Latest Odisha News

ପୁଣି ଅଶାନ୍ତ ମଣିପୁର, ୫ଦିନ ଯାଏଁ ଇଣ୍ଟରନେଟ ସେବା ବନ୍ଦ

ନୂଆଦିଲ୍ଲୀ: ପୁଣି ଅଶାନ୍ତ ମଣିପୁର । ୫ଦିନ ପାଇଁ ଇଣ୍ଟରନେଟ ସେବା ବନ୍ଦ । ସେପ୍ଟେମ୍ବର ୧୫ ଯାଏ ଅଞ୍ଚଳରେ ଇଣ୍ଟରନେଟ ବନ୍ଦ ରହିବ ବୋଲି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଗତବର୍ଷ ମେ’ ୩ରୁ ଆରମ୍ଭ ହୋଇଥିବା ମଣିପୁର ହିଂସା ଥମିବାର ନାଁ ଧରୁନାହିଁ । ଏବେ ବି ଉତ୍ତରପୂର୍ବ ରାଜ୍ୟ ମଣିପୁରରେ ହିଂସା ଦେଖିବାକୁ ମିଳୁଛି । ମଣିପୁରରେ ହିଂସା ସମେତ ଛାତ୍ର ଆନ୍ଦୋଳନ ମଧ୍ୟ ତୀବ୍ର ରୂପ ଧାରଣ କରିଛି ।

ଆଜି ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ନିର୍ଦ୍ଦେଶରେ କୁହାଯାଇଛି ଯେ, ସୋସିଆଲ୍ ମିଡିଆ ଏବଂ ମ୍ୟାସେଜିଂ ସେବା ଜରିଆରେ ଘୃଣା ସୃଷ୍ଟିକାରୀ ସନ୍ଦେଶ ଏବଂ ଫଟୋ ପ୍ରସାରଣ ରାଜ୍ୟରେ ଶାନ୍ତି ଏବଂ ସଦଭାବନା ପାଇଁ ବିପଦ ହୋଇପାରେ । ତେଣୁ ସ୍ଥିତିକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ସେବାକୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଏଥିସହ ସମସ୍ତ ସ୍କୁଲ ଏବଂ କଲେଜକୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୬ରେ ବିଷ୍ଣୁପୁର ଜିଲ୍ଲାରେ ଥିବା ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ଆରପିଜି ଆକ୍ରମଣ ହୋଇଥିଲା । ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ପୂଜା କରୁଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ପୁଣି ଥରେ ଅଶାନ୍ତ ହୋଇଉଠିଥିଲା ମଣିପୁର । ହିଂସାରେ ଏଯାବତ୍ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଗୁରୁତର ହୋଇଛନ୍ତି ।

 

Comments are closed.