Latest Odisha News

BREAKING NEWS

ସତେ ଯେପରି କବିକୁ କଲବଲ କରିବା ଛଡ଼ା କବିତାର ଆଉ କିଛି କାମ ନାହିଁ: ଦୁର୍ଗାପ୍ରସାଦ ପଣ୍ଡା

ସମକାଳର ଅନ୍ୟତମ ପ୍ରବୀଣ କବି ଦୁର୍ଗାପ୍ରସାଦ ପଣ୍ଡାଙ୍କର ଆଜି ଜନ୍ମଦିନ । ‘ନିଆଁ ଭିତରେ ହାତ’, ‘ପୋଷ୍ଟକାର୍ଡ କବିତା’, ‘ରାତି ଆଉଟିକେ ଗାଢ଼ ହେଲେ’ ଭଳି କବିତା ସଂକଳନର ସ୍ରଷ୍ଟା ଭାବେ ସୁପରିଚିତ ଦୁର୍ଗାପ୍ରସାଦ ଅନୁବାଦ ଓ ଇଂରାଜୀ ରଚନା ପାଇଁ ମଧ୍ୟ ଚର୍ଚ୍ଚିତ । ଏହି ଅବସରରେ ତାଙ୍କ ସହ ଅନ୍ତରଙ୍ଗ ଆଳାପ ଜମେଇଛନ୍ତି ସରୋଜ ବଳ

ସତେ ଯେପରି କବିକୁ କଲବଲ କରିବା ଛଡ଼ା କବିତାର ଆଉ କିଛି କାମ ନାହିଁ: ଦୁର୍ଗାପ୍ରସାଦ ପଣ୍ଡା

ଜୀବନ ତ ସାହିତ୍ୟକୁ ଗଢେ ବୋଲି ଆମେ ଜାଣୁ । କିନ୍ତୁ ସାହିତ୍ୟ ଜୀବନକୁ ଗଢେ କି?
ସାହିତ୍ୟ କେତେକେତେ ଜୀବନର ଗତିପଥକୁ ବଦଳେଇ ଦେଇଛି । ସର୍ଜନା ପ୍ରକ୍ରିୟାରେ, କବିତାର ଗଢ଼ଣ ପ୍ରକ୍ରିିୟାରେ କବି ନିଜେ ବି ହୁଏତ ନିଜ ଅଜାଣତରେ ଗଢ଼ି ହେଉଥାଏ, ହୁଏତ କିଛିଟା ମାର୍ଜିତ ହେଉଥାଏ, ଟିକେ ଉତ୍ତରିତ ହେଉଥାଏ ବୋଲି ବିଶ୍ୱାସ କରିବାକୁ ମୋର ବହୁତ ଇଚ୍ଛା । ଭାବିବସେ ଯେ କବିତା ଆମ ଚେତନାକୁ କେତେ ଉଦାର କରିଛି, ସଂକୀର୍ଣ୍ଣତାରୁ କେତେ ମୁକ୍ତ କରିଛି, ହୃଦୟକୁ କେତେ ଦୈର୍ଘ୍ୟ, ପ୍ରସ୍ଥ, ଉଚ୍ଚତା ଓ ଗଭୀରତା ଦେଇଛି? ଏ ମଞ୍ଜ ପ୍ରଶ୍ନ ପ୍ରଥମତଃ ମୋ ନିଜ ପାଇଁ, ଅନ୍ୟମାନଙ୍କ ପାଇଁ ବି!
ହୃଦୟ ନିର୍ମାଣ ସାହିତ୍ୟର ଧେୟ ହେଉ!

କବିତା କେତେବେଳେ ଓ କେମିତି ଆସେ ଆପଣଙ୍କ ପାଖକୁ । ଆପେଆପେ ଆସେ ନା ଆପଣ ଆବାହନ କରନ୍ତି କବିତାକୁ?
କବିତାକୁ ଡାକିଲେ ସେ ଶୁଣେନାଇଁ, ଫୁଲେଇ ହୁଏ, ଛରାଦିଏ; ମାୟାମୃଗ ଭଳି ଆକର୍ଷିନିଏ ମନଗହନର କେଉଁ ଅରମା ଜଂଗଲ ଭିତରକୁ, ପୁଣି ପଳେଇଯାଏ, ଉଭେଇଯାଏ । ଅଥଚ ମୁଣ୍ଡ ଉଠେଇବାକୁ ସୁଦ୍ଧା ବେଳ ନଥିବାବେଳେ ଆସି ପିଠିରେ ନାଉ ହୁଏ, ମୋ ଝିଅ ସ୍ତୁତି ଯେମିତି ମୋ ଦେହରେ ବିଲେଇଭଳି ଘସି ହୁଏ- ସ୍ନେହ ଓ ସମୟ ଦାବିକରେ । କବିତା ଏମିତି ଗୋଟେ ମନୋଇଝିଅ- ନା ଭଗେଇ ହୁଏ ନା ଆଲିଙ୍ଗି ହୁଏ! ସତେ ଯେପରି କବିକୁ କଲବଲ କରିବା ଛଡ଼ା କବିତାର ଆଉ କିଛି କାମ ନାହିଁ!
ସମୟ ହସୁଥିବାବେଳେ ହଉ କି କାନ୍ଦୁଥିଲାବେଳେ ହଉ- ତା ମସୃଣ ଗାଲ ଉପରେ ପଡ଼ୁଥିବା ଡିମ୍ପଲ ହେଉଚି କବିତା- ମୋ ଭଳି କବି ସେଇ ଭଉଁରିରେ ପଡ଼ି ଦହଗଞ୍ଜ ହୁଏ, ଘାଣ୍ଟିସାଉଟି ହୁଏ!

ନିଜ କବିତାର ମୂଲ୍ୟାୟନ କେମିତି କରିବେ? କେତେ ସନ୍ତୁଷ୍ଟ ନିଜ କବିତ୍ୱକୁ ନେଇ?
କବି ନିଜ କବିତାର ମୂଲ୍ୟାୟନ କରିବା ଉଚିତ ନୁହେଁ । ମୂଲ୍ୟାୟନ ପାଠକ/ ସମାଲୋଚକଙ୍କ ଦାୟିତ୍ୱ । ନିଜ ସୃଷ୍ଟିର ମୂଲ୍ୟାୟନ ଏକ ବିପଜ୍ଜନକ କ୍ଷେତ୍ର। ନିଜ ଲେଖାର ମୂଲ୍ୟାୟନରେ ବ୍ୟସ୍ତ ରହିଲେ କବି ହୁଏତ ଆଉ ଲେଖିପାରିବ ନାହିଁ । ତା’ପରେ କୌଣସି ମୂଲ୍ୟାୟନ ଶେଷକଥା ନୁହେଁ ।

କବିତାରେ ଯାହା କହିବାକୁ ଚାହିଥାନ୍ତି, କହିହୁଏ କି? ମୁଖ୍ୟତଃ କଣ କହିଥାନ୍ତି କବିତାରେ, ଯାହା ସମାଜରେ ଅନ୍ୟତ୍ର କୁହାଯାଇନଥାଏ ।
ପ୍ରେମଭଳି, ମୋର ପ୍ରତ୍ୟେକଟି କବିତା ଗୋଟେ ଗୋଟେ ଚମତ୍କାର ବିଫଳତା । ମୁଁ ଜାଣେ ‘ଶଦ୍ଦ’ର ଜାଲଫିଙ୍ଗି ‘ଭାବ’ର ସମୁଦ୍ରରେ ସବୁତକ ମାଛ ଧରିହେବନାହିଁ- ଅନେକ ସୁନ୍ଦର ସୁନ୍ଦର ମାଛ ଖସିଯିବେ । ସବୁ କଥା ଯାହା ଯେମିତି ଭାବରେ ଚାହୁଁଥିଲି କବିତାରେ କହିପାରିଚି ବୋଲି ଆସ୍ଫାଳନ କରିବି କାହିଁକି? କିଛି କଥା ଅକୁହା ଓ ଅବୁଝା ବି ରହୁ । ‘ଭାବ’ ପାଇଁ ଭୂମି ପ୍ରଶସ୍ତ ନ ହେଲେ ‘ଭାବ’ ଓହ୍ଲେଇନପାରି ଫେରିଯିବ ।
ସମକାଳରେ ମୋତେ ଲାଗେ ଯେ ଆମେ ସମସ୍ତେ ମୋଟାମୋଟି ଭାବରେ ସମାନ ସମାନ କଥା କହୁଚୁ- ଭିନ୍ନ ଭିନ୍ନ ଢଂଗରେ, ଅଲଗା ଅଲଗା ଠାଣିରେ । କବିତାରେ ଅନ୍ୟତ୍ର କୁହାଯାଇପାରିନଥିବା କଥାକୁ ମୁଁ କବିତାରେ କହିପାରିଚି ବୋଲି ଅଯଥା ଗର୍ବ ପାଳିବି କାହିଁକି? ତୋବା! ତୋବା!

କବିତା କବିକୁ କଣ ଦିଏ? ଯାହା ଦିଏ, ସତ୍ କବି ସେଥିରେ ସନ୍ତୁଷ୍ଟ କି?
କବିତାର ପ୍ରକୃତ ରସକୁ ପାଠକ ଚୋଷି ଖାଇଯାଏ । ‘ପ୍ରସିଦ୍ଧି/ ପ୍ରଶଂସା’ର ଚୋପା କି ଶୁଖିଲା ଟାକୁଆ କବି ହାତରେ ଧରେଇଦେଇ ଯାଏ । କବିତା ନେଇଯାଏ ରକ୍ତ, ସ୍ୱେଦ, ମାନସିକ ଶାନ୍ତି ଓ ସ୍ଥିରତା; ଦେଇଯାଏ ଅସ୍ଥିରତା ଓ ଉଦ୍‌ବେଳନ, ସାମୟିକ ହାଲୁକାପଣ; ଦିଏ କିଛି ଖୁଚୁରା ପ୍ରସିଦ୍ଧି, କିଛିଟା ଅହଂକାର ବି ଦିଏ, କିଛି ପ୍ରଶଂସା ଯାହା ହାତପାଦରେ ଡେଣା ଲଗାଇଦିଏ ଆଉ ବେଶି ଉଡ଼ିଲେ ଭୂଇଁରେ କଚାଡ଼ି ବି ଦିଏ ।
ପ୍ରସିଦ୍ଧି ଗୋଟେ ଓଜନିଆ ମୁକୁଟ ଯାହାକୁ ପନ୍ଦର ମିନିଟ ପାଇଁ ପିନ୍ଧିହୁଏ- ବେଶି ନୁହେଁ!
କବି ଗୋଟେ ଚିର ଅସନ୍ତୁଷ୍ଟ ଜୀବ- ଅସୁନ୍ତୁଷ୍ଟ ରହିବା ହିଁ କବିର ଅବଧାରିତ ଭାଗ୍ୟ ।

ଆଉ କିଛି କହିବେ?
ହଁ । କେଜାଣି କେମିତି ମୁଁ ମୋର ପ୍ରକୃତ ଯୋଗ୍ୟତାଠୁ ଢେର ଅଧିକ ପ୍ରେମ, ଆଦର, ଭଲପାଇବା ପାଇପାରିଚି । ଅନେକ ପାଠକ/କବି/ଅଗ୍ରଜ/ ବରେଣ୍ୟ କବିମାନଙ୍କ ଅଯାଚିତ ସ୍ନେହ ଓ ପ୍ରେମର ଆତିଶଯ୍ୟରେ ବେଳେବେଳେ ଅଣନିଃଶ୍ୱାସି ହେଇଯାଇଛି ମୁଁ । ସେମାନଙ୍କ ପ୍ରତି କୃତଜ୍ଞତାରେ ନତମସ୍ତକ ହେଇଯାଇଛି ମୁଁ ।
………………………………

ଦୁର୍ଗାପ୍ରସାଦ ପଣ୍ଡାଙ୍କର ଏକ କବିତା:

ଟ୍ରେନ୍‍ ଲାଇନ୍‍ ଉପରେ ପଡ଼ିଥିବା କେଇଖଣ୍ଡ ରୁଟି

ଆଖିକୁ ଦିଶୁନଥିବା ଗୋଟେ ପୋକ
ପୃଥିବୀକୁ ରଟ୍‍ରଟ୍‍ କାଟିଚାଲିଛି ।

ଭୟର ସୁଡ଼ଙ୍ଗ ଭିତରେ
ଏବେ ତ୍ରସ୍ତ ଜୀବନ ।

ରେଳଷ୍ଟେସନ୍‍ରେ ସବୁଦିନ
ଖୁଣ୍ଟ ପରି ଠିଆ ସେ ଭିକାରୀ
ଯାହା ତାଟିଆରେ କଏନ୍‍ଟେ ଫିଙ୍ଗିଦେଇ
ମୁଁ ଟରୋଟରୋ ଚାଲିଆସେ
ଏବେ ତା’ରି କଥା ମୁଁ ବେଶିବେଶି ଭାବୁଚି ।

ସେଦିନ କୋରାପୁଟରୁ ଫେରିବାବେଳେ
ଝାଡ଼ୁମାରିସାରି ହାତ ପତେଇଥିବା
ସେ ଫୁଙ୍ଗୁଳାଦେହୀ ଛୁଆଟିର
ଥମ୍‍ଥମ୍‍ ମୁହଁ ମୋତେ ବେଶି ଘାରୁଚି ।

ଚକ ଗଡ଼ିଲେ ଆମ ହାଣ୍ଡିରେ ଭାତ ଫୁଟେ
ବୋଲି କହିଥିଲା ଗୋଟେ ଅଟୋବାଲା
କହିଲାବେଳେ ଅନ୍ଧାରରେ
ଦାଉଦାଉ ଜଳୁଥିଲା ତାର ଆଖି ।

ପୃଥିବୀର ଛାତିରେ କାନ ଥାପିଲେ
ଅନେକ ମରଣର ପଦପାତ ଶୁଭୁଚି ।
ନିଜର ବିକ୍ଷିପ୍ତ ଅସ୍ତିତ୍ୱକୁ ସାଉଁଟି
ପିଠିରେ ଲଦି ଚାଲିଚାଲି ଫେରୁଚନ୍ତି
ଛାଲ ଉତୁରି ପଡ଼ିଥିବା ଅସଂଖ୍ୟ ପାଦ ।

ଉଦ୍‍ବାସ୍ତୁ ଜୀବନ
ଶିମିଳିତୁଳା ପରି ପବନରେ ଉଡ଼ୁଚି
ଅନେକଦିନ ହେଲାଣି
ଲାଜରେ ମୁଁ ଦର୍ପଣ ଦେଖିବା ଛାଡ଼ିଦେଇଚି ।

ଟ୍ରେନ୍‍ଲାଇନ୍‍ ଉପରେ ପଡ଼ିଥିବା
କେଇଖଣ୍ଡ ରୁଟି ଉପରେ ମୋତେ
ଗୋଟେ ଦେଶର ପୋଡ଼ାମୁହଁ ଇ ଦିଶୁଚି!
………………………………

Comments are closed.