Latest Odisha News

BREAKING NEWS

କାରଣ ଖୋଜୁଛି ସ୍ବାସ୍ଥ୍ୟ ଟିମ୍, ଏଯାବତ ଗଲାଣି ୯ ଶିଶୁଙ୍କ ଜୀବନ

କୋରାପୁଟ: କୋରାପୁଟରେ ୧୫ ଦିନରେ ଗଲାଣି ୯ ଶିଶୁଙ୍କ ଜୀବନ । ଯାଞ୍ଚ ଚଳାଇଛି ସ୍ବାସ୍ଥ୍ୟ ବିଭାଗ । ପ୍ରକୃତରେ କେଉଁ କାରଣରୁ ଶିଶୁଙ୍କ ଜୀବନ ଯାଇଛି ତାହାର କାରଣ ଖୋଜୁଛି ସ୍ବାସ୍ଥ୍ୟ ବିଭାଗ ଦ୍ବାରା ନିୟୋଜିତ ହୋଇଥିବା ଟିମ୍ । ରାଜ୍ୟ ଶିଶୁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ଆଦିତ୍ୟ ମହାପାତ୍ର ଓ ରାଜ୍ୟ ୟୁନିସେଫ୍‌ କନ୍‌ସଲଟାଣ୍ଟ ଡାକ୍ତର ଅନିଲ ପଟ୍ଟନାୟକଙ୍କୁ ନେଇ ଦୁଇ ଜଣିଆ ସ୍ବାସ୍ଥ୍ୟ ଟିମ୍ ଗଠନ କରାଯାଇଛି ।

ସ୍ବାସ୍ଥ୍ୟ ବିଭାଗର ଏହି ଟିମ୍ କେରାପୁଟ ଜିଲାର ସୀମାନ୍ତ ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକ ଅଞ୍ଚଳର ଗତ ୧୫ ଦିନ ମଧ୍ୟରେ ହୋଇଥିବା ୯ ଜଣ ଶିଶୁଙ୍କ ମୃତ୍ୟୁ ଘଟଣାର ପ୍ରକୃତ କାରଣ ଅନୁଧ୍ୟାନ ପାଇଁ ଶନିବାର ନାରାୟଣପାଟଣା ବ୍ଲକର ବିଭିନ୍ନ ଗ୍ରାମ ପରିଦର୍ଶନ କରି ସେଠାରେ କେଉଁ କାରଣ ଯୋଗୁଁ ଶିଶୁଙ୍କ ମୃତ୍ୟୁ ହୋଇଛି ସେନେଇ ଅନୁଧ୍ୟାନ କରିଥିଲେ । ଜିଲ୍ଲାର ନାରାୟଣପାଟଣା ବ୍ଲକର ଗୋତିଗୁଡ଼ା ଓ ଜାମଡ଼ା ବାଲସା ଗ୍ରାମ ପରିଦର୍ଶନ କରିବା ସହିତ ଶିଶୁ ମୃତ୍ୟୁର କାରଣ ପ୍ରକୃତରେ କ’ଣ ତାହା ଅନୁଧ୍ୟାନ କରିଛନ୍ତି । ଏହା ସହିତ ଏହି ଦୁଇ ଜଣିଆ ଟିମ୍‌ କୋରାପୁଟ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ସ୍ଥାନୀୟ ବାସିନ୍ଦାଙ୍କୁ ପଚାରି ବୁଝିଛନ୍ତି । ଶେଷରେ ଏହି ଟିମ୍‌ ନାରାୟଣପାଟଣା ମେଡିକାଲରେ ପହଞ୍ଚି ଶିଶୁ ମୃତ୍ୟୁର କାରଣ ନେଇ ମେଡିକାଲର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଟିମ୍‌ ସହିତ ନାରାୟଣପାଟଣା ସ୍ବାସ୍ଥ୍ୟ ଅଧିକାରୀ ବିମଲ ବାଘଙ୍କ ସମେତ ମେଡିକାଲର ବହୁ କର୍ମଚାରୀ ମଧ୍ୟ ଉପସ୍ଥିତ ରହିଥିଲେ। ତେବେ ଆଜି ଅର୍ଥାତ ରବିବାର କେନ୍ଦ୍ରୀୟ ଟିମ୍‌ ନାରାୟଣପାଟଣା ଓ ବନ୍ଧୁଗାଁ ଅଞ୍ଚଳ ପରିଦର୍ଶନ କରି ଶିଶୁ ମୃତ୍ୟୁର କାରଣ ଖୋଜିବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା କୋରାପୁଟ ଜିଲ୍ଲାର ବନ୍ଧୁଗାଁ ଓ ନାରାୟଣପାଟଣା ବ୍ଲକ ଅଞ୍ଚଳରେ ୯ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ୨ ଜଣ ଡିପ୍‌ଥେରିଆରେ ଜୀବନ ହାରିଥିବା ବେଳେ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଜଣଙ୍କର ନିମୋନିଆରେ ମୃତ୍ୟୁ ହୋଇଛି। ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକରେ ଅନ୍ୟ ୬ ଜଣ ଶିଶୁଙ୍କ ଘରେ ମୃତ୍ୟୁ ଘଟିଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଡାକ୍ତର ସୂଚାଇଥିବା କାରଣ ସତ୍ୟାସତ୍ୟତା କେତେ ଓ ଏହା ସହିତ ଘରେ ଥିବା ୬ ଜଣ ଶିଶୁଙ୍କର କେଉଁ କାରଣରୁ ମୃତ୍ୟୁ ଘଟିଲା ସେନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦୁଇ ଜଣିଆ ଟିମ୍ ଯାଞ୍ଚ ପରତାଜ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.