ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ୍’ (Akvan) କୁ ଦୃଷ୍ଟିରେ ରଖି, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଦ୍ୟାଳୟଗୁଡ଼ିକ ଅନ୍ତତଃ ତିନି ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ଜିଲ୍ଲାରେ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ । କେନ୍ଦ୍ରାପଡ଼ା ଓ କନ୍ଧମାଳ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଛି । ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ ପାଇଁ ନିର୍ଦ୍ଦେଶ ଲାଗୁ ହୋଇଛି ।
ସେହିପରି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି । ହେଲେ ସ୍କୁଲରେ ଉପସ୍ଥିତ ରହିବେ ସମସ୍ତ ଶିକ୍ଷକ ଓ କର୍ମଚାରୀ । ସେହିପରି ଅନ୍ୟ ଜିଲ୍ଲାରେ ସ୍ଥିତି ଦେଖି ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ SRCଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହୋଇଛି । ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ନଜରରେ ରଖି ପିଲାମାନଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରଶାସନର ଏହି ତତ୍ପରତା ଏବେ ଜିଲ୍ଲାଗୁଡ଼ିକରେ ସତର୍କତା ବଢ଼ାଇଛି । ପରିସ୍ଥିତି ଉପରେ ପ୍ରଶାସନର ନଜର ରହିଥିବାବେଳେ ଆଗକୁ ଆବଶ୍ୟକ ପଡ଼ିଲେ ଅଧିକ ପଦକ୍ଷେପ ନିଆଯାଇପାରେ ।
ଏହି ଛଅଟି ଜିଲ୍ଲାର ଜିଲ୍ଲାପାଳମାନେ ସ୍ଥାନୀୟ ପରିସ୍ଥିତିର ଆକଳନ କରିବେ ଏବଂ ଆବଶ୍ୟକ ହେଲେ ନଭେମ୍ବର ୨୧ ପରେ ମଧ୍ୟ ଛୁଟି ଅବଧି ବଢ଼ାଇବା ନେଇ ଉପଯୁକ୍ତ ନିଷ୍ପତ୍ତି ନେବେ। ଅନ୍ୟ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନେ ସ୍ଥାନୀୟ ପରିସ୍ଥିତି ଉପରେ ନଜର ରଖିବେ ଏବଂ ନିଜ ନିଜ ଜିଲ୍ଲାରେ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବା ସମ୍ବନ୍ଧରେ ଉଚିତ ନିଷ୍ପତ୍ତି ନେବେ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।
