Latest Odisha News

BREAKING NEWS

କ୍ଷତକୁ ଭରିଦେବାର ସାମର୍ଥ୍ୟ କବିତାର ଅଛି: ପ୍ରବାସିନୀ ମହାକୁଡ଼

ପ୍ରବାସିନୀ ମହାକୁଡ଼ ସମକାଳୀନ ଓଡ଼ିଆ କବିତାର ଅନ୍ୟତମ ସମୃୃଦ୍ଧ ସ୍ୱର । ୨୪ ନଭେମ୍ବର ୧୯୫୭ରେ କଳାହାଣ୍ଡି ଜିଲ୍ଲାର କୋକସରାଠାରେ ଜନ୍ମ । ମୁହୂର୍ତ୍ତ ମୁହୂର୍ତ୍ତ, ଆଧାରଶିଳା, ପରମା, ଧାଡ଼ିଏ ଶିମିଳି ଫୁଲ ଓ ଅନ୍ୟାନ୍ୟ କବିତା (ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ), ଜିପ୍ସୀ ଝିଅ, କେହିଜଣେ ଶୁଭାଙ୍ଗୀ, ନଭେମ୍ବର ମୋର ଜନ୍ମମାସ, କଥା କୁହ କବିତା, ନାଆଁର ଊର୍ଦ୍ଧ୍ଵରେ, ପ୍ରତିଥର ଶୋଷ, ଅପରାଜିତାର ଦିନରାତି ଆଦି କବିତା ସଂକଳନର ସ୍ରଷ୍ଟା ଭାବେ ସେ ସୁପରିଚିତା । ହିନ୍ଦୀରୁ ଅନେକ ପୁସ୍ତକ ସେ ଓଡ଼ିଆକୁ ଅନୁବାଦ କରିଛନ୍ତି । କେନ୍ଦ୍ର ସାହିତ୍ୟ ଏକାଡେମୀ, ଭାରତ ସରକାରଙ୍କ ସଂସ୍କୃତି ବିଭାଗ, ନ୍ୟାସନାଲ୍ ବୁକଟ୍ରଷ୍ଟ ଦ୍ୱାରା ନିମନ୍ତ୍ରିତ ହୋଇ ସେ ଦେଶ ବିଦେଶରେ ବହୁ ସ୍ଥାନରେ କବିତା ପାଠ କରିଛନ୍ତି । କବି ପ୍ରବାସିନୀ ମହାକୁଡ଼ଙ୍କ ସହ ସରୋଜ ବଳଙ୍କ ସଂକ୍ଷିପ୍ତ ଆଳାପ:

ଜୀବନର କୌଣସି କ୍ଷତକୁ ଭରିଦେବାର ସାମର୍ଥ୍ୟ କବିତାର ଅଛି:
ପ୍ରବାସିନୀ ମହାକୁଡ଼

କବିତା ଆପଣଙ୍କୁ କେମିତି ଖୋଜିପାଏ? ନା ଆପଣ ଖୋଜନ୍ତି ତାକୁ?
ମୁଁ ଯେତେବେଳେ ଲେଖୁନଥିଲି ସେତେବେଳେ ମୋ ଅଜାଣତରେ ମୋ ଚାରିପାଖରେ ଅସଂଖ୍ୟ କବିତା ଥିଲା ବିଭିନ୍ନ ପରିଭାଷାରେ । ଆମେ ପରସ୍ପରକୁ ଖୋଜୁ । କବିତା ତା’ ବାଟରେ, ମୁଁ ମୋ ବାଟରେ । କାହାକୁ, କିଛିକୁ ଆନ୍ତରିକତା ସହ ଖୋଜିଲେ ସିଏ ମିଳିଯାଏ ବୋଲି ମୋର ବିଶ୍ୱାସ । ଉଭୟେ ଉଭୟଙ୍କୁ ଏମିତି ଖୋଜିପାଉ । ସେ ଖୋଜିବାରେ ଚେଷ୍ଟା ଅପେକ୍ଷା ପରସ୍ପରକୁ ଚାହିଁବାର ନିଚ୍ଛକ ଚାହିଁବାପଣ ଥାଏ ।

କବିତାର କଣ ସେମିତି କିଛି ଔଷଧୀୟ ଗୁଣ ଅଛି, ଯାହା ଜୀବନର କୌଣସି କ୍ଷତକୁ ଭରିଦେଇପାରେ?
ହଁ, ଅଛି । ମୁଁ ଉଦାସ ହେଲେ ଭଲ କବିତା ପଢେ଼ । ଉଦାସୀନତା ବି ଗୋଟେ ପ୍ରକାରର ଗଭୀର କ୍ଷତ ନୁହେଁ କି? ପୂରା ନହେଲେ ବି କିଛିଟା ଭରିଦିଏ- ନିଜ ଅନୁଭୂତିରୁ ଜାଣିଛି । ମୋର ମନେହୁଏ ଭଲ କବିତାର ପ୍ରତିଟି ଧାଡ଼ିରେ ଥାଏ ଏକ ଅଦ୍ଭୁତ ଶକ୍ତି । ଔଷଧୀୟ କି ନୁହେଁ ସେ କଥା କହିପାରିବିନି । କିନ୍ତୁ ଜୀବନର କୌଣସି କ୍ଷତକୁ ଭରିଦେବାର ସାମର୍ଥ୍ୟ କବିତାର ଅଛି; କାରଣ କବିତା ଏକ ବୀଜ, ବୀଜମନ୍ତ୍ର ।

ନୂଆପିଢ଼ିର ଓଡ଼ିଆ କବିତା ସହ ନିଜକୁ ଠିକଭାବେ ଖାପ ଖୁଆଇ ପାରୁଛନ୍ତି ତ ପାଠିକା ଭାବେ?
ଜଣେ ପାଠିକା ହିସାବରେ ନିଜକୁ ନୂଆପିଢ଼ିର ଓଡ଼ିଆ କବିତା ସହ ଖାପ ଖୁଆଇଛି ବୋଲି ଭାବୁଛି । କାରଣ ମୁଁ କାଲିର ପୁରୁଣାପିଢ଼ିର କବିତା ସହ ଥିଲି । ଆଜିର ନୂଆପିଢ଼ି ଆସନ୍ତାକାଲି ପୁରୁଣାପିଢ଼ି ହେଇ ଯିବନି କି? ଜଣେ ପାଠିକା ପାଇଁ ପ୍ରାସଙ୍ଗିକତା ସବୁବେଳେ ମୁଖ୍ୟ କଥା।

କବିତାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଉପାଦାନଟି କଣ, ଆପଣଙ୍କ ମତରେ, ଯାହା ନଥିଲେ କବିତା ଅଗାଡ଼ି ହେଇଯାଏ?
କବିତାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଉପାଦାନକୁ ଗୋଟେ କଥାରେ କହିଲେ ଏମିତି ହେବ- ଅନୁଭୂତି, ଆବେଗ, ପ୍ରାସଙ୍ଗିକତା, ଶୈଳୀ, କବିତା ପ୍ରତି ନିଜର ବିଶ୍ୱସ୍ତପଣିଆ ଓ ବିଷୟବସ୍ତୁ ଚୟନର ଭୂମିକା ବିନା କବିତା ଅଗାଡ଼ି ।

ମନେହୁଏକି, ଦିନକୁଦିନ ଭିତର ଅପେକ୍ଷା ବାହାର କଥାରେ ବେଶି ମୁଣ୍ଡ ଖେଳାଉଛି କବିତା?
ସବୁକିଛି ଜଗତୀକରଣ ହେଇଗଲାପରେ କବିତା ବାହାର କଥାରେ ବେଳ ନହେଲେ ବି ମୁଣ୍ଡ କିଛିଟା ଖେଳଉଛି ନିଶ୍ଚୟ । କିନ୍ତୁ କବିତା ଏଥିପାଇଁ ଯେତେ ଦାୟୀ ନୁହେଁ, ତା ପରିବେଶ ଓ ତାକୁ ଲେଖୁଥିବା କବିଟି ହିଁ ବେଶି ଦାୟୀ ।

ଏମିତି ଦିନଟେ ବିତିଛି କି, ଯୋଉଦିନ କବିତା ଲେଖିନପାରିବାର ଦୁଃଖରେ ଖାଇବାକୁ ଇଚ୍ଛା ହେଇନି?
କବିତା ନଲେଖିପାରିବା ଦୁଃଖରେ ଖାଇନି- ମନେପଡ଼ୁନି । କିନ୍ତୁ ଦିନଦିନ ଧରି ଦୁଃଖୀ ରହିଛି ନିଶ୍ଚୟ ।

କବିତାର ହାତ ଧରି ଚାଲିବାବେଳେ ଗଳ୍ପ କି ଉପନ୍ୟାସମାନେ ଦୂରରେ ଥାଇ କେବେ ଆଖିମିଟିକା ମାରିନାହାନ୍ତି?
ଅନେକଥର ଆଖିମିଟିକା ମାରିଛନ୍ତି ନିଶ୍ଚୟ । ଖାଲି ମାରିନାହାନ୍ତି, ରାତିରାତି ଅନିଦ୍ରା ବି କରିଦେଇଛନ୍ତି । ଗଳ୍ପ ଉପନ୍ୟାସ ଦେଖି ପଢ଼ି ମନେହୁଏ ଏମିତି ଲେଖିପାରନ୍ତିକି? କିନ୍ତୁ ଅସୁବିଧା ଏଇଠି ଯେ ଘଣ୍ଟାଘଣ୍ଟା ଧରି ବସି ଲେଖିବାକୁ ମୋର ଧୈର୍ଯ୍ୟ କେବେ ବି ନଥିଲା ।

ଆପଣଙ୍କ କବିତାର ଆଇନାରେ ନିଜ ମୁହଁ କେତେ ଦିଶେ?
ମୋ କବିତାର ଆଇନାରେ ମୋ ମୁହଁ ଶତକଡ଼ା ଶହେରୁ ଶହେ ଦେଖାଯାଏ । କାରଣ ଦର୍ପଣରେ ପ୍ରତିଫଳିତ ପ୍ରବାସିନୀ ଓ ତା’ କବିତାର ଚେହେରା ଏକଦମ ଏକା । ଟିକିଏ ବି ଫରକ ନାହିଁ । ଏମିତିକି ମୁହଁର ସେଇ ସ୍ୟାହିଟୋପାକ ବି ସେତିକି ଦେଖାଯାଏ, ଯେତିକି ମୁଁ ନିଜେ ।

ଗଦ୍ୟ କବିତାର ସଭାମଂଚରେ ଏବେ କବିତାର ସଂଳାପ କେବଳ ଶୁଭୁଛି, କିନ୍ତୁ ଘୁଙ୍ଗୁର ଆଉ ଶୁଭୁନି! କଣ ଏବେକା କବିତା ତାର ସାଙ୍ଗୀତିକତା ହରାଇବସିଛି?
ଜମ୍ମା ନୁହେଁ । କବିତା କେବେବି ତାର ସାଙ୍ଗୀତିକତା ହରେଇବସିନି । କାରଣ କବିତାର ମଧୁରତା ତା’ ଆବେଗ, ଅନୁଭୂତି, ଶୈଳୀ ଓ ଉଚ୍ଚାରଣରେ ଅଛି । ଘୁଂଗୁର ନଶୁଭିବା କଥା ପଚାରିଛ । ଗଦ୍ୟ କବିତାର ସଭାମଞ୍ଚରେ କବିତାର ସଂଳାପ ଶୁଭୁନି, ଗଦ୍ୟ କବିତାର ନୀରବତା (?) ଭିତରେ କେତେବେଳେ ଯେ ଘୁଂଗୁର ଭାଂଗିଯାଏ ଆଉ ସେଇ ଭାଂଗିଯିବା ମୁହୂର୍ତ୍ତ ଭିତରୁ ଯେଉଁ ଝଣତକାରଟି ବାହାରିଆସେ- ସେତିକି ସାଙ୍ଗୀତିକତା କବିତା ପାଇଁ କଣ ଯଥେଷ୍ଟ ନୁହେଁ? କବିତାର ସଂଳାପରେ ଗୀତିମୟତା ଆଗରୁ ଥିଲା, ଆଜି ଅଛି, ଆଗକୁ ରହିବ; ସୂକ୍ଷ୍ମ କ୍ଷୀଣ ସ୍ୱରଟିଏ ହେଉ ପଛେ!

କବିତା ସହ ଜୀବନ – ଗୋଟେ ଲଂବା ଯାତ୍ରା ପରେ ମନେହେଇଛି କି କେବେ- ଭୁଲ ସାଥୀଟିଏ ବାଛିଛନ୍ତି?
କବିତା ସହ ଜୀବନ- ବେଶ ଶ୍ରୁତିମଧୁର ପ୍ରଶ୍ନଟିଏ । ଚାଳିଶ ବର୍ଷ ହେଲା ତା’ ସହ ଚାଲୁଛି । ଭୁଲ ସାଥୀଟିଏ ବାଛିଚି ବୋଲି କେବେ ବି ଭାବିନି । କାରଣ ସିଏ ହିଁ ତ ପ୍ରତି ମୁହୂର୍ତ୍ତରେ ମୋତେ ଜୀବନ ଦିଏ, ତା ସହ ବଂଚିବାର କଷ୍ଟ ବି! କେବଳ କବିତା ସହ ଚାଲିବା ବହୁତ ବିପଜ୍ଜନକ କଥା ନୁହେଁ କି? ନାଇଁ ତ, କେବେ ବି ଭାବିନି ଯେ ଭୁଲ ସାଥୀଟିଏ ବାଛିଚି ବୋଲି! କବିତାରେ ଜୀବନ ଜିଇବା ଶିଖିଚି ବୋଲି ସବୁ ଭୁଲ ଭିତରୁ ଏଇ ଗୋଟିଏ ଠିକ ବୋଲି ଭାବୁଛି ।

Comments are closed.