ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଦଳୀୟ ପ୍ରାର୍ଥୀଙ୍କ ପ୍ରଦର୍ଶନ ପାଇଁ ସେ ରାଜ୍ୟ ନେତୃତ୍ୱକୁ ସିଧା ଦାୟୀ କରିଛନ୍ତି । ପ୍ରଥମଥର ପାଇଁ ସେ ନିଜେ ଏପରି କଥା କହିଛନ୍ତି ଯାହା ପୂର୍ବରୁ କେବଳ ଚର୍ଚ୍ଚା ହେଉଥିଲା । ସାଂସଦ ଅପରାଜିତା କହିଛନ୍ତି, ମହାନଗର ନିଗମ ନିର୍ବାଚନରେ ବିଜେପି ନେତୃତ୍ୱ ଦୁର୍ବଳ ହେବାରୁ ଏପରି ଫଳାଫଳ ହୋଇଛି। ଯଦି ସଂଗଠନ ଏବଂ ନେତୃତ୍ୱ ଏକାଠି ଥାନ୍ତେ ତାହେଲେ ଦଳ ଭଲ ପ୍ରଦର୍ଶନ କରିଥାନ୍ତା।
ତେବେ ସାଂସଦ ଏପରି ପ୍ରତିକ୍ରିୟା ରଖିବା ପରେ କୌଣସି ବିଜେପି ନେତା ଏଯାବତ ପ୍ରତିକ୍ରିୟା ରଖିନାହାନ୍ତି । ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଲା ରାଜ୍ୟ ବିଜେପିର ସଭାପତି ଆସନରେ ବସିଛନ୍ତି ସମୀର ମହାନ୍ତି । ଯେହେତୁ ସମୀରଙ୍କ ନେତୃତ୍ୱରେ ଦଳ ଏଯାବତ ଭଲ ପ୍ରଦର୍ଶନ କରିନି ତେଣୁ ଅପରାଜିତା ପରୋକ୍ଷରେ ସମୀର ମହାନ୍ତିଙ୍କୁ ଟାର୍ଗେଟ କରିଛନ୍ତି ବୋଲି ମଧ୍ୟ କୁହାଯାଉଛି।
ଅନ୍ୟପଟେ ରାଜ୍ୟ ବିଜେପିର ଅନେକ ନେତା କେନ୍ଦ୍ର ବିଜେପି ସହିତ ସିଧାସଳଖ ସଂଯୋଗରେ ରହିଛନ୍ତି । ବିଜେପି ହେଉଛି ଦେଶର ସବୁଠାରୁ ଧନୀ ଦଳ । ତେଣୁ ଦଳକୁ ମଜବୁତ କରିବାରେ ପଇସାର ମଧ୍ୟ ଅଭାବ ନଥିବ । ଅନ୍ୟପଟେ ଓଡ଼ିଶା ବିଜେପିର ତିନି ନେତା କେନ୍ଦ୍ରମନ୍ତ୍ରୀ ରହିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶର ଟୁଡ଼ୁ, ଅଶ୍ୱିନୀ ବୈଷ୍ନବ ମନ୍ତ୍ରୀ ଥିବା ବେଳେ ବୈଜୟନ୍ତ ପଣ୍ଡା ଜାତୀୟ ଉପସଭାପତି ସେହିପରି ସମ୍ବିତ ପାତ୍ର ଏବଂ ନିଜେ ଅପରାଜିତା ଜାତୀୟ ମୁଖପାତ୍ର । ଅର୍ଥାତ ଦିଲ୍ଲୀରେ ଏମାନଙ୍କର ଭଲ ଥାଟବାଟ ରହିଛି । ହେଲେ କେଉଁ କାରଣ ପାଇଁ ଦଳର ନେତୃତ୍ୱ ଦୁର୍ବଳ ହୋଇଛି କହି ନାହାନ୍ତି ଅପରାଜିତା । କିନ୍ତୁ ଦଳର ନେତା ଯଦି ଏକ ହେବେ ତାହେଲେ ନିଶ୍ଚୟ ଭାବେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ୨୦୧୭ ପଞ୍ଚାୟତ ନିର୍ବାଚନ ବେଳେ ବିଜେପି ଭଲ ପ୍ରଦର୍ଶନ କରିଥିଲା । ସେତେବେଳେ ଏବେର ସାଂସଦ ବସନ୍ତ ପଣ୍ଡା ରାଜ୍ୟ ବିଜେପି ସଭାପତି ଆସନରେ ବସିଥିଲେ । କିନ୍ତୁ ସମୀର ମହାନ୍ତି ରାଜ୍ୟ ବିଜେପିର ସଭାପତି ହେବା ପରେ ଦଳ ସେମିତି କୌଣସି ଭଲ ପ୍ରଦର୍ଶନ କରିନି । ତେଣୁ ଅନେକ ସମୟରେ ଦଳ ଭିତରୁ ସମୀରଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିଛି । ହେଲେ ରାଜ୍ୟର ପ୍ରଭାବୀ ନେତାଙ୍କ ସମର୍ଥନ ପାଇଁ ସମୀରଙ୍କ ଉପରକୁ ଅଙ୍ଗୁଳି ଉଠୁନି ବୋଲି କୁହାଯାଉଛି। କିନ୍ତୁ ଅପରାଜିତା ଦୁର୍ବଳ ନେତୃତ୍ୱ କଥା କହି ପରୋକ୍ଷରେ ସମୀର ମହାନ୍ତିଙ୍କୁ ସମାଲୋଚନା କରିଥିବା କୁହାଯାଉଛି।