ରାଉରକେଲା: କିଛି ଦିନ ହେବ ଦୁର୍ଘଟଣା ପ୍ରବଣ ଅଞ୍ଚଳ ପାଲଟିଛି ଇସ୍ପାତ୍ ନଗରୀ ରାଉରକେଲା। ରାଉରକେଲାରେ କ୍ରମାଗତ ତୃତୀୟ ଦିନରେ ପୁଣି ଘଟିଛି ଅଘଟଣ। ସ୍ଥାନୀୟ କଳୁଙ୍ଗା ଶିଳ୍ପାଞ୍ଚଳର ମହାବୀର ସ୍ପଞ୍ଜ କାରଖାନା ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ପୋରଣ ଘଟିଛି। ଏହି ବିସ୍ଫୋରଣରେ ୪ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ବାସନ୍ତୀ କଲୋନି ମାଲଗୋଦାମ ରେଳସାଇଡିଂ ରେଳଦୁର୍ଘଟଣାର ଗୋଟିଏ ଦିନ ପରେ ଗୁରୁବାର ସଂଧ୍ୟା ପ୍ରାୟ ୪ଟା ୪୫ ମିନିଟ୍ରେ ଷ୍ଟେସନର ୪ ନଂ ପ୍ଲାଟ୍ଫର୍ମ ନିକଟରେ ଏକ ଦୁର୍ଘଟଣା ଘଟିଥିଲା। ମୁମ୍ବାଇ-ହାୱଡା ମୁଖ୍ୟମାର୍ଗର ୧୦ ନଂ ଟ୍ରାକ୍ରେ ମାଲ୍ଗାଡ଼ି ଲାଇନଚ୍ୟୁତ୍ ହୋଇଥିଲା। ମାଲ୍ଗାଡ଼ିର ଗୋଟିଏ ବଗି ଲାଇନ୍ରୁ ତଳକୁ ଖସିଯିବା ପରେ ଇଞ୍ଜିନ୍ ବଗିକୁ ଛାଡି କିଛି ବାଟ ଚାଲିଯାଇଥିଲା। ଦୁର୍ଘଟଣା ପରେ ବନ୍ଧମୁଣ୍ଡା ଷ୍ଟେସନରେ ହର୍ଣ୍ଣ ବାଜିଥିଲା। ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇ ନଥିଲା।
ସେହିପରି ମାଲ୍ଗୋଦାମ ଏଫ୍ସିଆଇ ବସ୍ତିରେ ଗୁରୁବାର ସକାଳ ପ୍ରାୟ ୬ଟା ୧୦ ମିନିଟ୍ରେ ରେଳସାଇଡିଂକୁ ସିମେଣ୍ଟ ବୋଝେଇ ପାଇଁ ଆସିଥିବା ଏକ ମାଲବାହୀ ଟ୍ରେନ୍ ଗୋଟିଏ ଲାଇନ୍ରୁ ଅନ୍ୟ ଲାଇନ୍କୁ ନିଆଯାଉଥିଲା। କିନ୍ତୁ ମାଲ୍ଗାଡ଼ିଟି ନିୟନ୍ତ୍ରଣ ହରାଇ ରେଳସାଇଡିଂ ପାଚେରି ଭାଙ୍ଗି ବସ୍ତି ଭିତରକୁ ମାଡ଼ିଯାଇଥିଲା। ଚା’ ଦୋକାନୀ ଓ ବସ୍ତିବାସିନ୍ଦାଙ୍କ ପାଟିଶୁଣି ଲୋକୋପାଇଲଟ୍ ବ୍ରେକ୍ ଲଗାଇବା ପୂର୍ବରୁ ୪ଟି ବଗି ବସ୍ତି ସମ୍ମୁଖ ଦୋକାନ ଭାଙ୍ଗି ଭିତରକୁ ପଶିଯାଇଥିଲା।
Comments are closed.