ମାଲକାନଗିରି: ମାଲକାନଗିରିରେ ଆଉ ୨୪ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା । ଏମ୍ଭି ୨୬ ଓ ରାଖେଲଗୁଡ଼ା ଗାଁ ବିବାଦକୁ ନେଇ ପ୍ରଶାସନର ନିଷ୍ପତ୍ତି । ଏହାକୁ ମିଶାଇ ମୋଟ୍ ପଞ୍ଚମ ଥର ପାଇଁ ବଢ଼ିଲା ଇଣ୍ଟରନେଟ୍ କଟକଣା । ଆସନ୍ତାକାଲି (ଶନିବାର) ମଧ୍ୟରାତ୍ର ୧୨ଟା ଯାଏଁ ଇଣ୍ଟରନେଟ୍ କଟକଣା ବୃଦ୍ଧି ହୋଇଛି ।
ବର୍ତ୍ତମାନର ସମ୍ବେଦନଶୀଳ ପରିସ୍ଥିତି ଏବଂ ଗୁଜବ ପ୍ରସାରଣର ଆଶଙ୍କାକୁ ନେଇ ଜିଲ୍ଲା ପ୍ରଶାସନ ଏପରି ନିସ୍ପତ୍ତି ନିଆଯାଇଛି ବୋଲି ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ସୂଚନା ଦେଇଛନ୍ତି।
ସେପଟେ, ମାଲକାନଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ବିଭିନ୍ନ ଦିଗକୁ ତର୍ଜମା କରି ଫେରିବା ପରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ । ରାଜସ୍ୱ ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ ଚାଲିଛି। ଟିପିଏସଓଡିଏଲ ର କର୍ମଚାରୀ ଅହରହ ଦିନରାତି ଉପସ୍ଥିତ ରହି ବିଦ୍ୟୁତ୍ ସଂଯୋଗୀକରଣ କାର୍ଯ୍ୟ କରୁଛନ୍ତି ।
ସୂଚନାଥାଉକି, ମାଲକାନଗିରି ଜିଲ୍ଲା ଏମ୍ଭି-୨୬ ଓ ରାଖାଲଗୁଡା ଗାଁରେ ବର୍ତ୍ତମାନ ସୁଦ୍ଧା ବିଏନ୍ଏସ୍ ୧୬୩ ଲାଗୁ ରହିଛି । ୩ଟି ପଞ୍ଚାୟତରେ ୨୩କମ୍ପାନୀ ଫୋର୍ସ ମୁତୟନ କରାଯାଇଛି । ଘଟଣାସ୍ଥଳ ସହିତ ୯ଟି ଗ୍ରାମରେ ୧୬୩ଧାରା ବଳ ବତ୍ତର ରହିବା ସହ ସମଗ୍ର ଜିଲ୍ଲାରେ ୩୦ପୁଲିସ ଆକ୍ଟ ଲାଗୁ କରାଯାଇଛି । ୧୦ଟି କମ୍ପାନୀ ବିଏସଏଫ, ୫କମ୍ପାନୀ ସିଆରପିଏଫ, ୩କମ୍ପାନୀ ଓଏସଏପି, ୩କମ୍ପାନୀ ଏପିଆର, ୧କମ୍ପାନୀ ଆଇଆରବି ଯବାନ, ୧ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସଙ୍କୁ ଶାନ୍ତିଶୃଙ୍ଖଳା ପ୍ରତିଷ୍ଠା ପାଇଁ ମୁତୟନ କରାଯାଇଛି ।
ସୂଚନାନୁସାରେ, ଜଣେ ମହିଳାଙ୍କ ମୁଣ୍ତ ବିହୀନ ଶରୀରର ମିଳିବା ପରେ, ମାଲକାନଗିରି ଜିଲ୍ଲାର MV-26 ଏବଂ ରାଖେଲଗୁଡ଼ା ଗାଁରେ ହିଂସା ଦେଖାଦେଇଥିଲା।