ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତକୁ ଓଡ଼ିଆ ଭାଷାରେ ଲେଖିବା ସମୟରେ ଶ୍ରୀଧର ସ୍ୱାମୀ ବିରଚିତ “ଶ୍ରୀମଦ ଭାଗବତ ଭାବାର୍ଥ ବୋଧିନୀ” ଟୀକାର ବିଶେଷ ସାହାଯ୍ୟ ନେଇଥିଲେ। ଏହା ଏତେ ସାରଗର୍ଭକ ଥିଲା ଯେ ଶ୍ରୀ ଚୈତନ୍ୟ ମହାପ୍ରଭୁ କହିଥିଲେ “ଶ୍ରୀଧର ସ୍ୱାମୀ ପ୍ରସାଦେତେ ଭାଗବତ ଜାନି, ଜଗତ ଗୁରୁ ଶ୍ରୀଧର ସ୍ୱାମୀ ଗୁରୁ କରି ମାନି”। ଅର୍ଥାତ ଶ୍ରୀଧର ସ୍ୱାମୀଙ୍କ ଯୋଗୁଁ ଚୈତନ୍ୟ ଶ୍ରୀମଦ ଭାଗବତଙ୍କୁ ଠିକ ଭାବେ ବୁଝି ପାରିଲେ ଓ ଏଥିପାଇଁ ସେ ତାଙ୍କୁ ଗୁରୁ ପରି ମାନିଲେ।
କିନ୍ତୁ ସେହି ଶ୍ରୀଧର ସ୍ୱାମୀଙ୍କ ଶ୍ରୀମଦ ଭାଗବତ ଭାବାର୍ଥ ବୋଧିନୀ ଟୀକା ଅନୁସରଣରେ ଶ୍ରୀଜଗନ୍ନାଥ ଦାସ ଓଡ଼ିଆ ଭାଗବତ ରଚନା କରିଥିଲେ ମଧ୍ୟ ସେ ସମୟରେ ବ୍ରାହ୍ମଣ ମାନେ ଏହାର ଘୋର ବିରୋଧି ଥିଲେ ଏହାକୁ ନାପସନ୍ଦ କରିବା ସହିତ ଏହା ଜଣେ ବ୍ରାହ୍ମଣ (ଶ୍ରୀଜଗନ୍ନାଥ ଦାସ )କୃତ ହୋଇଥିଲେ ବି ଏହାକୁ ତେଲି ଭାଗବତ ବୋଲି କହୁଥିଲେ। ଅବଶ୍ୟ ଏହା ପଛରେ ଏକ ସୁନ୍ଦର କିମ୍ବଦନ୍ତୀ ଅଛି କୁହାଯାଏ ଶ୍ରୀଜଗନ୍ନାଥ ଦାସ ଓଡ଼ିଆ ଭାଗବତ ରଚନା କରିସାରି ଏହାକୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରିଥିଲେ ଓ ଶ୍ରୀଜଗନ୍ନାଥଙ୍କ ଠାରୁ ସ୍ବପ୍ନ ପ୍ରାପ୍ତ ହେଲେ ଯେ ତାଙ୍କର ପ୍ରିୟ ଭକ୍ତ ମନାଇ ସାହୁଙ୍କୁ ଏହା ପ୍ରଦାନ କରାଯାଉ। ସେ (ମନାଇ ସାହୁ ) ଏହାକୁ ପଢି କିଛି ସଂସ୍କାର ବା ସଂଶୋଧନ କରିବା ପରେ ଏହାକୁ ସାଧାରଣରେ ପ୍ରଚାର କରାଯାଉ।
ମନାଇ ସାହୁ ଏହି ପୁରୀ ଜିଲ୍ଲାର କାଣ୍ଡଗୋଦା ଗ୍ରାମ ବାସିନ୍ଦା ଥିଲେ। ପ୍ରଥମେ ଶ୍ରୀଜଗନ୍ନାଥ ଦାସ ତାଙ୍କୁ ଖୋଜି ପାଇବା ପରେ ତାଙ୍କ ଚେହେରା ଓ ବେଶଭୁଷା ଦେଖି ଶ୍ରୀମଦ ଭାଗବତ ଗ୍ରନ୍ଥ ତାଙ୍କୁ ନଦେଇ ଫେରି ଆସିଲେ। ତାଙ୍କ ମନରେ ସନ୍ଦେହ ଜାଗିଲା ଏପରି ଜଣେ ସାଧାରଣ ମଣିଷ ପୁଣି ଯେକି ଜାତିରେ ତେଲି ସେ କଣ ଏହି ଅମୂଲ୍ୟ ଗ୍ରନ୍ଥକୁ ସଂସ୍କାର କରି ପାରିବେ? କିନ୍ତୁ ଭଗବାନଙ୍କ ଇଚ୍ଛାକୁ କିଏ ବା ଟାଳି ପାରିବ, ତେଣୁ ପୁଣି ଶ୍ରୀଜଗନ୍ନାଥ ଦାସଙ୍କୁ ସ୍ବପ୍ନ ଆଦେଶ ହେଲା ଓ ସେ ନିଃସଙ୍କୋଚରେ ଭକ୍ତ ମନାଇ ସାହୁଙ୍କୁ ତାଙ୍କ ରଚନା ପ୍ରଦାନ କଲେ ଓ ଏହାକୁ ପଢି ଆବଶ୍ୟକ ସଂଶୋଧନ କରିବା ପାଇଁ ଅନୁରୋଧ କଲେ।
ମନାଇ ସାହୁ ଜଗନ୍ନାଥ ଦାସ କୃତ ଶ୍ରୀମଦ ଭାଗବତ ଆମୂଳଚୁଳ ପାଠ କଲେ ଓ ଆବଶ୍ୟକ ସ୍ଥଳେ କିଛି ପରିବର୍ତ୍ତନ କରିବା ପାଇଁ ପରାମର୍ଶ ବି ଦେଲେ। ଶ୍ରୀଜଗନ୍ନାଥ ଦାସ ମଧ୍ୟ ଏହାକୁ ମହାପ୍ରଭୁ ଜଗନ୍ନାଥଙ୍କ ଆଦେଶ ଭାବି ସମସ୍ତ ଉପଦେଶ ଗ୍ରହଣ କରି ଶ୍ରୀମଦ ଭାଗବତରେ ଆବଶ୍ୟକୀୟ ପରିବର୍ତ୍ତନ କଲେ। ଏହି ବିଷୟ ସେତେବେଳେ ବ୍ରାହ୍ମଣ ମାନେ ଜାଣିପାରି, ମନାଇ ସାହୁ ଜାତିରେ ତେଲି ଥିବାରୁ ଓ ତାଙ୍କ ଦ୍ୱାରା ସଂଶୋଧିତ ହୋଇ ଥିବାରୁ ଏହାକୁ ତେଲି ଭାଗବତ ବୋଲି ନାମ ଦେଲେ। କିନ୍ତୁ ଶ୍ରୀ ଜଗନ୍ନାଥ ଦାସ ଜାଣିଲେ ଯେ ଯଦି ମନାଇ ସାହୁଙ୍କ ପରି ଜଣେ ସାଧାରଣ ମଣିଷ, ଯାହାଙ୍କୁ ସଂସ୍କୃତ ଭାଷା ବି ଜଣା ନାହିଁ ସେ ଯଦି ଶ୍ରୀମଦ ଭାଗବତକୁ ପଢି ବୁଝି ଏହାର ସଂଶୋଧନ କରିପାରିଲେ ତେବେ ନିଶ୍ଚୟ ଏହା ଜନସାଧାରଣରେ ଆଦୃତ ହେବ।
ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-73-vaishnavism-has-been-applied-to-the-vedaa-by-combining-jainism-and-buddhism/
ଏହାପରେ ସେ ଏହାକୁ ଜନସାଧାରଣଙ୍କ ସମ୍ମୁଖରେ ସୁନ୍ଦର ସ୍ୱରରେ ଗାନ କରି ବ୍ୟାଖ୍ୟା କରିବାକୁ ଲାଗିଲେ ଓ ଓଡ଼ିଶାର ପୁର ପଲ୍ଲୀରେ ଏହାର ଆଦର ହେବାକୁ ଲାଗିଲା। କାରଣ ଏହାର ସରଳତା, ପ୍ରାଞ୍ଜଳତା ଓ ପ୍ରମାଣିକତା ପରୀକ୍ଷା ହୋଇ ସାରିଥିଲା ଶ୍ରୀଜଗନ୍ନାଥଙ୍କ ଆଦେଶରେ ଭକ୍ତ ମନାଇଙ୍କ ଦ୍ୱାରା। ଉତ୍କଳମଣି ଗୋପବନ୍ଧୁ ଦାସ ତେଣୁ ଶ୍ରୀଜଗନ୍ନାଥ ଦାସଙ୍କୁ ଉତ୍କଳର ବ୍ୟାସ ଭାବେ ଓ ବିଷ୍ଣୁଙ୍କ ଅବତାର ଭାବେ ବର୍ଣ୍ଣନା କରି ଲେଖିଛନ୍ତି
“ଉତ୍କଳର ବ୍ୟାସ ଜଗନ୍ନାଥ ଦାସ
ବିଷ୍ଣୁ ଅଂଶେ ଅବତାର।
ଭକତ ପ୍ରଧାନ ଗୂଢ଼ ଦିବ୍ୟ ଜ୍ଞାନ
କଲ ସୁଦେଶ ପ୍ରଚାର।।”
ଆସନ୍ତୁ ସେହି ଉତ୍କଳର ବ୍ୟାସଙ୍କୁ ନମସ୍କାର କରିବା, ଶ୍ରୀମଦ ଭାଗବତଙ୍କୁ ପ୍ରଣାମ ଜଣାଇ ହୃଦୟେ ସ୍ଥାନ ଦେବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.