Latest Odisha News

ଚୀନ୍ Vs ତାଇଓ୍ବାନ…କାହାର କେତେ ଦମ୍?

ନୂଆଦିଲ୍ଲୀ: ଚୀନର ଘୋଷଣା ବଢାଇଲା ଚିନ୍ତା । ହେବ କି ଚୀନ୍-ତାଇଓ୍ବାନ୍ ଯୁଦ୍ଧ? ତାଇଓ୍ବାନ୍ ଅଭିନ୍ନ ଅଂଶ, ଏହାକୁ ଫେରାଇ ନେବାକୁ ପ୍ରସ୍ତୁତ ବୋଲି ନିକଟରେ କହିଛନ୍ତି ଚୀନ ସରକାର । ଏଥିପାଇଁ ସେନା ବଳର ବ୍ୟବହାର କରିବାକୁ ପଡିଲେ କରାଯିବ । ଚୀନର ଏଭଳି ବୟାନ କେବଳ ତାଇଓ୍ବାନ୍ ନୁହେଁ ପୂରା ବିଶ୍ବର ଚିନ୍ତା ବଢାଇଛି । ଚୀନର ସରକାରୀ ଗଣମାଧ୍ୟମରେ ନାଗରିକଙ୍କୁ ଯୁଦ୍ଧ ଆଶଙ୍କା ଓ ଏହାର ପରିଣାମ ଭାବେ ହେବାକୁ ଥିବା ରାଜନୈତିକ ପ୍ରତିବନ୍ଧକ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଚୀନର ସାମରିକ ଶକ୍ତି ତୁଳନାରେ ତାଇଓ୍ବାନର ବଳ ଯଥେଷ୍ଟ କମ୍। ପ୍ରଶ୍ନ ଉଠୁଛି, ଯଦି ଯୁଦ୍ଧ ହୁଏ, ଚୀନକୁ କେମିତି ଟକ୍କର ଦେବ ତାଇଓ୍ବାନ୍?

କାହିଁକି ଚୀନ୍ ଓ ତାଇଓ୍ବାନ ମଧ୍ୟରେ ବିବାଦ?

ଚୀନ୍ ଓ ତାଇଓ୍ବାନ ମଧ୍ୟରେ ବର୍ଷ ବର୍ଷ ଧରି ବିବାଦ ଲାଗିରହିଛି । ଚୀନ୍ ତାଇଓ୍ବାନକୁ ନିଜ ଦେଶର ଅଂଶ ମନେକରେ ଓ ଏହାକୁ ଦେଶରେ ମିଶାଇବାକୁ କହେ । ତେବେ ତାଇଓ୍ବାନ୍ ନିଜକୁ ସ୍ବତନ୍ତ୍ର ଦେଶ ମନେକରେ । ଦେଶର ଭବିଷ୍ୟତ କଣ ହେବ, ସେନେଇ ସେଠାକାର ନାଗରିକ ନିର୍ଣ୍ଣୟ କରିବେ । ତାଇଓ୍ବାନ ଏକ ଗଣତାନ୍ତ୍ରିକ ଦେଶ, ସେଠାରେ ନିୟମିତ ଭାବେ ନିର୍ବାଚନ ହୁଏ । ଯେବେକି ଚୀନରେ କମ୍ୟୁନିଷ୍ଟ ପାର୍ଟି ଶାସନରେ ରହିଛି । ୧୯୪୯ରେ ଚୀନରେ କମ୍ୟୁନିଷ୍ଟ କ୍ରାନ୍ତି ହେବା ବେଳେ ଚୀନ ଗୃହଯୁଦ୍ଧରେ ହାରିଥିବା ନାସନାଲିଷ୍ଟ ସରକାର ତାଇଓ୍ବାନ ଯାଇ ସେଠାରେ ନିଜ ସରକାର ସ୍ଥାପନ କରିଥିଲେ । ସେବେଠାରୁ ତାଇଓ୍ବାନକୁ ନିଜ ଦେଶର ଅଂଶ ବୋଲି ଦାବି କରୁଛି ଚୀନ । ଗତ ୫ବର୍ଷ ମଧ୍ୟରେ ଚୀନ୍ ତାଇଓ୍ବାନର ଆଖପାଖ ଅଞ୍ଚଳରେ ସେନା ଗତିବିଧି ବଢାଇଛି ।

ଚୀନର ଘୋଷଣା, ତାଇଓ୍ବାନର ପ୍ରତିକ୍ରିୟା

ଗତ ୧୨ତାରିଖରେ ସରକାରୀ ଟିଭି ଚ୍ୟାନେଲରେ ଚୀନ ତାଇଓ୍ବାନକୁ ଫେରାଇନେବ ନେଇ ବୟାନ ଦିଆଯାଇଥିଲା । ଆଉ ଏଥିପାଇଁ ଯୁଦ୍ଧ କରିବାକୁ ଡ୍ରାଗନ ପ୍ରସ୍ତୁତ । ଏପରିକି ଚୀନ୍ ନାଗରିକଙ୍କୁ ସମ୍ଭାବ୍ୟ ଅନ୍ତରାଷ୍ଟ୍ରୀୟ କଟକଣା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା । ଜୁଲାଇ ୯ତାରିଖରେ ତାଇଓ୍ବାନ ସବୁଠାରୁ ବଡ଼ ସେନା ଡ୍ରିଲ, ହାନ କୁଆଙ୍ଗର ଆୟୋଜନ କରିଥିବା ବେଳେ ଏଭଳି ବୟାନ ଦେଇଛି ଚୀନ୍ । ଏନେଇ ପ୍ରତିକ୍ରିୟା ରଖି ତାଇଓ୍ବାନ୍ ରାଷ୍ଟ୍ରପତି ଲାଇ ଚିଙ୍ଗ ତେ କହିଛନ୍ତି, ତାଇଓ୍ବାନ ପୂର୍ବରୁ ହିଁ ବିନା ଗୁଳିବିନିମୟରେ ଯୁଦ୍ଧର ସାମନା କରୁଛି । ଦେଶ ବିରୋଧରେ ସାଇବର ଆକ୍ରମଣ ଓ ଅପପ୍ରଚାର ଭଳି ରଣନୀତି କରିଆସୁଛି ଚୀନ। ନିଜ ସ୍ବତନ୍ତ୍ରତା ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ପ୍ରତିବଦ୍ଧ ରହିଥିବା ତାଇଓ୍ବାନ କହିଛି ।

କାହାର କେତେ ଦମ୍?

ଚୀନ୍ ଓ ତାଇଓ୍ବାନ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଦେଖାଦେଇଛି । ଚୀନ୍ ଅନେକ ସମୟରେ ତାଇଓ୍ବାନର ଆକାଶ ଓ ସମୁଦ୍ର ପଥରେ ଅନୁପ୍ରବେଶ କରିଆସିଛି । ହେଲେ ଚୀନକୁ କଡା ଜବାବ ଦେଇଛି ତାଇଓ୍ବାନ୍ । ଚୀନ୍ ଜନସଂଖ୍ୟାରେ ବିଶ୍ବରେ ଏକନମ୍ବର ସ୍ଥାନରେ ଥିବା ବେଳେ ତାଇଓ୍ବାନ ୫୭ତମ ରାଙ୍କରେ ରହିଛି । ଚୀନର ୬୧କୋଟିରୁ ଅଧିକ ଲୋକ ସାମରିକ ସେବାରେ ସାମିଲ ହୋଇପାରିବେ । ତେବେ ତାଇଓ୍ବାନରେ ୧୦ଲକ୍ଷ ଲୋକ ହିଁ ସେନାର ଶକ୍ତି ବଢାଇପାରିବେ । ଚୀନ୍ ସେନାରେ ଏବେ ୨୦ଲକ୍ଷ ସକ୍ରିୟ ସୈନିକ ରହିଥିବା ବେଳେ ତାଇଓ୍ବାନରେ ଏହି ସଂଖ୍ୟା ୧ଲକ୍ଷ ୭୦ହଜାର । ଚୀନ ତୁଳନାରେ ତାଇଓ୍ବାନରେ ଅଧିକ ସଂଖ୍ୟକ ରିଜର୍ଭ ସେନା ରହିଛନ୍ତି । ତେବେ ଚୀନ ପାଖରେ ତାଇଓ୍ବାନ ତୁଳନାରେ ୬ଗୁଣା ଅଧିକ ଫାଇଟର ଜେଟ ରହିଛି । ସେହିପରି ହେଲିକପ୍ଟର ଓ ସ୍ପେଶାଲ ମିଶନରେ ବି ଚୀନଠାରୁ ଅନେକ ପଛରେ ରହିଛି ତାଇଓ୍ବାନ । ତାଇଓ୍ବାନ ପାଖରେ ମାତ୍ର ୪ଟି ବୁଡା ଜାହାଜ ରହିଥିବା ବେଳେ ଚୀନ୍ ପାଖରେ ୭୯ଟି ରହିଛି । ଯୁଦ୍ଧ ସମୟରେ ଉପଯୋଗ କରାଯାଇ ପାରିବା ଭଳି ୫୦୭ ବିମାନବନ୍ଦର ଚୀନ୍ ପାଖରେ ଥିବା ବେଳେ ତାଇଓ୍ବାନ ପାଖରେ ମାତ୍ର ୩୭ଟି ରହିଛି । ତୁଳନାତ୍ମକ ଚିତ୍ର ଦେଖିଲେ ଚୀନର ସାମରିକ ଶକ୍ତି ତାଇଓ୍ବାନଠାକୁ ଅନେକ ଗୁଣା ଅଧିକ ।

Comments are closed.