Latest Odisha News

BREAKING NEWS

ଝାଡ଼ାବାନ୍ତିରେ କାଶୀପୁର ବ୍ଲକରେ ମୃତ୍ୟୁ ସଂଖ୍ୟା 7 କୁ ବଢିଲା

ରାୟଗଡ଼ା:  ଝାଡ଼ାବାନ୍ତିରେ କାଶୀପୁର ବ୍ଲକରେ ମୃତ୍ୟୁ ବଢ଼ିବାରେ ଲାଗିଛି । ଗତକାଲି ସୁଦ୍ଧା 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ମୃତ୍ୟୁ ସଂଖ୍ୟା 7ରେ ପହଁଚିଛି ।   ବିଗତ 2 ଦିନ ମଧ୍ୟରେ କାଶୀପୁର ବ୍ଲକରେ 6 ଜଣଙ୍କର ଝାଡାବାନ୍ତିରେ ମୃତ୍ୟୁ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଭୟ ଖେଳିଯାଇଛି ।   ବଞ୍ଚଳୀ ଗାଁର ଜଣକର ମୃତ୍ୟୁ କୁ ନେଇ  ପ୍ରଶାସନ ପକ୍ଷରୁ ସ୍ଵଷ୍ଟ କରାଯାଇନାହିଁ । ସେହି ଭଳି ଥୁଟିବାର ସେବାଶ୍ରମର 11 ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଛନ୍ତି । ସେମାନଙ୍କର ଚିକିତ୍ସା ଚାଲିଛି ।
ଜିଲ୍ଲାପାଳ  ସ୍ୱଧା ଦେବସିଂ କାଶିପୁର ବ୍ଲକ ଟିକିରି ଡାଇରିଆ ପ୍ରଭାବିତ ଗ୍ରାମ ଗୁଡ଼ିକ ଗସ୍ତ କରିଛନ୍ତି । ପ୍ରଥମେ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ସେଠାରେ ରୋଗୀମାନଙ୍କ ସ୍ୱାସ୍ଥ୍ୟ କଥା ପଚାରି ବୁଝିଥିଲେ । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ କିଚିତ୍ସା ନିମନ୍ତେ କଣ ସବୁ ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଅନ୍ୟ ଡାକ୍ତର ମାନଙ୍କ ସହିତ ଆଲୋଚନା କରିଥିଲେ । ବର୍ତମାନ ସ୍ଥିତିରେ ରୋଗୀମାନଙ୍କୁ ନେବା ଆଣିବା ପାଇଁ ଟିକିରି ଠାରେ ୪ ଟି ଆମ୍ୱୁୁଲାନ୍ସ ସେବା ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ପରେ ଜିଲ୍ଲାପାଳ ଡାଇରିଆ ସଂକ୍ରମିତ ଟିକିରିର ଝୋଡିଆ ସାହି ବୁଲି ଦେଖିବା ସହ ଡାଇରିଆରେ ମୃତକଙ୍କ ପରିବାର ସଦସ୍ୟ ମାନଙ୍କ ସହିତ ଆଲୋଚନା କରିଥିଲେ । ସେଠାରୁ ଜିଲ୍ଲାପାଳ ଦୁଡୁକାବାହାଲ ଗ୍ରାମକୁ ଯାଇ ସେଠାରେ ମଧ୍ୟ ମୃତକ ପରିବାରକୁ ଭେଟି ଆଲୋଚନା କରିବା ସହିତ ପିଇବା ପାଣି ପାଇଁ ବ୍ୟବହାର କରୁଥିବା କୂଅଁ ବୁଲି ଦେଖିଥିଲେ । ଦୀର୍ଘ ଦିନ ଧରି ଦୁଡୁକାବାହାଲ ଗ୍ରାମରେ ସୌରଚାଳିତ ଡୁଆଲ ପମ୍ପ ଅଚଳ ହୋଇ ପଡି ଥିବାବେଳେ ତୁରନ୍ତ ଦୁଇଦିନ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ଗ୍ରାମୀଣ ଜଳ ଯୋଗାଣ ସଂସ୍ଥାର ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଭାବିତ ଗ୍ରାମରେ ତୁରନ୍ତ ସାନିଟାଇଜ (ବିଶୋଧନ) କରିବା ସାଙ୍ଗକୁ ସଂକ୍ରମିତ ଗ୍ରାମ ଗୁଡିକର ଜଳ ଉତ୍ସ ବିଶୋଧନ କରିବାକୁ କାଶୀପୁର ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମୃତକ ପରିବାରକୁ ରେଡକ୍ରସ ରୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ବ୍ୟବସ୍ଥା କରିବାକୁ ବିଡିଓ କାଶିପୁରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ଉଷାପଡା ସ୍ଥିତ ଉତ୍କଳ ଆଲୁମିନା ମେଡିକାଲକୁ ଯାଇ ସେଠାକାରସ୍ଥିତି ଅନୁଧ୍ୟାନ କରିବା ସହ ଉତ୍କଳ ଆଲୁମିନାର ଅଧିକାରୀଙ୍କ ସହିତ ୩୦ ଗୋଟି ସ୍ୱତନ୍ତ୍ର ଶଯ୍ୟା ପ୍ରସ୍ତୁତ ରଖିବାପାଇଁ ଆଲୋଚନା କରିଥିଲେ ।

Leave A Reply

Your email address will not be published.