Latest Odisha News

BREAKING NEWS

ବିଜେଡି ଛାଡ଼ିବେ କି ଭର୍ତ୍ତୃହରି ମହତାବ ?

ଭୁବନେଶ୍ୱର: କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ନେଇ ଚିନ୍ତାରେ ବିଜେଡି । ସପ୍ତାହକ ତଳେ ପୁରୀରେ ଅନୁଷ୍ଠିତ ଦଳର ପ୍ରତିଷ୍ଠା ଦିବସରେ ଉପସ୍ଥିତ ନଥିଲେ ଭର୍ତ୍ତୃହରି । ଆଉ ଏବେ ଭର୍ତ୍ତୃହରି ଦେଇଥିବା ପ୍ରସଙ୍ଗ ମନ୍ତବ୍ୟ ବିଜେଡି ଶିବିରରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି । କଟକରେ ଦଳୀୟ ସାଂଗଠନିକ କାର୍ଯ୍ୟକ୍ରମରେ ଭର୍ତ୍ତୃହରି ସେତେଟା ଆଗ୍ରହ ଦେଖାଉନଥିବା କୁହାଯାଉଛି ।

ଦଳୀୟ କାର୍ଯ୍ୟକ୍ରମରେ ଭର୍ତ୍ତୃହରି ଯୋଗ ନଦେବା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଚର୍ଚ୍ଚା ହେଉଛି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ପଦ୍ମ ପୋଖରୀକୁ ଡେଇଁ ପାରନ୍ତି ଭର୍ତ୍ତୃହରି ମହତାବ । ଯଦିଓ ଭର୍ତ୍ତୃହରି ବିଜେଡି ଛାଡ଼ିବା ନେଇ ଖୋଲାଖୋଲି କିଛି କହୁ ନାହାନ୍ତି ତଥାପି ବିଗତ କିଛିମାସ ମଧ୍ୟରେ ତାଙ୍କ କାର୍ଯ୍ୟକଳାପ ଅଲଗା କଥା କହୁଛି ।

୨୦୨୨ ଅଗଷ୍ଟରେ ଭର୍ତ୍ତୃହରିଙ୍କ ଦ୍ୱାରା ସମ୍ପାଦିତ ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଚରେ ଥିଲେ ବି ଭର୍ତ୍ତୃହରିଙ୍କ ପ୍ରତି ସେତେଟା ଗୁରୁତ୍ୱ ଦେଇ ନଥିଲେ । ଏବେ ଦଳର ପ୍ରତିଷ୍ଠା ଦିବସରେ ଭର୍ତ୍ତୃହରି ଯୋଗ ନ ଦେବା ଆଉ ଅନ୍ୟ ନେତାଙ୍କ ପ୍ରତି ତାଙ୍କ ମନ୍ତବ୍ୟ ବିବାଦ ଘେରରେ ରହିଛି ।

ତେବେ ୫ ଥରର ସାଂସଦ ଭର୍ତ୍ତୃହରି କାହିଁକି ବଦଳି ଗଲେ ? ବିଜେଡି ଛାଡ଼ିବା ପାଇଁ ଏମିତି ସଂକେତ ଦେଉଛନ୍ତି କି ଭର୍ତ୍ତୃହରି ? ନା ପୁଅ ଲୋକରଞ୍ଜନଙ୍କ ରାଜନୈତିକ ଭବିଷ୍ୟତ ପାଇଁ ଭର୍ତ୍ତୃହରି ବାଉଳା ହେଉଛନ୍ତି ? ଭର୍ତ୍ତୃହରିଙ୍କ ପ୍ରସଙ୍ଗ ମନ୍ତବ୍ୟକୁ ନେଇ ବିରୋଧୀ ଯେତିକି ଆଲୋଚନା କରୁଛନ୍ତି ତା’ଠୁ ବେଶୀ ଚର୍ଚ୍ଚା ଦଳ ଭିତରେ ହେଉଛି ।

କୁହାଯାଉଛି ଭର୍ତ୍ତୃହରିଙ୍କୁ ନେଇ କୁଆଡ଼େ ସନ୍ତୁଷ୍ଟ ନାହାଁନ୍ତି ବିଜେଡି ସୁପ୍ରିମୋ ନବୀନ । ଏବେର ସ୍ଥିତି, ଆଗାମୀ ଭବିଷ୍ୟତକୁ ନଜରରେ ରଖି ଭର୍ତ୍ତୃହରି ୨୦୨୪ ନିର୍ବାଚନ ପୂର୍ବରୁ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ।

Leave A Reply

Your email address will not be published.