Latest Odisha News

BREAKING NEWS

5T ଏକ ବିଭାଗ କି ? ଏହାର ଅଫିସ କେଉଁଠି ? ବିଧାନସଭାରେ ପ୍ରଶ୍ନ କଲେ ଜୟ ନାରାୟଣଙ୍କ ମିଶ୍ର

ଭୁବନେଶ୍ୱର: 5T ବିଭାଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନ ବାଣ ଛାଡ଼ିଲେ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର। ବିଧାନସଭା ଶୂନ୍ୟ କାଳରେ 5T ବିଭାଗ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଗୋଟିଏ ପରେ ଗୋଟିଏ ପ୍ରଶ୍ନ କରିଛନ୍ତି ଜୟ ନାରାୟଣ। ସେ କହିଛନ୍ତି 5T କଣ ଏହା ବୁଝି ହେଉନି। ଏହା କଣ ଗୋଟେ ବିଭାଗ କି ? ଯଦି ଏହା ଏକ ବିଭାଗ ତେବେ ଏହାର ଅଫିସ୍‌ କେଉଁଠି ଅଛି ? ରାଜୀବ ଭବନ, ଲୋକସେବା ଭବନ ନା ଖାରବେଳ ଭବନରେ ଏହାର ଅଫିସ ଅଛି କି ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରାୟଣ।  ସେ ଆହୁରି ପ୍ରଶ୍ନ କରିଛନ୍ତି ଯେ ଏଥିପାଇଁ ଏକ ବିଭାଗ ସୃଷ୍ଟି ହୋଇଛି କି? ଯଦି ହଁ ତେବେ ଏହାର ଅନ୍ୟ କର୍ମଚାରୀମାନେ କିଏ ?।

ଜୟ ନାରାୟଣ 5Tକୁ ନେଇ ରାଜ୍ୟ ସରକାରଙ୍କୁ ଆହୁରି କଡ଼ା ପ୍ରଶ୍ନ କରିଛନ୍ତି। ଯଦି ଏହା ଏକ ବିଭାଗ ତେବେ ବିଧାନସଭାରେ ଏନେଇ କୌଣସି କଥା ଉଠୁ ନାହିଁ। ଏହାକୁ ନେଇ ପ୍ରଶ୍ନୋତ୍ତର ହେବା ଦରକାର ବୋଲି ଜୟ ନାରାୟଣ କହିଛନ୍ତି। ଏନେଇ ଜୟ ନାରାୟଣ ପ୍ରଶ୍ନ କରିଛନ୍ତି ଯେ ଅନ୍ୟ ବିଭାଗର କ୍ଷମତା ସଂକୁଚିତ ପାଇଁ ବିଭାଗ କରାଯାଇଛି କି? ଯଦି ଏହା ଏକ ବିଭାଗ ବିଧାନସଭାରେ କାହିଁକି ଏହାର ପ୍ରଶ୍ନୋତ୍ତର ହେଉନି ? ଯଦି ଏହା ବିଭାଗ ଆମେ ବିଧାନସଭାରେ ପ୍ରଶ୍ନ କରିବାକୁ ଚାହୁଁଛୁ। ଏନେଇ ରାଜ୍ୟ ସରକାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଜୟନାରାୟଣ ମିଶ୍ର ବିଧାନସଭାର ଶୂନ୍ୟକାଳରେ ପ୍ରଶ୍ନ କରିଛନ୍ତି।

ତେବେ ଜୟ ନାରାୟଣଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଶାସକ ଦଳ ସଚେତକ ପ୍ରଶାନ୍ତ ମୁଦୁଲି। ସେ କହିଛନ୍ତି ବିରୋଧୀ ଦଳ ନେତାଙ୍କ ମନ୍ତବ୍ୟ ହାସ୍ୟାସ୍ପଦ। 5T ଏକ ନିର୍ଦ୍ଦିଷ୍ଟ ବିଭାଗ ନ ହୋଇପାରେ। ଏହା ମୁଖ୍ୟମନ୍ତ୍ରୀଙ୍କ ଏକ ଚିନ୍ତାଧାରା। ଏହା ମହାମନ୍ତ୍ର ଭଳି କାମ କରୁଛି ବୋଲି ପ୍ରଶାନ୍ତ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ତଳ ସ୍ତରରେ ବିଭିନ୍ନ ଅନିୟମିତତା ଓ ବିଭିନ୍ନ ସମସ୍ୟା ହେଉଛି। ତାକୁ ଲୋକେ ଭିଜିଲାନ୍ସକୁ ଦେବାକୁ ପୂର୍ବରୁ କହୁଥିବା ବେଳେ ଏବେ 5T କୁ ଦେବାକୁ କହୁଛନ୍ତି। 5T କୁ ଜଣେଇଲେ ଅନେକ ସମସ୍ୟାର ସମାଧାନ ହେଉଛି। ବିରୋଧୀ ଦଳ ବି 5T ସଚିବ ବୋଲି ସମ୍ବୋଧନ କରୁଛନ୍ତି । ଶାସନ ବ୍ୟବସ୍ଥାକୁ କ୍ରିୟାଶୀଳ କରିବା ପାଇଁ 5T ବ୍ୟବସ୍ଥା ଏକ ଚିନ୍ତାଧାରା ବୋଲି ଶାସକ ଦଳ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି।

Comments are closed.