ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ସାରା ବିଶ୍ୱ ପାଳୁଛି ଯୋଗ ଦିବସ। କେବଳ ଭାରତ ନୁହେଁ ବରଂ ୟୁରୋପ, ଆମେରିକା, କାନାଡା, ଅଷ୍ଟ୍ରେଲିଆ ଇତ୍ୟାଦି ସବୁଠି ସ୍କୁଲରେ ଯୋଗ ଶିକ୍ଷା ଦିଆଯାଉଛି। ୧୧ ଡିସେମ୍ବର ୨୦୧୪ରେ, ଜାତିସଂଘ ୨୧ ଜୁନକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରିବା ପ୍ରସ୍ତାବକୁ ଅନୁମୋଦନ କରିଥିଲା। ୨୧ ଜୁନ୍ ଏଥିପାଇଁ ମଧ୍ୟ କାରଣ ଏହି ତାରିଖରେ ଦିନଟି ଉତ୍ତର ଗୋଲାର୍ଦ୍ଧରେ ସବୁଠାରୁ ଲମ୍ବା ହୋଇଥାଏ। ଯୋଗ ମଧ୍ୟ ଜୀବନକୁ ଦୀର୍ଘ କରିଥାଏ। ତେଣୁ, ବିଶ୍ୱ ସ୍ତରରେ ଯୋଗ ଦିବସ ପାଳନ କରିବା ପାଇଁ ୨୧ ଜୁନ୍ ତାରିଖ ସ୍ଥିର କରାଯାଇଥିଲା।
ଚଳିତ ବର୍ଷ ଯୋଗ ଦିବସର ବିଷୟବସ୍ତୁ ରହିଛି ‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’। ଯାହାକି ବିଶ୍ୱ କଲ୍ୟାଣ ପାଇଁ ଭାରତର ସାମଗ୍ରିକ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି। ସୁସ୍ଥ ଜୀବନ ପାଇଁ ଦରକାର ଯୋଗ। କେବଳ ଶରୀର ନୁହେଁ, ମାନସିକ ଶାନ୍ତି ଓ ଏକାଗ୍ରତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ସାରା ବିଶ୍ୱରେ ଯୋଗ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଆଜିର ଦିନକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଇଥାଏ । ସୁସ୍ଥ ଓ ଆରୋଗ୍ୟ ରହିବା ପାଇଁ ନିୟମିତ ଯୋଗ ଜରୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏହି ଦିନର ଶୁଭାରମ୍ଭ ହୋଇଥିଲା, ଯାହା ଏବେ ୧୧ ବର୍ଷରେ ପହଞ୍ଚିଛି।
ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶାଖାପାଟଣାରେ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ମୋଦିଙ୍କ ସହ ୩ ଲକ୍ଷରୁ ଅଧିକ ଲୋକ ଯୋଗ ଦେଇଛନ୍ତି। ବିଶାଖାପାଟଣାର ଆର୍. କେ. ବେଳାଭୂମିରୁ ଭୋଗପୁରମ ପର୍ଯ୍ୟନ୍ତ ୨୬ କିଲୋମିଟର ଦୀର୍ଘ ଉପକୂଳ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଯାଦବ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଉପସ୍ଥିତ ରହିଛନ୍ତି।
ସେହିପରି ଓଡିଶାରେ ଅନ୍ତର୍ଜାତୀୟ ଯୋଗ ଦିବସର ଆୟୋଜନ କରାଯାଇଛି। କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଯୋଗ ଦିବସ ପାଳନ ହୋଇଛି। ଯେଉଁଥିରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତାଙ୍କ ସହ ଅନ୍ୟାନ୍ୟ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥାଇ ଯୋଗ କରିଛନ୍ତି। କେବଳ ଭୁବନେଶ୍ବର ନୁହେଁ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅନ୍ତର୍ଜାତୀୟ ଯୋଗ ଦିବସ ଆୟୋଜିତ ହୋଇଛି।
Comments are closed.