Latest Odisha News

ବିଜେଡିରେ ବଡ଼ ଗଡ଼ବଡ଼ !

ଭୁବନେଶ୍ବର: ବିଜେଡି ଭିତରେ କୁହୁଳୁଛି ଅସନ୍ତୋଷ। ବଡ଼ଚଣାରୁ କଟକ, ଜଳଜଳ ଦିଶୁଛି ଫାଟ । କେଉଁଠି ନେତା ଖୋଲାଖୋଲି ଇଙ୍ଗିତ କଲେଣି ତ ବରିଷ୍ଠ ନେତା ଦଳର କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଲେଣି। ଅକ୍ଟୋବର ୨ରୁ ବିଜେଡି ସାରା ରାଜ୍ୟରେ ଜନସଂପର୍କ ପଦଯାତ୍ରା କରିଥିବା ବେଳେ ନିଜ ଦଳର ନେତାଙ୍କ ଉପରୁ ହିଁ ଲଗାମ ହୁଗୁଳିଲାଣି। କ୍ଷମତାରେ ଥିବା ବେଳେ ଦଳ ବିରୋଧରେ ପଦେ କହିନଥିବା ନେତା ଏବେ ସଭାରେ ଖୋଲାଖୋଲି କହିଲେଣି । ଅମର ଶତପଥୀଙ୍କ ପରି ବଡ ନେତା ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଉନାହାନ୍ତି । ଦଳର ନେତା ଯଦି ମୁହଁ ମୋଡିବେ, ବିଜେଡି କାହାକୁ ନେଇ ସଂଗଠନ ମଜବୁତ କରିବ?

କାହିଁକି ଆସିଲେନି ଅମର ?

ଯାଜପୁର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଥିଲେ ବରିଷ୍ଠ ବିଜେଡି ନେତା ଅମର ଶତପଥୀ। କାରଣ ପଚାରିବା ପରେ କହିଲେ, ରାଜନୈତିକ କାର୍ଯ୍ୟକ୍ରମରୁ କିଛି ଦିନ ହେଲା ନିଜକୁ ନିବୃତ ରଖିଛନ୍ତି । ଦଳ ଅଣଦେଖା କରୁଛି କି ନାହିଁ, ସେକଥା ଦଳ କହିପାରିବ ବୋଲି ଅମର କହିଛନ୍ତି । ମାପିଚୁପି ମନ୍ତବ୍ୟ ଦେଇଥିଲେ ବି ଦଳ ଉପରେ ଅମରଙ୍କ ଅଭିମାନ ବେଶ୍ ବାରି ହେଉଛି । ଅକ୍ଟୋବର ୨ତାରିଖରେ ଦଳର ପଦଯାତ୍ରା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଅମର । ତେବେ ବଡ଼ଚଣାରେ ଅମରଙ୍କ ସହ ତିନିଗୋଷ୍ଠୀ ଭିନ୍ନ ଭିନ୍ନ ପଦଯାତ୍ରା କରିଥିଲେ । ଅମର ଶତପଥୀ, ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇଥିବା ବର୍ଷା ପ୍ରିୟଦର୍ଶିନୀ ଓ ରାଜନାରାୟଣ ମହାପାତ୍ର ଅଲଗା ଅଲଗା ପଦଯାତ୍ରାରେ ସାମିଲ ହୋଇଥିଲେ । ବଡ଼ଚଣା ବିଜେଡିରେ ଗୋଷ୍ଠୀ କନ୍ଦଳ ବେଶ୍ ବାରି ହୋଇଥିଲା ।

ଟିକେଟ୍ ବଣ୍ଟା ବେଳଠୁ ଟେନସନ୍

ବଡ଼ଚଣାରେ ଟିକେଟ୍ ବଣ୍ଟନ ବେଳଠୁ ହିଁ ବିଜେଡିରେ ଅସନ୍ତୋଷ ତେଜିଥିଲା । ଛଅ ଥରର ବିଧାୟକ ଅମର ଶତପଥୀଙ୍କ ଜାଗାରେ ଓଲିଉଡ୍ ଷ୍ଟାର ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡଚଣାରୁ ପ୍ରାର୍ଥୀ କରିଥିଲା ବିଜେଡି । ଫଳରେ ଅମର ଶତପଥୀଙ୍କ ସହ ଅନ୍ୟ ଆଶାୟୀ ରାଜନାରାୟଣ ମହାପାତ୍ର ଓ ଜନ୍ମେଜୟ ଲେଙ୍କା ନିରାଶ ହୋଇଥିଲେ । ଅସନ୍ତୋଷ କୁହୁଳୁଥିବା ଚର୍ଚ୍ଚା ହେବା ପରେ ଅମରଙ୍କ ମାନଭଞ୍ଜନ କରିବାକୁ ବି ଉଦ୍ୟମ କରିଥିଲା ବିଜେଡି । ହେଲେ ଅମରଙ୍କୁ ନିର୍ବାଚନ ପ୍ରଚାର ମଇଦାନରେ ଦେଖିବାକୁ ମିଳିନଥିଲା। ଦଳୀୟ ନେତାଙ୍କ ସମନ୍ବୟ ଅଭାବରୁ ବଡ଼ଚଣା ଗଡ଼ ବିଜେଡି ହାତରୁ ଖସିଥିଲା । ନିର୍ବାଚନ ପରେ ବି ବଡ଼ଚଣା ବିଜେଡିରେ ଫାଟ ଦେଖିବାକୁ ମିଳୁଛି ।

କାହାକୁ ସୌଭିକଙ୍କ ବାଣ?

ଅମରଙ୍କ ଅସନ୍ତୋଷ ମଧ୍ୟରେ ବିଜେଡି ବିଧାୟକ ସୌଭିକ ବିଶ୍ବାଳଙ୍କ ମନ୍ତବ୍ୟକୁ ନେଇ ବି ଚର୍ଚ୍ଚା ହେଉଛି। ୨୦୧୯ ଓ ୨୦୨୪ ନିର୍ବାଚନରେ ତାଙ୍କୁ ହରାଇବାକୁ ଉଦ୍ୟମ ହୋଇଥିଲା। ଲୋକଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହୋଇଥିବା ଜଣେ ନେତା ଯିଏ କି ଏବେବି ଦଳର ନେତୃତ୍ବ ନେଉଛନ୍ତି, ସେ ତାଙ୍କ ବିରୋଧରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ହେଲେ ଧର୍ମର ବିଜୟ ହୋଇଛି ବୋଲି ସୌଭିକ କହିଛନ୍ତି । ନିଷ୍ଠାର ସହ ରହିଥିଲେ ବି ତାଙ୍କୁ ପଛରୁ ଛୁରୀ ଭୁଷିଛନ୍ତି । ତାଙ୍କ ବିରୋଧରେ ଏବେବି ଷଡ଼ଯନ୍ତ୍ର ଚାଲିଥିବା ସୌଭିକ କହିଛନ୍ତି । ତେବେ ସୌଭିକ ଦଳରେ କାହାକୁ ଇଙ୍ଗିତ କରିଛନ୍ତି, ତାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।

ପୂର୍ବରୁ ସୌଭିକଙ୍କ ବାପା ତଥା ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ବିଶ୍ବାଳ ମଧ୍ୟ ଦଳ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ଭୁଲ ବୁଝାମଣାରୁ ଦଳ ନିର୍ବାଚନ ହାରିଥିବା କହିଥିଲେ । ୨୪ବର୍ଷର ଶାସନ ପାଇଁ ଦଳ ବିରୋଧୀ ହାଓ୍ବା ରହିବା କଥା କହିଥିଲେ । ପ୍ରଣବ ପ୍ରକାଶ ଦାସ ଓ ଭିକେ ପାଣ୍ଡିଆନଙ୍କୁ ସେ ସମାଲୋଚନା କରିଥିବା ନେଇ ସେତେବେଳେ ଚର୍ଚ୍ଚା ହୋଇଥିଲା । ଏବେ ସୌଭିକ ନାଁ ନନେଇ ଜଣେ ବିଜେଡି ନେତାଙ୍କୁ ଟାର୍ଗେଟ୍ କରିଛନ୍ତି । ଅମର ଶତପଥୀ ହୁଅନ୍ତୁ କି ସୌଭିକ ବିଶ୍ବାଳ, ବିଜେଡି ନେତାଙ୍କର ଏଭଳି ଅସନ୍ତୋଷ କେଉଁଠି ନା କେଉଁଠି ଦର୍ଶାଉଛି, ବିଜେଡିରେ ସବୁକିଛି ଠିକ୍ ନାହିଁ । ପଦଯାତ୍ରା ଓ ସଦସ୍ୟତା ଅଭିଯାନ କରି ଦଳକୁ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଥିବା ବିଜେଡି ପ୍ରଥମେ ଦଳ ଭିତରର ଅସନ୍ତୋଷ ତୁଟାଉ । ନହେଲେ ସଂଗଠନ ସଜାଡି ବିଜେପିକୁ ଚ୍ୟାଲେଞ୍ଜ ଦେବା ସ୍ବପ୍ନ ସ୍ବପ୍ନରେ ହିଁ ରହିଯିବ ।

Leave A Reply

Your email address will not be published.