Latest Odisha News

BREAKING NEWS

Steel Plant: ଓଡ଼ିଶାରେ ୭ ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ;୧୪ ହଜାରରୁ ଉର୍ଦ୍ଧ୍ବ ନିଯୁକ୍ତି ସୁଯୋଗ

ଭୁବନେଶ୍ବର: ମୋହନ ଚରଣ ମାଝୀ ଆଜି ଉଚ୍ଚସ୍ତରୀୟ କ୍ଲିୟରାନ୍ସ ପ୍ରାଧିକରଣ (HLCA)ର ୪୩ତମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଉଚ୍ଚସ୍ତରୀୟ କ୍ଲିୟରାନ୍ସ ପ୍ରାଧିକରଣ (HLCA) ର ଏହି ବୈଠକରେ ୫୫, ୭୮୩ କୋଟି ଟଙ୍କାର ମୋଟ ନିବେଶ ସହିତ ୭ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି, ଯାହା ୧୪,୫୦୭ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ସମ୍ଭାବନା ରଖିଛି।

ଏଥିରେ ଇସ୍ପାତ, ଅଟୋମୋବାଇଲ୍ ଏବଂ ଅଟୋ-ଉପାଦାନ, ସେମିକଣ୍ଡକ୍ଟର, ଶିଳ୍ପ ଗ୍ୟାସ୍, ଫେରୋଆଲଏଜ୍ , ବିଦ୍ୟୁତ୍ ଏବଂ ନବୀକରଣୀୟ ଶକ୍ତି ଶିଳ୍ପ ପ୍ରକଳ୍ପ ରହିଛି। ଢେଙ୍କାନାଳ, ଗଞ୍ଜାମ, କେଉଁଝର ଏବଂ ଖୋର୍ଦ୍ଧା ଭଳି ଜିଲ୍ଲାରେ ଏହି ଶିଳ୍ପ ପ୍ରକଳ୍ପ ହେବ।

ଢେଙ୍କାନାଳ ଜିଲାରେ ୩୫,୦୦୦ କୋଟି ଟଙ୍କା ବ୍ୟୟରେ ଏକ ୬ MTPA ବିଶିଷ୍ଟ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ JSW ଗ୍ରୁପ୍‌ର ସହାୟକ କମ୍ପାନୀ ସାଫ୍ରନ୍ ରିସୋର୍ସେସ୍ ପ୍ରାଇଭେଟ୍ ଲିମିଟେଡ୍। ଏହି ଗୋଟିଏ ପ୍ରକଳ୍ପ ଦ୍ୱାରା ପ୍ରାୟ ୮,୦୦୦ ଲୋକଙ୍କୁ ନିଯୁକ୍ତି ମିଳିବାର ଆଶା କରାଯାଉଛି। ଏହା ବ୍ୟତୀତ ଇନୋକ୍ସ ଏୟାର୍ ପ୍ରଡକ୍ଟସ୍ ଏବଂ ଜିଏମଆର୍ କମଳାଙ୍ଗା ଏନର୍ଜି ମଧ୍ୟ ଏହି ଜିଲାରେ ପୃଥକ ପ୍ରକଳ୍ପ ନିର୍ମାଣ କରିବେ।

ଜିଏମଆର କମଳାଙ୍ଗ ଏନର୍ଜି ଲିମିଟେଡ୍ ଢେଙ୍କାନାଳରେ ୩୫୦ ମେଗାୱାଟ କ୍ଷମତା ବିଶିଷ୍ଟ ତାପଜ ବିଦ୍ୟୁତ୍ କେନ୍ଦ୍ର ସ୍ଥାପନ ପାଇଁ ୨୧୩୬.୦୨ କୋଟି କୋଟି ନିବେଶ କରିବ। ଯାହା ୩୦୦ ନିଯୁକ୍ତି ସୃଷ୍ଟି କରିବ ଏବଂ ରାଜ୍ୟର ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ଼ କରିବ।

ଜିନ୍ଦଲ ପଲି ଫିଲ୍ମସ ଲିମିଟେଡ୍ ଦ୍ୱାରା ୧୨,୦୦୦ କୋଟି ଟଙ୍କାରେ ଏକ ଟାଇଟାନିୟମ୍ ଡାଇଅକ୍ସାଇଡ୍ ପିଗମେଣ୍ଟ ୟୁନିଟ୍ ପ୍ରତିଷ୍ଠା ହେବ। ଏହାସହ ଅଟୋ-କମ୍ପୋନେଣ୍ଟ କ୍ଷେତ୍ରରେ ମଧ୍ୟ ନିବେଶ ହେବ। ସାନକୋଡ୍ ସେମି ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ସେମିକଣ୍ଡକ୍ଟର ଆସେମ୍ବଲି ଓ ଟେଷ୍ଟିଂ (OSAT) ୟୁନିଟ୍ ସ୍ଥାପନ କରାଯିବ।

ଫେରୋ ଆଲଏଜ୍ କର୍ପୋରେସନ୍ ଲିମିଟେଡ୍ ୨,୦୦୦ କୋଟି ଟଙ୍କା ନିବେଶରେ ଫେରୋ ଆଲଏଜ୍ ସୁବିଧା ଓ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ନିର୍ମାଣ କରିବ।

ଏହି ଅନୁମୋଦନଗୁଡ଼ିକ ରାଜ୍ୟ ସରକାରଙ୍କ ଶିଳ୍ପ ବିକାଶକୁ ଦ୍ରୁତ ଗତିରେ ପହଞ୍ଚାଇବ। ବିଭିନ୍ନ ନିବେଶକୁ ଆକର୍ଷିତ କରିବ ଏବଂ ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.