Latest Odisha News

BREAKING NEWS

ସ୍ୱାଭାବିକ ଅବସ୍ଥାକୁ ଫେରୁଛି କାଶ୍ମୀର, ଇଣ୍ଟରନେଟ୍ ଓ ଫୋନସେବା ଆଂଶିକ କାର୍ଯ୍ୟକ୍ଷମ

ଶ୍ରୀନଗର: ଦୀର୍ଘ ୫ଦିନ ବ୍ୟାପୀ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଥିବା ସମଗ୍ର ଜମ୍ମୁ ଓ କାଶ୍ମୀର ଆଜି କିଛି ମାତ୍ରାରେ ସ୍ୱାଭାବିକ ଅବସ୍ଥାକୁ ଫେରିଛି । ସୁରକ୍ଷାକର୍ମୀଙ୍କ ନଜରରେ ପ୍ରତି ମୂହୁର୍ତ୍ତ କାଶ୍ମୀର ଉପତ୍ୟକା ଗତ କିଛି ଦିନ ଅଣନିଶ୍ୱାସୀ ହୋଇପଡ଼ିଥିବା ବେଳେ ଆଜି ଫୋନ ଏବଂ ଇଣ୍ଟରନେଟ୍ ସେବାକୁ କୋହଳ କରାଯାଇଛି । ଏହାଫଳରେ କାଶ୍ମୀରର ଆଂଶିକ ଭାଗରେ ଇଣ୍ଟରନେଟ୍ ଓ ଫୋନ ନେଟୱର୍କ କାର୍ଯ୍ୟକ୍ଷମ ହୋଇପାରିଛି ।

ଆଜି କାଶ୍ମୀରରେ କିଛି ଭାଗରେ ସ୍କୁଲ ଓ କଲେଜ ମଧ୍ୟ ଖୋଲିଛି । ବର୍ତ୍ତମାନ ମଧ୍ୟ ଅଧିକାଂଶ ସ୍ଥାନମାନଙ୍କରେ ୧୪୪ ଧାରା ଲାଗୁ ରହିଛି । ଆଜି ଲୋକମାନେ ଘରୁ ବାହାରି ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକୁ ବଜାରରୁ କିଣାକିଣି କରିଛନ୍ତି । ନିରାପତ୍ତା ବ୍ୟବସ୍ଥା କୋହଳ ହେବାମାତ୍ରେ ବଜାରଘାଟ ସମେତ ବିଭିନ୍ନ ବସଷ୍ଟାଣ୍ଡ ଜନପୂର୍ଣ୍ଣ ହୋଇପଡ଼ିଥିଲା ।

ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତି ଉଦ୍ଦେଶ୍ୟରେ ଉଦବୋଧନ ଦେଇ କାଶ୍ମୀରରେ ପୁନର୍ବାର ଶାନ୍ତି ଫେରିଆସିବାର ଆଶ୍ୱାସନା ଦେଇଥିଲେ । ଧାରା ୩୭୦ ଉଚ୍ଛେଦ ହେବାପରେ ଉପତ୍ୟକାରେ ବିକାଶ କାର୍ଯ୍ୟ ହୋଇପାରିବ ତଥା ଆତଙ୍କବାଦ ଲୋପପାଇବା ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।

ଏପରିକି ଆସନ୍ତା ସୋମବାର ଦିନ ଇଦ-ଉଲ-ଆଧା ପଡୁଥିବା ବେଳେ ଏଥିରେ ପାଳନ କରିବାରେ ଯେପରି କୌଣସି ସମସ୍ୟା ସୃଷ୍ଟି ନ’ହୁଏ ସେଥିଲାଗି ସରକାରଙ୍କ ପକ୍ଷରୁ ଆଶ୍ୱାସନା ପ୍ରଦାନ କରାଯାଇଛି ।
ମାତ୍ର ଶୁକ୍ରବାର ଦିନ ଶ୍ରୀନଗରସ୍ଥିତ ଜମ୍ମା ମସଜିଦର ମୁଖ୍ୟ ଫାଟକ ବନ୍ଦ ରହିଥିଲା, ସହରର ମୁଖ୍ୟ ମସଜିଦରେ ପ୍ରାର୍ଥନା ହେବାର କୌଣସି ସମ୍ଭାବନା ନଥିବାର ସୂଚନା ମିଳିଥିଲା । ମାତ୍ର ସୂଚନାନୁଯାୟୀ ସହରର ଛୋଟ ଛୋଟ ଅଧିକାଂଶ ମସଜିଦରେ ଶୁକ୍ରବାର ପ୍ରାର୍ଥନା ହୋଇଥିବାର ଜଣାପଡ଼ିଛି ।

ଏବେ ବିଭିନ୍ନ ସ୍ଥାନରେ ଅନେକ କଟକଣା ରହିଥିଲେ ମଧ୍ୟ ଶୁକ୍ରବାର ସମୂହ ପ୍ରାର୍ଥନାରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହେବନାହିଁ ବୋଲି ଜଣାପଡ଼ିଛି ।
ନ୍ୟାସନାଲ୍ ସିକ୍ୟୁରିଟି ଉପଦେଷ୍ଟା ଅଜିତ ଡୋଭାଲ୍ ଶୁକ୍ରବାର ଦିନ ଶ୍ରୀନଗର ଗସ୍ତ କରିବା ପରେ ପରିସ୍ଥିତିରେ ଅଧିକ ସୁଧାର ଆସିପାରିଛି ।

Leave A Reply

Your email address will not be published.