Latest Odisha News

ଏୟାରଲିଫ୍ଟ ହେଲେ ଦୁଇ ଗୁରୁତର, ଭଦ୍ରକରେ ୧୪୪ ଧାରା ଜାରି

ଭଦ୍ରକ: ମଙ୍ଗଳବାର ଭଦ୍ରକ ଜିଲ୍ଲା ପ୍ରଶାସନ ରାନ୍ଦିଆରେ ବେଦାନ୍ତ-ଫାକର ପ୍ଲାଣ୍ଟର ୨୦୦ ମିଟର ପରିସରରେ ଧାରା ୧୪୪ ଲାଗୁ କରିଛନ୍ତି। ଗତକାଲି କମ୍ପାନୀରେ ଦୁର୍ଘଟଣା ଘଟିବାରୁ ଦୁଇଜଣ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ଏହାକୁ ନେଇ ଉତ୍ତେଜନା ଲାଗି ରହିବାରୁ ପୋଲିସ ଏପ୍ରିଲ୍ ୧୪ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଏହି ନିଷେଧାଦେଶ ବଳବତ୍ତର ଲାଗୁ କରିଛି।

ଗୁରୁତର ହୋଇପଡ଼ିଥିବା ଶ୍ରମିକମାନେ ହେଲେ ବରପଦା ଅଞ୍ଚଳର  ବିଜୟ ମହାପାତ୍ର ଓ ରାନ୍ଦିଆ କୋରଣ୍ଟ ଅଞ୍ଚଳର ରତିକାନ୍ତ ସୂତାର। ଉଭୟ ପ୍ଲାଣ୍ଟରେ ଫର୍ଣ୍ଣେସ୍ କାର୍ ଚାର୍ଜର ଅପରେଟର ଭାବରେ ନିୟୋଜିତ ଥିବାବେଳେ ବିସ୍ଫୋରଣ ହେବାରୁ ଦୁର୍ଘଟଣା ଘଟିଥିଲା। ଆଉ ଗୁରୁତର ଭାବେ ପୋଡି ଯାଇଥିଲେ।

ପ୍ରାରମ୍ଭରେ ଆହତ ଶ୍ରମିକମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ବିଗିଡି ଯାଇଥିଲା ଏବଂ ପରେ ସେମାନଙ୍କୁ ମୁମ୍ବାଇକୁ ଏୟାର ଲିଫ୍ଟ କରାଯାଇଛି।

ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ କହିଛନ୍ତି ଯେ ଏହି ଦୁର୍ଘଟଣା ପରେ ଆହତ ଶ୍ରମିକମାନଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ଆହତମାନଙ୍କୁ ମୁମ୍ବାଇ ପଠାଇବାକୁ ବେଦାନ୍ତ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲୁ ଏବଂ ସେମାନେ ରାଜି ହୋଇଥିଲେ। ଆଶା କରୁଛି ଆହତ ଶ୍ରମିକମାନେ ଯଥାଶୀଘ୍ର ସୁସ୍ଥ ହୋଇଯିବେ।

ଭଦ୍ରକ ଏସପି ଛୁଟିରେ ଥିବାରୁ ତାଙ୍କ ସ୍ଥାନରେ ବାଲେଶ୍ବର ଏସପି ଘଟଣାସ୍ଥଳରେ ପହଁଚି ସ୍ଥିତି ସମୀକ୍ଷା କରିଛନ୍ତି। ଆହତଙ୍କ ସୁସ୍ଥ କରିବା ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ତେଣୁ ଧୈର୍ଯ୍ୟ ଧରିବା ସହ ଆଇନ ହାତକୁ ନ ନେବାକୁ କହିଛନ୍ତି ଏସ୍‌ପି ସାଗରିକା ନାଥ।

ମଙ୍ଗଳବାର ଦିନ ଏହି ଖବର ପ୍ରଚାରିତ ହେବା ପରେ ପ୍ଲାଣ୍ଟ ଏବଂ ନିକଟବର୍ତ୍ତୀ ଗ୍ରାମଗୁଡିକରେ ଉତ୍ତେଜନା ଦେଖାଦେଇଥିଲା। ପୂର୍ବରୁ ଗତ ମାସରେ ବେଦାନ୍ତ ଫେକର ପରିସରରେ ଚାର୍ଜିଂ କାର୍‌ ଅପେରେଟର ଵିଶ୍ଵଜିତ ଵିଶ୍ୱାଳ ନିଆଁରେ ପଡି ଗୁରୁତର ହୋଇଥିଲେ ପରେ ଏସବିରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ। ଏବେ ଅଳ୍ପ ଦିନ ବ୍ୟବଧାନରେ ପୁଣି ଥରେ ସମାନ ଘଟଣା ଘଟିଥିବାରୁ ଲୋକଙ୍କ ମଧ୍ଯରେ ଅସନ୍ତୋଷ ବୃଦ୍ଧି ପାଇଛି।

Leave A Reply

Your email address will not be published.