Latest Odisha News

BREAKING NEWS

ଅନ୍ତର୍ଜାତୀୟ ମାତୃଭାଷା ଦିବସ: ଜାଣନ୍ତୁ କାହିଁକି ପାଳନ ହୁଏ? କ’ଣ ରହିଛି ଏହା ପଛର ଇତିହାସ….

ଭୁବନେଶ୍ବର: ଫେବୃୟାରୀ ୨୧ ଅର୍ଥାତ୍ ଆଜି ହେଉଛି ଅନ୍ତର୍ଜାତୀୟ ମାତୃଭାଷା ଦିବସ । ବିଶ୍ୱରେ ଭାଷା ଏବଂ ସଂସ୍କୃତିର ବିବିଧତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି । ୟୁନେସ୍କୋ ପକ୍ଷରୁ ୧୭ ନଭେମ୍ବର ୧୯୯୯ ରେ ଏହି ଦିବସ ଘୋଷଣା କରିଥିଲା । ପରେ ୨୧ ଫେବୃୟାରୀ ୨୦୦୦ ମସିହାରେ ପ୍ରଥମେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଇଥିଲା ।

ଭାଷା ଆମ ସଂସ୍କୃତିର ରକ୍ଷକ । ଭାଷା ଦିବସ ପାଳନ କରାଯିବା ଦ୍ୱାରା ଭାଷାଗତ ବିବିଧତା ଓ ବହୁ ଭାଷୀ ଶିକ୍ଷାକୁ ସଶକ୍ତ କରିବା ସହ ଭାଷାଗତ ତଥା ସାଂସ୍କୃତିକ ପରମ୍ପରା ପ୍ରତି ସଚେତନତା ସୃଷ୍ଟି କରାଯାଇପାରୁଛି । ସ୍କୁଲ୍‌ ଗୁଡିକରେ ପିଲାମାନଙ୍କୁ ମାତୃଭାଷାରେ କହିବା ଓ ଲେଖିବାକୁ କୁହାଯାଏ । ‘ବିବିଧତା ମଧ୍ୟରେ ଏକତା’ ସିଦ୍ଧାନ୍ତକୁ ନେଇ ଭାରତ ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହାର ସମୃଦ୍ଧ ସାଂସ୍କୃତିକ ପରିବେଶ କ୍ଷେତ୍ରରେ ଭାଷାର ଭୂମିକା ରହିଛି । ଏଣୁ ଭାରତରେ ଏହି ଦିବସ ପାଳନ କରାଯିବାର ଢେର ଗୁରୁତ୍ୱ ଅଛି ।

ତେବେ ୧୯୫୨ ମସିହା ଫେବୃଆରୀ ୨୧ରେ ବଙ୍ଗାଳୀ ଭାଷକୁ ମାନ୍ୟତା ପ୍ରାପ୍ତ ହୋଇଥିଲା । ସେହି ସମୟରେ ପୂର୍ବ ପାକିସ୍ତାନ ବା ବର୍ତ୍ତମାନର ବାଂଲାଦେଶରେ ଏହି ଜନ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହି ଆନ୍ଦୋଳନରେ ଅନେକ ଲୋକ ପ୍ରାଣ ଜଳାଞ୍ଜଳୀ ଦେଇଥିଲେ । ସେମାନଙ୍କୁ ମନେ ରଖିବା ପାଇଁ ୟୁନିସ୍କୋ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରିବାକୁ ଯୋଜନା କରିଥିଲା ।

ବିଶ୍ୱରେ ଏହି ଦିବସ ବାଂଲାଦେଶରେ ନିଆରା ଢଙ୍ଗରେ ପାଳନ କରାଯାଏ। ଏହି ଦିବସରେ ଭାଷା ଆନ୍ଦୋଳନରେ ଶହୀଦ ହୋଇଥିବା ଶହୀଦ ସ୍ମାରକୀରେ ଫୁଲ ଅର୍ପଣ କରାଯିବା ସହ ଏହିଦିନିକୁ ଛୁଟି ଘୋଷଣା କରାଯାଇଥାଏ । ପ୍ୟାରିସ ୟୁନେସ୍କୋ ମୁଖ୍ୟାଳୟରେ ମଧ୍ୟ ପାଳନ କରାଯାଏ । ଭାଷାର କୌଣସି ସୀମା ନାହିଁ । ମାତୃଭାଷାର ସୁରକ୍ଷା କରି ଏହାକୁ ସମୃଦ୍ଧ କରାଯାଇପାରିଲେ ବିଶ୍ୱରେ ଶାନ୍ତି, ବିକାଶ ଓ ଏକତା ସହଜରେ ପ୍ରତିଷ୍ଠା ହୋଇପାରିବ।

 

ଏହି ଦିବସରେ ଟ୍ବିଟ୍ କରି ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଲେଖିଛନ୍ତି ଯେ, ଭାଷା ହିଁ ଭବିଷ୍ୟତ। ଓଡ଼ିଆ ଭାଷା ଆମ ସାହିତ୍ଯ, ସଂସ୍କୃତି, ଅସ୍ମିତାର ଅନନ୍ୟ ପରିଚୟ। ଭାରତୀୟ ଶାସ୍ତ୍ରୀୟ ଭାଷା ମଧ୍ୟରେ ଓଡ଼ିଆ ଭାଷାର ରହିଛି ସ୍ୱତନ୍ତ୍ରତା। ଆମ ଭାଷାର ସୁରକ୍ଷା ସହ ଏହାର ଗରିମା ଅକ୍ଷୁର୍ଣ୍ଣ ରଖିବାରେ ଆମ ସାରସ୍ଵତ ସାଧକମାନଙ୍କ ଅବଦାନ ଅତୁଳନୀୟ। ଆସନ୍ତୁ ଓଡ଼ିଆ ଭାଷାରେ ଭଲ ସାହିତ୍ଯ ସୃଷ୍ଟି ସହ ଏହାର ବହୁଳ ବ୍ୟବହାର ଏବଂ ପ୍ରଚାର ପ୍ରସାର ଦିଗରେ ଏକ ହୋଇ କାମ କରିବାକୁ ଅନ୍ତର୍ଜାତୀୟ ମାତୃଭାଷା ଦିବସରେ ସଂକଳ୍ପବଦ୍ଧ ହେବା ।

Leave A Reply

Your email address will not be published.