Latest Odisha News

BREAKING NEWS

କିନ୍‍ସରେ ଅନ୍ତର୍ଜାତୀୟ ନର୍ସ ଦିବସ ପାଳିତ

ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ନର୍ସିଂ ସାଇନ୍‌ସେସ୍ (କିନ୍‌ସ) ପକ୍ଷରୁ ଶୁକ୍ରବାର ଅନ୍ତର୍ଜାତୀୟ ନର୍ସ ଦିବସ ପାଳିତ ହୋଇଯାଇଛି । ଏଥିରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ସେବିକାଙ୍କ ମଧ୍ୟରେ ଦୟା ଓ କରୁଣା ମନୋଭାବ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଏହି ଅବସରରେ କାର୍ଯ୍ୟରତ ସେବିକା ଏବଂ ନର୍ସିଂ ଛାତ୍ରଛାତ୍ରୀଙ୍କୁ ନିଜ ବୃତ୍ତିରେ ନିଜର ଦକ୍ଷତା ବୃଦ୍ଧି କରିବାକୁ ସେ ପରାମର୍ଶ ଦେଇଥିଲେ ।

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଓ ବାସ୍ତବ କ୍ଷେତ୍ରରେ ଏହା ହେଉଛି ‘ଆର୍ଟ ଅଫ୍‍ ଗିଭିଂ’ । ନର୍ସମାନେ ରୋଗୀସେବା ମାଧ୍ୟମରେ ରୋଗୀକୁ ଖୁସି ପ୍ରଦାନ କରିବା ସହ ନିଜେ ମଧ୍ୟ ଆନନ୍ଦ ପାଇପାରିଥାନ୍ତି ବୋଲି ସେ କହିଥିଲେ । କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ସସ୍ମିତା ସାମନ୍ତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ନର୍ସିଂ ସାଇନ୍‌ସେସ୍ (କିନ୍‌ସ)ରେ ଶିକ୍ଷା ସହିତ ଅତ୍ୟାଧୁନିକ ଜ୍ଞାନ କୌଶଳ ଆଦି ଶିକ୍ଷା କରିବାର ଅନେକ ସୁଯୋଗ ରହିଛି ।

ନର୍ସିଂ ଛାତ୍ରଛାତ୍ରୀ ମାନେ ଏହାର ସଦୁପଯୋଗ କରିବା ଉଚିତ୍ ବୋଲି ସେ କହିଥିଲେ । ଉପକୁଳପତି ପ୍ରଫେସର ସିବିକେ ମହାନ୍ତି ନର୍ସଙ୍କ ପ୍ରମୁଖ ଭୂମିକା କଣ ତାହା ସେମାନେ ବୁଝିବା ଆବଶ୍ୟକ ବୋଲି କହିଥିଲେ । ଏହା ସହ ପ୍ରତ୍ୟେକ ନର୍ସ ନିଜ ନିଜର ଦକ୍ଷତା ବୃଦ୍ଧି କରିବା ଦରକାର ବୋଲି କହିଥିଲେ । କିମ୍‍ସ ମେଡିକାଲ ଅଧୀକ୍ଷକ ପ୍ରଫେସର ରାମ ଚନ୍ଦ୍ର ଦାସ କହିଲେ, ସ୍ୱାସ୍ଥ୍ୟସେବା ପାଇଁ ଡ଼ାକ୍ତର ଯେତିକି ଜରୁରୀ ଜଣେ ନର୍ସଙ୍କର ଭୂମିକା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ରୋଗୀଙ୍କୁ ନିଜ ସମ୍ପର୍କୀୟଙ୍କ ଭଳି ସେବା ପ୍ରଦାନ ନିମନ୍ତେ ଚେଷ୍ଟା କରିବାକୁ ସେ ପରାମର୍ଶ ଦେଇଥିଲେ । କିମ୍‌ସ ମେଡିକାଲ କଲେଜ ଅଧ୍ୟକ୍ଷ ଡା. ଅମ୍ବିକା ପ୍ରସାଦ ମହାନ୍ତି କହିଲେ, ଜଣେ ଡାକ୍ତର ରୋଗୀ ସହିତ ସବୁ ବେଳେ ରହିପାରନ୍ତି ନାହିଁ, କିନ୍ତୁ ନର୍ସମାନେ ସବୁବେଳେ ରୋଗୀର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଥାଆନ୍ତି ।

ନର୍ସମାନଙ୍କ ସେବାକୁ ସମ୍ମାନ ଜଣାଇ ପ୍ରତିବର୍ଷ ମଇ ମାସ ୧୨ ତାରିଖକୁ “ଅନ୍ତର୍ଜାତୀୟ ନର୍ସ ଦିବସ” ପାଳନ କରାଯାଏ । କିନ୍‌ସ ଅଧକ୍ଷା ନିୟତି ଦାସ, ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପାଧକ୍ଷା କଲ୍ୟାଣୀ ରଥ ଧନ୍ୟବାଦ ଦେଇଥିଲେ । ଏହି ଦିବସ ପାଳନ ଅବସରରେ ନର୍ସିଂ ବିଭାଗ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନେ ଶପଥ ଗ୍ରହଣ କରିଥିଲେ । ନର୍ସିଂ ବିଭାଗର ସ୍ୱତନ୍ତ୍ର ସ୍ମରଣିକା ‘କର’ ଉନ୍ମୋଚିତ ହୋଇଥିଲା । କାର୍ଯ୍ୟକ୍ରମରେ ନର୍ସିଂ ସୁପରିଟେଣ୍ଡଣ୍ଟ
ସୁଷମା ସାହୁ, ନର୍ସିଂ ସ୍କୁଲ୍‍ର ଛାତ୍ରଛାତ୍ରୀ ଓ କିମ୍‍ସ ମେଡିକାଲର ନର୍ସମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.