ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଫିଜିଓଥେରାପି ବିଭାଗ, ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଫିଜିଓଥେରାପି (ଆଇଏପି) ଉକ୍ରଳ ଶାଖା ଓ ଆଇଏପିର ମହିଳା ଶାଖା ପକ୍ଷରୁ ଆନ୍ତର୍ଜାତିକ ଫିଜିଓଥେରାପି ସମ୍ମିଳନୀ ଉଦଘାଟିତ ହୋଇଯାଇଛି। ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ କେବଳ ଔଷଧ ବା ଅସ୍ତ୍ରୋପଚାର ନୁହେଁ, ଫିଜିଓଥେରାପି ସେମାନଙ୍କୁ ସୁସ୍ଥ କରିବା ନିମନ୍ତେ ଏକ ବଡ଼ ମାଧ୍ୟମ ବୋଲି ଓଡ଼ିଶାର ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂର ଯୁଗ୍ମ ନିର୍ଦ୍ଦେଶକ ପ୍ରଫେସର ବ୍ରଜକିଶୋର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି।
ଏହି ଅବସରରେ ସମ୍ ହସ୍ପିଟାଲର ଫିଜିଓଥେରାପି ବିଭାଗ ରୋଗୀ ସେବା କ୍ଷେତ୍ରରେ ଅନେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରୁଛି ବୋଲି ସମ୍ମାନିତ ଅତିଥି ଭାବେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର କହିଥିଲେ ।
ସମ୍ ହସ୍ପିଟାଲରେ ପ୍ରାୟ ୨୫୦ ଆଇସିୟୁ ଶଯ୍ୟା ରହିଥିବା ବେଳେ ଅନେକ ହୃଦରୋଗ ଓ ଜଟିଳ ସମସ୍ୟା ଥିବା ରୋଗୀଙ୍କୁ ସୁସ୍ଥ କରିବାରେ ଫିଜିଓଥେରାପି ସହାୟକ ହେଉଛି ବୋଲି ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଥିଲେ। ଏହି ଚିକିତ୍ସାରେ ରୋଗୀଙ୍କ ଶରୀରକୁ କୌଣସି ରାସାୟନିକ ଦ୍ରବ୍ୟ ନ ଯାଇ ପ୍ରାକୃତିକ ଉପାୟରେ ଚିକିତ୍ସା କରାଯାଏ ବୋଲି ସେ କହିଛନ୍ତି।
ଏହି ଅବସରରେ ଏହି ସମ୍ମିଳନୀର ଅଧ୍ୟକ୍ଷା ତଥା ସମ୍ ହସ୍ପିଟାଲ୍ର ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ସ୍ତିତିପ୍ରଜ୍ଞା ଦଳବେହେରା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଗର୍ଭାବସ୍ଥାରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ସମସ୍ତଙ୍କ କ୍ଷେତ୍ରରେ ଫିଜିଓଥେରାପିର ଆବଶ୍ୟକତା ରହୁଛି ବୋଲି କହିଥିଲେ। ଶରୀରରେ ନ୍ୟୁରୋଲୋଜି ଓ ଅର୍ଥୋପେଡିକ୍ ସମସ୍ୟାଜନିତ ଯନ୍ତ୍ରଣା ହେଲେ ଫିଜିଓଥେରାପି ହିଁ ଉତ୍ତମ ମାଧ୍ୟମ ରୂପେ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ।
ଆୟୋଜିତ କାର୍ଯ୍ୟକ୍ରମରେ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଫିଜିଓଥେରାପିର ଜାତୀୟ ସଭାପତି ଡକ୍ଟର ସଞ୍ଜୀବ୍ ଝା ଓ କୋଷାଧ୍ୟକ୍ଷ ତଥା ଆଇଏପି ମହିଳା ଶାଖାର ସଭାନେତ୍ରୀ ଡକ୍ଟର ରୁଚି ଭାର୍ସନେ ଉପସ୍ଥିତ ଥିଲେ। ଶେଷରେ ଆଇଏପି ଉତ୍କଳ ଶାଖାର ସମ୍ପାଦକ ଭୁବନାନନ୍ଦ ପାଣି ଧନ୍ୟବାଦ ଅର୍ପଣ କରିଥିଲେ।