Latest Odisha News

BREAKING NEWS

୨୦୫୦ ସୁଦ୍ଧା ବିଶ୍ୱର ୭୦ ପ୍ରତିଶତ ଲୋକ ମାନସିକ ସ୍ତରରେ ଅସୁସ୍ଥ ହୋଇପଡ଼ିବେ : ବିଶେଷଜ୍ଞ

ଭୁବନେଶ୍ୱର: ପ୍ରଯୁକ୍ତି କ୍ଷେତ୍ରରେ ଅଗ୍ରଗତି ଓ ବିଜ୍ଞାନର ଉନ୍ନତି ସାଧିତ ହେଉଥିବା ବେଳେ ମଣିଷ ଶରୀର ଓ ମନର ଅଧୋଗତି ହେବାରେ ଲାଗିଛି । ୨୦୫୦ ସୁଦ୍ଧା ବିଶ୍ୱର ୭୦ ପ୍ରତିଶତ ଜନସଂଖ୍ୟା ମାନସିକ ସ୍ତରରେ ଅସୁସ୍ଥ ହୋଇପଡ଼ିବେ । ଏଥିରୁ ଭାରତ ଓ ଓଡ଼ିଶାର ଜନସାଧାରଣ ମଧ୍ୟ ବାଦ ପଡ଼ିବେ ନାହିଁ ବୋଲି ଆଶଙ୍କା କରାଯାଉଛି । କୋ÷ଣସି ଡାକ୍ତର କିମ୍ବା ଚିକିତ୍ସା ବିଶେଷଜ୍ଞ ନୁହଁନ୍ତି ବରଂ ଜଣେ ପ୍ରଯୁକ୍ତି ବିଦ୍ୟା ବିଶେଷଜ୍ଞ ଏଭଳି ଆଶଙ୍କା କରିଛନ୍ତି । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ବିଶ୍ୱବିଦ୍ୟାଳୟର କ୍ଲାଉଡ୍ କମ୍ପ୍ୟୁଟିଙ୍ଗ୍ ଆଣ୍ଡ ଡିଷ୍ଟ୍ରିବ୍ୟୁଟେଡ୍ ସିଷ୍ଟମ ଲ୍ୟାବ୍ର ନିର୍ଦ୍ଦେଶକ ପ୍ରଫେସର ରାଜକୁମାର ବୁୟା ଏନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ।

ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ) ଅନ୍ତର୍ଗତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ଅଧିନସ୍ଥ କମ୍ପ୍ୟୁଟର୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ “ଇଂଟେଲିଜେଂଟ ଆଣ୍ଡ କ୍ଲାଉଡ଼ କମ୍ପ୍ୟୁଟିଙ୍ଗ’ (ଆଇସିଆଇସିସି-୨୦୧୯) ଶୀର୍ଷକ ଦୁଇ ଦିନିଆ ଆନ୍ତିର୍ଜାତିକ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ବୁୟା କହିଛନ୍ତି ଯେ ପ୍ର୍ରଯୁକ୍ତି ବିଦ୍ୟା ବର୍ତମାନ ମଣିଷ ଜୀବନରେ ବେଶ ସୁଦୃଢ଼ ଭାବରେ ଜଡ଼ିତ ହେବାରେ ଲାଗିଛି । ସୋସିଆଲ୍ ମିଡିଆ ବ୍ୟବହାର ବିନା ବଂଚିବା ଅସମ୍ଭବ ହୋଇପଡ଼ୁଛି । କିନ୍ତୁ ଏହା ଦ୍ୱାରା ମାନସିକ ସ୍ତରରେ ମଣିଷର କ୍ଷତି ଘଟୁଛି । ତେଣୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସହିତ ମଣିଷ ଆଧ୍ୟାତ୍ମିକ ଦିଗରେ ମଧ୍ୟ ମନୋନିବେଶ କରିବା ଉଚିତ ବୋଲି ସେ କହିଥିଲେ ।

ସେହିପରି ଭାରତରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବେଶ ଉନ୍ନତି ହୋଇଥିବା ବେଳେ ଆନ୍ତର୍ଜାତିକ ସ୍ତରରେ ବିଭିନ୍ନ କମ୍ପାନୀ ଏବଂ ବ୍ୟାଙ୍କ ଭାରତ ଆସି ନିଜର କାୟା ବିସ୍ତାର କରିବାରେ ଲାଗିଛନ୍ତି । ଭାରତୀୟ ବଜାର ବର୍ତମାନ ବୃହତମ ସଫ୍ଟୱେୟାର ମାର୍କେଟର ସ୍ଥାନ ପାଇଛି । ୨୦ ବର୍ଷ ତଳେ ଭାରତୀୟ ଛାତ୍ରଛାତ୍ରୀମାନେ ଶିକ୍ଷା ଶେଷ କରିବା ପରେ ବିଦେଶକୁ ଚାକିରି ପାଇଁ ଯାଉଥିଲେ । ଏବେ କିନ୍ତୁ ଚିତ୍ର ବଦଳିଛି । ଏବେ ଭାରତୀୟ ଛାତ୍ରଛାତ୍ରୀ ନିଜ ଦେଶରେ ହିଁ ନିଜ କ୍ୟାରିୟର ଗଢ଼ିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ପ୍ରଫେସର ବୁୟା ।

ଇଂଟରନେଟ୍ ଅଫ୍ ଥିଙ୍ଗସ, ଇଂଟେଲିଜେଂଟ କମ୍ପ୍ୟୁଟିଙ୍ଗ, କ୍ଲାଉଡ୍ କମ୍ପ୍ୟୁଟିଙ୍ଗ ଏବଂ ଆନାଲିଟିକ୍ସ ମିଳିତ ଭାବେ ଅନେକ କାର୍ଯ୍ୟକୁ ସଫଳ କରିପାରିବ । ଭୁବନେଶ୍ୱର ଭଳି ସ୍ମାର୍ଟ ସିଟିର ଉଦାହରଣ ଦେଇ ପ୍ରଫେସର ବୁୟା କହିଥିଲେ ଯେ ପ୍ରଯୁକ୍ତି କ୍ଷେତ୍ରରେ ଏହି ସବୁ ପଦ୍ଧତି ଏକତ୍ରିତ ହେଲେ ସ୍ମାର୍ଟ ସିଟି, ସ୍ମାର୍ଟ ଟ୍ରାନ୍ସପୋର୍ଟ ଏବଂ ସ୍ମାର୍ଟ ଏଗ୍ରିକଲଚର ଦିଗରେ ଉନ୍ନତି ହୋଇପାରିବ ।

କାର୍ଯ୍ୟକ୍ରମରେ ସୋଆ ଉପଦେଷ୍ଟା ବୋର୍ଡର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଯୋଗ ଦେଇ ଚତୁର୍ଥ ଇଣ୍ଡଷ୍ଟ୍ରିଆଲ୍ ରିଭୋଲ୍ୟୁସନ୍ ଇଣ୍ଡଷ୍ଟ୍ରି ୪.୦ ସମ୍ପର୍କରେ ମତ ବ୍ୟକ୍ତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଆଇସିଆଇସିସି-୨୦୧୯ର ଇଂଟରନ୍ୟାସ୍ନାଲ୍ ଆଡଭାଇଜରି ଚେୟାର ପ୍ରଫେସର ଶ୍ରୀକାନ୍ତ ପଟ୍ଟନାୟକ, ସୋଆର ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଂଟ ର ଡିନ୍ ପ୍ରଫେସର ପି.କେ. ନନ୍ଦ ପ୍ରମୁଖ ମତ ରଖିଥିଲେ ।

ଆଇଟିଇଆର୍ର କମ୍ପ୍ୟୁଟର୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ତଥା ଆଇସିଆଇସିସି-୨୦୧୯ର ଅର୍ଗାନାଇଜିଂ ଚେୟାର ପ୍ରଫେସର ଦେବାହୁତି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.