ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଶେଷରେ ଆଇପିଏଲ ଆଗରେ ନଇଁବାକୁ ବାଧ୍ୟ ହୋଇଛି । ପ୍ରତ୍ୟେକ ବର୍ଷ ଆଇପିଏଲ ପାଇଁ ଆଇସିସି ଅଢ଼େଇ ମାସର ୱିଣ୍ଡୋ ଦେବାକୁ ବିଧିବଦ୍ଧ ଭାବେ ଘୋଷଣା କରିଛି । ଆଇସିସିର ଏହି ନିଷ୍ପତି ପାକିସ୍ତାନ କ୍ରିକେଟ ବୋର୍ଡକୁ ବଡ ଝଟକା ଦେଇଛି । ପିସିବି ଏହାକୁ ବିରୋଧ କରି ଆଇସିସି ନିକଟକୁ ଯାଇଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡି ନ ଥିଲା । ଆଇପିଏଲ ସମୟରେ କୌଣସି ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ଆୟୋଜନ ହେବନି । ଏହି ଅବସରରେ ୨୦୨୩ରୁ ୨୭ ପର୍ଯ୍ୟନ୍ତ ଆଇସିସି ଫ୍ୟୁଚର୍ସ ଟୁର ପ୍ରୋଗ୍ରାମ ଘୋଷଣା କରିଛି । କ୍ରିକଇନଫୋରେ ପ୍ରକାଶିତ ଖବର ଅନୁସାରେ ନୂତନ ଏଫଟିପିରେ ୨ଟି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ, ଦ୍ୱିପାକ୍ଷିକ ସିରିଜ ଓ ଟୁର୍ଣ୍ଣାମେଂଟ ରହିଛି ।
ଆଇପିଏଲ ବ୍ୟତୀତ ଅଷ୍ଟ୍ରେଲିଆର ଦି ହଣ୍ଡ୍ରେଡ ଓ ଇଂଲଣ୍ଡର ବିଗ ବ୍ୟାଶ ଲିଗକୁ ମଧ୍ୟ ସ୍ୱତନ୍ତ୍ର ୱିଣ୍ଡୋ ପ୍ରଦାନ କରାଯାଇଛି । ଏହି ସମୟ ମଧ୍ୟରେ ୨ ଦେଶର ଖେଳାଳିମାନେ କୌଣସି ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ଖେଳିବେ ନାହିଁ । ଅବଶ୍ୟ ଅନ୍ୟ ଦେଶଗୁଡିକ ସେମାନଙ୍କ ମ୍ୟାଚ ଖେଳିପାରିବେ । କ୍ୟାରିବିୟାନ ପ୍ରିମିୟର ଲିଗ ଓ ବାଂଲାଦେଶ ପ୍ରିମିୟର ଲିଗ ପାଇଁ ସମାନ ନିୟମ ଘୋଷଣା କରାଯାଇଛି । ୨୫ କିମ୍ବା ୨୬ ଜୁଲାଇରେ ଆଇସିିସି ବାର୍ଷିକ ବୈଠକରେ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ ।
Comments are closed.