Latest Odisha News

ନିର୍ଦ୍ଧାରଣ ଶୁଭ ମୁହୂର୍ତ୍ତରେ ଖୋଲିଲା ଭିତର ଦ୍ବାର, ଖୋଲିବ ସବୁ ରହସ୍ୟ

ପୁରୀ: ନିର୍ଦ୍ଧାରିତ ଶୁଭ ମୁହୂର୍ତ୍ତ ୯. ୫୧ରେ ଖୋଲିଛି ଭିତର ରତ୍ନଭଣ୍ଡାର ଦ୍ବାର । ନିର୍ଦ୍ଧାରିତ ସମୟରେ ଭିତର ଦ୍ବାର ଖୋଲି ପ୍ରବେଶ କରିଛନ୍ତି କମିଟି ସଦସ୍ୟ । ରତ୍ନଭଣ୍ଡାର ତଦନ୍ତ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦପାଢୀଙ୍କ ସମେତ ୧୧ ଜଣିଆ ଟିମଙ୍କ ସହ ଭଣ୍ଡାର ଖୋଲି ଭିତରକୁ ପ୍ରବେଶ କରିଛନ୍ତି । ତେବେ ମନ୍ଦିର ପ୍ରଶାସକଙ୍କ କହିବା ଅନୁଯାୟୀ, ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ପାଇଁ ୧୨ ଜଣିଆ କମିଟି ଉପସ୍ଥିତ ରହିବେ । ସେପଟେ ଏଥିପାଇଁ ଗଜପତି ମହାରାଜ ଦିବ୍ୟସିଂହ ଦେବ ମନ୍ଦିରରେ ପହଞ୍ଚିଛନ୍ତି । ଅଳଙ୍କାର ସ୍ଥାନାନ୍ତରଣ ପାଇଁ ୧୧ ଜଣିଆ କମିଟି ସହ ଯୋଗ ଦେଇଛନ୍ତି । ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ଦେଇ ଭିତରକୁ ପ୍ରବେଶ କରିଛନ୍ତି ଗଜପତି ମହାରାଜ । ଭିତର ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ସ୍ବର୍ଣ୍ଣ, ଅଳଙ୍କାର, ହୀରା,ମୋତି ମାଣିକ ସବୁ କିଛିର ସ୍ଥାନାନ୍ତରଣ ବେଳେ ସବୁ କିଛି ଯାଞ୍ଚ କରିବା ବେଳେ ଉପସ୍ଥିତ ରହିବା ପାଇଁ ଗଜପତିଙ୍କୁ ଅନୁରୋଧ କରିଥିଲା ତଦନ୍ତ କମିଟି । ଏହାପରେ ଆଜି ଭିତର ରତ୍ନଭଣ୍ଡାର ଖୋଲିବା ବେଳେ ଯୋଗ ଦେଇଛନ୍ତି ଗଜପତି ମହାରାଜ ।

ସେପଟେ ୪୬ ବର୍ଷ ପରେ ସବୁ ରହସ୍ୟ ଉପରୁ ପରଦା ହଟିବ । ଭିତର ରତ୍ନଭଣ୍ଡାର ଓ ତାହାର ରହସ୍ୟକୁ ଆଜି ଭେଦ କରିବେ କମିଟି ସଦସ୍ୟ । ଏଥିପାଇଁ ଭିତରେ ପ୍ରବେଶ କରି ରତ୍ନର ଅବସ୍ଥା ଓ ଗୃହର ସ୍ଥିତି କମିଟି ସଦସ୍ୟ ପରଖୁଥିବା ସୂଚନା ମିଳିଛି । ଏହାପରେ ରତ୍ନଅଳଙ୍କାର ଗୁଡିକୁ ନୂଆ ସିନ୍ଦୁକ ମଧ୍ୟକୁ ସ୍ଥାନାନ୍ତର କରାଯାଇ, ଅସ୍ଥାୟୀ ରତ୍ନଭଣ୍ଡାର ଖଟ ଶେଯ ଘରକୁ  ସିଫ୍ଟ କରାଯିବ । ଏହାପରେ ଭିତରର ମରାମତି କାର୍ଯ୍ୟ କରାଯିବା ପରେ ସମସ୍ତ ଅଳଙ୍କାରର ଗଣତିମଣତି କରାଯିବ ।

ତେବେ କହିରଖୁଛୁ, ଗତ ୧୪ ତାରିଖରେ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ଖୋଲିଥିଲେ କମିଟି ସଦସ୍ୟ । ବାହାର ରତ୍ନଭଣ୍ଡାରର ସମସ୍ତ ଅଳଙ୍କାରକୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରିବା ପରେ ସମୟ ଅଭାବରୁ ଭିତର ରତ୍ନଭଣ୍ଡାର କେବଳ ଖୋଲିକରି ଦେଖି ଏହାକୁ ପୁଣି ଥରେ ସିଲ୍ କରାଯାଇଥିଲା । ଆଉ ଏହା ପୁନଃ ୧୮ ତାରିଖରେ ଅର୍ଥାତ୍ ଆଜି ଖୋଲାଯାଇ ଭିତରର ରତ୍ନଅଳଙ୍କାର ସ୍ଥାନାନ୍ତରିତ କରାଯିବା ପାଇ ନିଷ୍ପତ୍ତି ହୋଇଥିଲା । ଯାହାକୁ ନିର୍ଦ୍ଧାରିତ ଶୁଭ ମୁହୂର୍ତ୍ତରେ ଖୋଲି ଭିତରକୁ ପ୍ରବେଶ କରିଛନ୍ତି କମିଟି ସଦସ୍ୟ ।

Comments are closed.