Latest Odisha News

BREAKING NEWS

ପ୍ରାକ ମୌସମୀ ବର୍ଷା: ଅମଳ ଧାନର ସୁରକ୍ଷା ନେଇ ଚାଷୀଙ୍କ ପାଇଁ ନିର୍ଦ୍ଦେଶ ଜାରି

ଭୁବନେଶ୍ୱର: ଚଳିତ ରବି ଋତୁରେ ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ଅଦିନିଆ ବର୍ଷା ହେଉଥିବା ବେଳେ ଖୁବଶୀଘ୍ର ପ୍ରାକ ମୌସମୀ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗର ଆକଳନକୁ ଦୃଷ୍ଟିରେ ରଖି ମଣ୍ଡିରେ ଧାନ ସୁରକ୍ଷା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏସମ୍ପର୍କରେ ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ସମବାୟ ସମିତି ସମୁହ ନିବନ୍ଧକ ସିଦ୍ଧାର୍ଥ ଦାସଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଛି।

ବର୍ଷାକୁ ଦୃଷ୍ଟିରେ ରଖି ଧାନକିଣା ପ୍ରକ୍ରିୟାକୁ ଚାଲୁ ରଖିବା ସହିତ ଅମଳ ଧାନର ସୁରକ୍ଷା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଆବଶ୍ୟକୀୟ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ଚାଷୀମାନଙ୍କୁ ଆଗୁଆ ସଚେତନ କରାଯିବା ସହ ପାଣିପାଗ ସଂପର୍କରେ ସୂଚନା ଦିଆଯାଇଛି। ଏଥି ନିମନ୍ତେ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି। ମଣ୍ଡିରେ ଗଚ୍ଛିତ ଥିବା ଧାନଗୁଡ଼ିକୁ ଘୋଡେଇ ରଖିବା ନିମନ୍ତେ ଆବଶ୍ୟକ ପଲିଥିନ୍‌ ଯୋଗାଇଦେବା ପାଇଁ ପରାମର୍ଶ ଦିଆଯାଇଛି।

ଏଥି ସହ ଅଗ୍ରାଧିକାର ଭିତ୍ତିରେ ଧାନ ଉଠାଣ ପାଇଁ ମିଲରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଧାନଗୁଡ଼ିକର ସଂରକ୍ଷଣ ଏବଂ ବର୍ଷାରୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ଅଧିକାରୀମାନଙ୍କ ପକ୍ଷରୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଉଛି। ଧାନ ରଖା ଯାଇଥିବା ସ୍ଥାନର ଚାରି ପାଖରେ ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା ଓ ଉପଯୁକ୍ତ ସୁରକ୍ଷା ଥିବା ଗାଡି ମାଧ୍ୟମରେ ଧାନ ପରିବହନ କରିବାକୁ ମଧ୍ୟ୍ୟ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରାଯାଇଛି। ସେହିପରି ପ୍ରତ୍ୟେକ ମଣ୍ଡିରେ ଅସ୍ଥାୟୀ ଆଶ୍ରୟସ୍ଥଳ, ପାନୀୟ ଜଳ, ଓଆରଏସ ବ୍ୟବସ୍ଥା ଆଦି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ମଣ୍ଡିରେ ସିସିଟିଭି ମାଧ୍ୟମରେ ତୀକ୍ଷଣ ନଜର ରଖାଯିବା ସହ ମଣ୍ଡିରୁ ମିଲକୁ ଯାଉଥିବା ଧାନ ଗୁଡିକ ଉପରେ ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ରଖିବା ପାଇଁ କୁହାଯାଇଛି।

Comments are closed.