Latest Odisha News

BREAKING NEWS

କୃତ୍ରିମ ଅଭାବ ସୃଷ୍ଟି କରୁଥିବା ଅସାଧୁବ୍ୟବସାୟୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଆଜି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ପଶ୍ଚିମ ଏସିଆରେ ଯୁଦ୍ଧ ପାଇଁ ଦେଶ ତଥା ରାଜ୍ୟରେ ସୃଷ୍ଟି ହୋଇଥିବା ବିଭିନ୍ନ ଦ୍ରବ୍ୟର କୃତ୍ରିମ ଅଭାବଜନିତ ସମସ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି ।

ସମୀକ୍ଷାରୁ ଜଣାଯାଇଛି ଯେ, ରାଜ୍ୟରେ ଆବଶ୍ୟକତା ଅନୁଯାୟୀ ପେଟ୍ରୋଲିୟମ, ଗ୍ୟାସ ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ଅଛି । ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଯେପରି ଅତ୍ୟାବଶ୍ୟକ ଦ୍ରବ୍ୟ ଗୁଡ଼ିକର କଳାବଜାରୀ ନହୁଏ, ସେଥିପ୍ରତି ସଜାଗ ରହିବା ସହିତ ରାଜ୍ୟବ୍ୟାପୀ ଚଢ଼ାଉ କରି ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ରବିଋତୁ ଚାଷ ପାଇଁ ଯଥେଷ୍ଟ ସାର ମହଜୁଦ ରଖିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏ ସମସ୍ୟା ବିଷୟରେ ରାଜ୍ୟବାସୀ ଯେପରି ଆଶଙ୍କିତ ନ ହୁଅନ୍ତି, ସେଥିପ୍ରତି ସରକାରୀସ୍ତରରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ପେଟ୍ରୋଲ ଓ ପେଟ୍ରୋଲିୟମ ସାମଗ୍ରୀ ତଥା ଏଲ୍.ଏନ୍.ଜି ପାଇଁ ଭାରତ ବିଭିନ୍ନ ଗଲ୍ଫ ଦେଶମାନଙ୍କ ଉପରେ ନିର୍ଭର କରିଥାଏ । ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ପାଇଁ ଉଭୟ ପେଟ୍ରୋଲ ଓ ଏଲ୍.ପି.ଜି ଉପରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ରାଜ୍ୟରେ ଏ ସବୁ ସାମଗ୍ରୀର ଉପଲବ୍‌ଧତା ଓ ବଣ୍ଟନ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ଏହି ବୈଠକ ଡାକିଥିଲେ ।

ମୁଖ୍ୟ ଶାସନ ସଚିବ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସମସ୍ୟାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସବିସ୍ତୃତ ବିବରଣୀ ରଖିଥିଲେ । ବୈଠକରେ ପେଟ୍ରୋଲ, ରନ୍ଧନ ଗ୍ୟାସ ଓ ସାର ଯୋଗାଣ ଯେପରି ଅବ୍ୟାହତ ରହିବ, ସେ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡି.କେ. ସିଂହ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.