Latest Odisha News

ଏକଜିଟ୍ ପୋଲ…କାହିଁକି ବିଜେଡି ଏତେ ଉତ୍ସାହିତ?

ଭୁବନେଶ୍ବର: ହରିୟାଣା ଓ ଜାମ୍ମୁ-କାଶ୍ମୀର ଏକଜିଟ୍ ପୋଲରେ କଂଗ୍ରେସ କ୍ଷମତାକୁ ଫେରିବା ସଂକେତ । ବିଜେଡି ନେତା ଉତ୍ସାହିତ ! ଇଣ୍ଡିଆ ମେଣ୍ଟ ଆଡକୁ ଢଳୁଛି କି ବିଜେଡି ? ବଦଳିବ କି ବିଜେଡିର ସମଦୂରତା ମନ୍ତ୍ର? ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବୟାନ ପରେ ବିଜେଡିର ଆଗାମୀ ରଣନୀତିକୁ ନେଇ ଚର୍ଚ୍ଚା ବଢିଛି । ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇକୁ ଦେବାଶିଷ ଦେଇଥିବା ପ୍ରତିକ୍ରିୟାରେ ଇଣ୍ଡିଆ ମେଣ୍ଟ ଓ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି । କେବଳ ହରିୟାଣା ଓ ଜାମ୍ମୁ-କାଶ୍ମୀର ନିର୍ବାଚନ ନୁହେଁ ଆଗକୁ ହେବାକୁ ଥିବା ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନରେ ବି ଇଣ୍ଡିଆ ମେଣ୍ଟ ଭଲ ପ୍ରଦର୍ଶନ କରିବ ବୋଲି ଦେବାଶିଷ କହିଛନ୍ତି । ଏହା ପରଠୁ ବିଜେଡି ପରିବର୍ତ୍ତିତ ସ୍ଥିତିରେ ଇଣ୍ଡିଆ ମେଣ୍ଟ ଆଡକୁ ଢଳୁଥିବା ଚର୍ଚ୍ଚା ହେଉଛି ।

କଂଗ୍ରେସକୁ କ୍ଷମତା ବିଜେଡି ଉତ୍ସାହିତ !

ଏକଜିଟ୍ ପୋଲରେ କଂଗ୍ରେସ ହରିୟାଣାରେ କ୍ଷମତାକୁ ଫେରିବା ନେଇ ଆକଳନ ତ ଜାମ୍ମୁକାଶ୍ମୀରରେ ନ୍ୟାସନାଲ କନଫରେନ୍ସ ସହ ମିଶି ଗଢିପାରେ ସରକାର। ଅନେକ ସଂସ୍ଥା ପକ୍ଷରୁ କରାଯାଇଥିବା ଏହି ସର୍ଭେ ରିପୋର୍ଟ କଂଗ୍ରେସ ପାଇଁ ଆଶ୍ବସ୍ତି ଆଣିଛି । ଏକଜିଟ୍ ପୋଲ ଦେଶର ମୁଡକୁ ଦେଖାଉଥିବା ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି । କେବଳ ସେତିକି ନୁହେଁ ଏହା ଆଗକୁ ହେବାକୁ ଥିବା ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନ ଫଳ ନେଇ ସଂକେତ ଦେଉଛି । କଂଗ୍ରେସ ସାଙ୍ଗକୁ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ବଢୁଥିବା ଦେବାଶିଷ କହିଛନ୍ତି। ସେହିପରି ପରୋକ୍ଷରେ ଇଣ୍ଡିଆ ଆଗକୁ ବଢୁଥିବା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।…

ପୂର୍ବରୁ ଦେବାଶିଷ ଦେଇଥିଲେ ସଂକେତ !

ପୂର୍ବରୁ କଂଗ୍ରେସ ସହ ହାତ ମିଳାଇବା ନେଇ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଥିଲେ ଦେବାଶିଷ ସାମନ୍ତରାୟ । ପାରାଦୀପ କୁଜଙ୍ଗରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଦରକାର ପଡିଲେ କଂଗ୍ରେସ ସହ ହାତ ମିଳାଇ ନୂଆ ସରକାର ଗଠନ କରିବା ବୋଲି କହିଥିଲେ ଦେବାଶିଷ । ରାଜ୍ୟରେ ପଟ୍ଟ ପରିବର୍ତ୍ତନକୁ ନେଇ ସେତେବେଳେ ବଡ ବୟାନ ଦେଇଥିଲେ । ଆଉ ଏବେ ଏକଜିଟ୍ ପୋଲରେ କଂଗ୍ରେସ କ୍ଷମତାକୁ ଫେରିବା ନେଇ ସଂକେତ ଆସିବା ପରେ ଉତ୍ସାହ ଦେଖାଇଛନ୍ତି ଦେବାଶିଷ। ଇଣ୍ଡିଆ ମେଣ୍ଟ ଆଗକୁ ବି ସଫଳ ହେବ ବୋଲି ଆକଳନ କରିଛନ୍ତି ।

ଇଣ୍ଡିଆ ଆଡକୁ ଢଳିବ କି ବିଜେଡି?

ବୁଥ୍ ବାହୁଡା ମତରେ କଂଗ୍ରେସ କ୍ଷମତାକୁ ଫେରିବା ନେଇ ଚର୍ଚ୍ଚା ବଢିଥିବା ବେଳେ ବିଜେଡି ବଦଳାଇବ କି ରଣନୀତି ? ବିଜେଡି ଉଭୟ ବିଜେପି ଓ କଂଗ୍ରେସ ପ୍ରତି ସମଦୂରତା ରଖିବା କଥା କହୁଥିଲେ ବି ଏନଡିଏକୁ ବିଭିନ୍ନ ସମୟରେ ସମର୍ଥନ କରିଛି। ମେଣ୍ଟରେ ରହିନଥିଲେ ବି ଗୁରୁତ୍ବପୂର୍ଣ୍ଣ ବିଲ୍ ହେଉ କି ଅନାସ୍ଥା ପ୍ରସ୍ତାବ, ଏନଡିଏ ସପକ୍ଷରେ ହିଁ ଶୁଭିଛି ବିଜେଡିର ସ୍ବର। ତେବେ ଗତ ନିର୍ବାଚନରେ ହାରିବା ପରଠୁ ଭିନ୍ନ ଅନ୍ଦାଜରେ ନଜର ଆସୁଛି ବିଜେଡି। ଲୋକସଭାରେ ଦଳର ଜଣେ ବି ସାଂସଦ ନଥିବା ବେଳେ ରାଜ୍ୟସଭା ସାଂସଦ ଏନଡିଏକୁ ଖୋଲାଖୋଲି ବିରୋଧ କରୁଛନ୍ତି । ଦୁଇ ଜଣ ବିଜେଡି ସାଂସଦଙ୍କୁ ବିଜେପି ଦଳରେ ମିଶାଇବା ପରେ ବିଜେଡି ବି ଏନଡିଏ ଉପରେ ସ୍ବାଭାବିକ ଭାବେ ଖପ୍ପା ରହିଛି । ଏଭଳି ସ୍ଥିତିରେ ଶତ୍ରୁର ଶତ୍ରୁ ମିତ୍ର ନ୍ୟାୟରେ  କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ଆଡକୁ ବିଜେଡି ଢଳିପାରେ ବୋଲି ଚର୍ଚ୍ଚା ହେଉଛି । ମେଣ୍ଟରେ ସାମିଲ ନହେଲେ ବି ଏନଡିଏ ଭଳି ଇଣ୍ଡିଆକୁ ବାହାରୁ ସମର୍ଥନ କରିପାରେ ଦଳ। ଯଦି ଏକଜିଟ୍ ପୋଲ ସତ ହୁଏ, ହରିୟାଣା ଓ ଜାମ୍ମୁକାଶ୍ମୀରରେ କ୍ଷମତାକୁ ଆସେ ଇଣ୍ଡିଆ, ତେବେ ଏହାର ପ୍ରଭାବ ଆଗାମୀ ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ଦିଲ୍ଲୀ ନିର୍ବାଚନ ଉପରେ ବି ପଡିବ। ଆସନ୍ତା ବର୍ଷ ପ୍ରଥମରୁ ହେବାକୁ ଥିବା ଦିଲ୍ଲୀ ନିର୍ବାଚନ ବି ଆଗୁଆ ହୋଇପାରେ। ମେଣ୍ଟ ସହଯୋଗୀଙ୍କ ଦମ୍ଭରେ କେନ୍ଦ୍ରରେ ସରକାର ଗଠନ କରିଥିବା ଏନଡିଏର ସମୀକରଣ ବି ବଦଳିପାରେ । ମେଣ୍ଟ ସହଯୋଗୀ ଅଧିକ ପଦ ଓ ପାଣ୍ଠି ଦାବି କରିବା ସହ ସରକାରଙ୍କୁ ବି ଅକଳରେ ପକାଇ ପାରନ୍ତି । ତେଣୁ ଦେଶରେ ବଦଳୁଥିବା ରାଜନୈତିକ ସମୀକରଣକୁ ଦେଖି ବିଜେଡି ଭବିଷ୍ୟତ ଅଙ୍କ କଷିପାରେ । କାରଣ ରାଜନୀତିରେ କେହି ଅଛୁଆଁ ନୁହନ୍ତି ।

Leave A Reply

Your email address will not be published.