେସମେଣ୍ଟ କ୍ଲିୟର କରିବାକୁ ପଡ଼ିଥାଏ। ସମସ୍ତ ନବନିଯୁକ୍ତଙ୍କୁ ଏହି ପରୀକ୍ଷା ପାସ୍ କରିବାକୁ ୩ ଥର ସୁଯୋଗ ଦିଆଯାଏ। ଫେଲ୍ ହେଲେ ସେମାନେ ଅଯୋଗ୍ୟ ବିବେଚିତ ହୋଇଥାନ୍ତି। ଏହା ସେମାନଙ୍କ ନିଯୁକ୍ତି ଚୁକ୍ତି ପତ୍ରରେ ଉଲ୍ଲେଖ ରହିଛି। ”
ଇନଫୋସିସ୍ ସିଷ୍ଟମ ଇଞ୍ଜିନିୟର (SE) ଏବଂ ଡିଜିଟାଲ୍ SE ପଦବୀ ପାଇଁ ଅଫର ଲେଟର ଦେବା ତାରିଖ ବୃଦ୍ଧି କରିବା ପରେ, ସେହି ବ୍ୟାଚ୍ର ପ୍ରାୟ ଦୁଇ ହଜାର ସ୍ନାତକହାସଲକାରୀ କର୍ମଚାରୀଙ୍କୁ ନିଯୁକ୍ତିରେ ବିଳମ୍ବ ହୋଇଥିଲା। ଏମାନଙ୍କୁ ବାର୍ଷିକ ଦରମା ୩.୨ ଲକ୍ଷ ଟଙ୍କାରୁ ୩.୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଫର କରାଯାଇଥିଲା।
ଅନ୍ୟପଟେ NITES ପ୍ରତିକ୍ରିୟା ଦେଇ କହିଛି, କର୍ମଚାରୀମାନଙ୍କୁ ଡରାଇବା ପାଇଁ କମ୍ପାନୀ ବାଉନ୍ସର ଏବଂ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରିଥିଲା। ଛଟେଇ ପ୍ରକ୍ରିୟାକୁ ରେକର୍ଡ ନକରିବା ପାଇଁ କର୍ମଚାରୀଙ୍କୁ ମୋବାଇଲ ଫୋନ୍ ରଖିବାକୁ ଅନୁମତି ଦିଆଯାଉନଥିଲା। ଏନେଇ NITESର ଅଧ୍ୟକ୍ଷ ହରପ୍ରୀତ ସିଂହ ସୁଲାଜା କହିଛନ୍ତି “ଆଜି, ସମ୍ପୂର୍ଣ୍ଣ ଅସମ୍ମାନଜନକ ଭାବରେ, ଇନଫୋସିସ୍ ଏହି କର୍ମଚାରୀମାନଙ୍କୁ ଏହାର ମହୀଶୂର କ୍ୟାମ୍ପସର ବୈଠକ କକ୍ଷକୁ ଡକାଯାଇଥିଲା। ଯେଉଁଠାରେ ସେମାନଙ୍କୁ ଚାପ ପ୍ରୟୋଗ କରି “ମ୍ୟୁଚୁଆଲ ସେପାରେସନ” ଲେଟରରେ ସାଇନ୍ କରିବାକୁ ବାଧ୍ୟ କରାଯାଇଛି।” ଏହି ମାମଲାରେ ସରକାର ତୁରନ୍ତ ପଦକ୍ଷେପ ନେବାକୁ NITES ପକ୍ଷରୁ ଅନୁରୋଧ କରାଯାଇଛି।
Comments are closed.