ନୂଆଦିଲ୍ଲୀ: ବଦଳୁଛି ଦୁନିଆ, ହେଲେ ଆଧୁନିକରୁ ମଧ୍ୟଯୁଗୀୟ ପରମ୍ପରା ଆଡକୁ ଯାଉଛି ଇରାକ । ଦେଶରେ ବିବାହ ଆଇନରେ ସଂଶୋଧନ କରିବାକୁ ଯାଉଛନ୍ତି ଇରାକ ସରକାର । ଡ୍ରାଫ୍ଟ ବିଲ୍ ପ୍ରସ୍ତୁତ ହୋଇସାରିଥିବା ବେଳେ ଆଇନରେ ସଂଶୋଧନ ହେଲେ ବିବାହ ପାଇଁ ଝିଅଙ୍କ ସର୍ବନିମ୍ନ ବୟସ ୯ବର୍ଷ ରହିବ । ଖାଲି ସେତିକି ନୁହେଁ ମହିଳାଙ୍କ ପାଇଁ ବିବାହ ବିଚ୍ଛେଦ, ପିଲାଙ୍କ କଷ୍ଟଡି ଓ ସଂପତ୍ତି ଭଳି ଅଧିକାରରେ ବି ପ୍ରତିବନ୍ଧକ ଲଗାଯିବ । ବିଲ ଅନୁସାରେ ନାଗରିକ ପାରିବାରିକ ମାମଲାର ବିଚାର ପାଇଁ ଧାର୍ମିକ କର୍ତ୍ତୃପକ୍ଷ କିମ୍ବା ନ୍ୟାୟପାଳିକା ମଧ୍ୟରୁ ଯେକୌଣସି ଗୋଟିଏକୁ ବାଛିପାରିବେ। ସଂଶୋଧିତ ବିଲରେ ମହିଳାଙ୍କ ଅଧିକାର ବ୍ୟାପକ ଭାବେ କ୍ଷୁର୍ଣ୍ଣ ହେବ । ତାଲିବାନ ଶାସନ ବେଳେ ଲାଗୁ ହୋଇଥିବା ନିୟମ ଭଳି ନିୟମ ଆଣିବାକୁ ଇରାକ ଉଦ୍ୟମ କରୁଥିବା କୁହାଯାଉଛି ।
କାହିଁକି ୯ବର୍ଷରେ ବିବାହ?
ସ୍କୁଲ ଯିବା ବୟସରେ ବିବାହକୁ ଅନୁମତି ! କିଶୋରୀଙ୍କୁ ଅନୈତିକ ସଂପର୍କରୁ ରକ୍ଷା କରିବା ଆଇନରେ ସଂଶୋଧନ ପଛର କାରଣ ବୋଲି ତର୍କ ଦେଉଛନ୍ତି ଇରାକ ସରକାର । କିଶୋରୀଙ୍କ ସୁରକ୍ଷା ପାଇଁ ଏହି ପ୍ରସ୍ତାବ ଅଣାଯାଇଥିବା କୁହାଯାଉଛି । ଇରାକରେ ଏବେ ମହମ୍ମଦ ଶିଆ ଅଲ ସୁଦାନୀଙ୍କ ସରକାର ରହିଛି । ସଂସଦରେ ରକ୍ଷଣଶୀଳ ଶିୟା ମୁସଲିମଙ୍କର ବହୁମତ ରହିଥିବାରୁ ସଂଶୋଧନ ପ୍ରସ୍ତାବ ପାରିତ ହୋଇପାରେ ବୋଲି କୁହାଯାଉଛି। ତେବେ ସଂଶୋଧନକୁ ଇରାକର ବିଭିନ୍ନ ମହିଳା ସଂଗଠନ ବିରୋଧ କରୁଛନ୍ତି । କାରଣ ବିବାହ ବୟସ କମ୍ ହେଲେ ଝିଅଙ୍କ ଉପରେ ଉଭୟ ମାନସିକ ଓ ଶାରିରୀକ ହିଂସା ବଢିବା ଆଶଙ୍କା ରହିଛି ।
ପାରିତ ହେଲେ ବିପଦ
୧୯୫୯ ବ୍ୟକ୍ତିଗତ ସ୍ଥିତି ଆଇନ ୧୮୮ର ସଂଶୋଧନ କରିବାକୁ ବିଚାର କରାଯାଉଛି। ପୁରୁଣା ନିୟମକୁ ଅବଦୁଲ କରିମ କାସୀମ ସରକାର କରିଥିଲେ । କାସୀମଙ୍କ ସରକାର ମହିଳା ଅଧିକାରକୁ ନେଇ ଅନେକ ପ୍ରଗତିଶୀଳ ସଂସ୍କାର ଆଣିଥିଲେ । ଝିଅଙ୍କ ବିବାହ ପାଇଁ ସର୍ବନିମ୍ନ ବୟସ ୧୮ବର୍ଷ ରଖାଯାଇଥିଲା। ତେବେ ଏଥିରେ ସଂଶୋଧନ କରିବାକୁ ଉଦ୍ୟମ କରୁଛନ୍ତି ଇରାକ ସରକାର । ଇରାକରେ ପୂର୍ବରୁ ହିଁ ବାଲ୍ୟବିବାହ ହାର ବେଶ୍ ଅଧିକ । ବିଶେଷ କରି ଗରିବ, ରକ୍ଷଣଶୀଳ ଶିୟା ସମୁଦାୟରେ ଅଧିକ ବାଲ୍ୟ ବିବାହ ହୋଇଥାଏ । ବିବାହ ଧର୍ମଗୁରୁ କରାଇ ପାରିବେ । ଝିଅ ୧୫ବର୍ଷରୁ ଅଧିକ ଓ ବିବାହ ପାଇଁ ତାଙ୍କ ବାପାଙ୍କ ଅନୁମତି ଥିଲେ ଧର୍ମଗୁରୁ ବିବାହ କାର୍ଯ୍ୟ କରିପାରୁଥିବାରୁ ବାଲ୍ୟ ବିବାହ ବଢୁଛି । ଜାତିସଂଘ ସର୍ଭେ ଅନୁସାରେ, ବାଲ୍ୟ ବିବାହ ବ୍ୟାନ ଥିବା ସତ୍ତ୍ବେ ଇରାକରେ ପ୍ରାୟ ୨୮ପ୍ରତିଶତ ଝିଅ ୧୮ବର୍ଷ ପୂର୍ବରୁ ବିବାହ କରିଛନ୍ତି। ଆଇନରେ ସଂଶୋଧନ ହେଲେ ସ୍ଥିତି ଆହୁରି ବିଗିଡିଯିବ।
କେଉଁଠି ବିବାହ ବୟସ କେତେ?
ଇସଲାମୀୟ ଦେଶରେ ବିବାହକୁ ନେଇ ରହିଛି ଭିନ୍ନ ଭିନ୍ନ ଆଇନ । ପଡୋଶୀ ପାକିସ୍ତାନରେ ଆଇନ ଅନୁସାରେ ପୁଅଙ୍କ ପାଇଁ ୧୮ ଓ ଝିଅଙ୍କ ପାଇଁ ସର୍ବନିମ୍ନ ବିବାହ ବୟସ ୧୬ରହିଛି । ତେବେ ୨୦୧୩ର ଏକ ସର୍ଭେ ଅନୁସାରେ ପାକିସ୍ତାନରେ ମୋଟ ବିବାହର ୩୦ପ୍ରତିଶତ ବାଲ୍ୟ ବିବାହ ହୋଇଥିବା ଜଣାପଡିଛି । ଏପରିକି ଦେଶର ଗ୍ରାମୀଣ ଅଞ୍ଚଳରେ ଗରିବ ପରିବାର ଝିଅଙ୍କୁ ବିବାହ ପାଇଁ ଅଧିକ ବୟସ୍କଙ୍କୁ ବିକ୍ରି କରିଦେବାର ବି ନଜିର ରହିଛି । ଆଫଗାନିସ୍ତାନରେ ବି ସମାନ ଅବସ୍ଥା । ଭୋକରେ ଝିଅଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ବାପା ମାଆ । ଝିଅଙ୍କ ସର୍ବନିମ୍ନ ବିବାହ ବୟସ ୧୬ ରହିଥିଲେ ମଧ୍ୟ ବାପା ମାଆଙ୍କ ସହମତି ଥିଲେ ୧୫ବର୍ଷରେ ବିବାହ କରାଯାଇପାରିବ । ରକ୍ଷଣଶୀଳ ଇରାନରେ ବିବାହ ପାଇଁ ଝିଅଙ୍କ ସର୍ବନିମ୍ନ ବୟସ ୧୩ବର୍ଷ ରହିଥିଲେ ବି ବାପା କିମ୍ବା କୋର୍ଟଙ୍କ ଅନୁମତିରେ ୯ବର୍ଷର ଝିଅଙ୍କ ବିବାହ ହୋଇପାରିବ । ତୁର୍କୀରେ ବିବାହର ସର୍ବନିମ୍ନ ବୟସ ରହିଛି ୧୮ବର୍ଷ । ତେବେ ବାପା ମାଆଙ୍କ ଅନୁମତିରେ ୧୭ ଓ କୋର୍ଟଙ୍କ ଅନୁମତିରେ ୧୬ବର୍ଷରେ ବିବାହ କରାଯାଇପାରିବ । ସାଉଦି ଆରବରେ ବିବାହ ପାଇଁ ସର୍ବନିମ୍ନ ବୟସ ନାହିଁ । ତେବେ ନିକଟରେ ୧୮ବର୍ଷରୁ କମ ବୟର ଝିଅଙ୍କ ବିବାହ ପାଇଁ ଅନୁମତି ନେବାକୁ ନିୟମ କରାଯାଇଛି । ବାଂଲାଦେଶରେ ସର୍ବନିମ୍ନ ବିବାହ ବୟସ ୧୮ବର୍ଷ, ମାଲେସିଆରେ ୧୬ବର୍ଷ ତ ୟୁଏଇରେ ୧୮ ବର୍ଷ ରହିଛି । ତେବେ କୋର୍ଟଙ୍କ ଅନୁମତିରେ କମ୍ ବର୍ଷର ଝିଅ ବି ବିବାହ କରିପାରିବେ । ଇଣ୍ଡୋନେସିଆରେ ନିକଟରେ ଉଭୟ ପୁଅ ଓ ଝିଅଙ୍କ ସର୍ବନିମ୍ନ ବିବାହ ବୟସ ୧୯କରାଯାଇଛି ।