Latest Odisha News

ରଘୁବର ଦାସଙ୍କ ଉପରେ ପୁରୁଣା ରାଗ ଶୁଝାଉଛନ୍ତି କି ନବୀନ ?

ଭୁବନେଶ୍ବର: ବିଧାନସଭାରେ ଏଏସଓଙ୍କୁ ମାଡ଼ ଘଟଣା ଝଡ଼ । ବିରୋଧୀଙ୍କ ହଙ୍ଗାମା, କାଠଗଡାରେ ସରକାର । କାହିଁକି ରାଜ୍ୟପାଳଙ୍କ ପୁଅ ବିରୋଧରେ ହେଉନି ଆକ୍ସନ୍? କୁଆଡ଼େ ଗଲା ଓଡିଆ ଅସ୍ମିତା ? ଦୁଇ ଦିନ ହେଲା ଘଟଣାକୁ ଅସ୍ତ୍ର କରି ଗର୍ଜନ କରୁଛନ୍ତି ବିରୋଧୀ। କାଲି ରାଜ୍ୟପାଳଙ୍କ ଅଭିଭାଷଣ ବର୍ଜନ କରି କକ୍ଷତ୍ୟାଗ କରିଥିଲେ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକ । ଆଜି ବି ପ୍ରଶ୍ନକାଳ ଆରମ୍ଭରୁ ହୋହଲ୍ଲା କରିଥିଲେ ବିରୋଧୀ। ଅନ୍ୟ ରାଜ୍ୟପାଳଙ୍କ ଅପେକ୍ଷା ରଘୁବର ଦାସ ନିର୍ବାଚନ ପୂର୍ବରୁ ଅଧିକ ରାଜନୈତିକ ସକ୍ରିୟତା ଦେଖାଇଥିଲେ । ତେବେ ପ୍ରଶ୍ନ ଉଠୁଛି, ଏହାକୁ ନେଇ ପୁରୁଣା ରାଗ ଶୁଝାଉଛନ୍ତି କି ନବୀନ?

ରାଜନୀତିରେ ସକ୍ରିୟ ରାଜ୍ୟପାଳ

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଗତବର୍ଷ ଅକ୍ଟୋବରରେ ଓଡିଶା ରାଜ୍ୟପାଳ ଭାବେ ଦାୟିତ୍ବ ନେଇଥିଲେ । ଗଣେଶୀ ଲାଲଙ୍କ ସ୍ଥାନରେ ପଦ ସମ୍ଭାଳିଥିଲେ ରଘୁବର ଦାସ । ତେବେ ଅନ୍ୟ ରାଜ୍ୟପାଳଙ୍କଠାରୁ ଭିନ୍ନ ରହିଥିଲା ରଘୁବରଙ୍କ କାର୍ଯ୍ୟଶୈଳୀ । ପୂର୍ବରୁ ପାଞ୍ଚ ପାଞ୍ଚ ଥର ବିଧାୟକ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ରହିଥିବା ରଘୁବର ଦାସ ରାଜ୍ୟପାଳ ଭଳି ସାମ୍ବିଧାନିକ ପଦରେ ରହିବା ପରେ ବି ରାଜ୍ୟ ରାଜନୀତିରେ ସକ୍ରିୟ ରହିଥିଲେ । ସାରା ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମାରାଥନ ଗସ୍ତ କରିଥିଲେ । ଲୋକଙ୍କ ସମସ୍ୟା ଶୁଣିବା ସହ ଆବାସ, ଭତ୍ତା ଭଳି ବିଭିନ୍ନ ପ୍ରସଙ୍ଗରେ ଅଭିଯୋଗ ଗ୍ରହଣ କରିଥିଲେ । ତେବେ ରଘୁବର ଦାସଙ୍କ ମୁଖ୍ୟ ଉଦ୍ଦେଶ୍ୟ ଲୋକଙ୍କ ମୁଡ୍ ଓ ରାଜ୍ୟ ରାଜନୈତିର ସ୍ଥିତି ପରଖିବା ଥିଲା ବୋଲି ଚର୍ଚ୍ଚା ହୋଇଥିଲା ।

ମେଣ୍ଟ ଫେଲ୍ ପଛରେ ବି ରଘୁବର !

ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ସମ୍ଭାବନା ନେଇ ଜୋରଦାର ଚର୍ଚ୍ଚା ହେଲା । ସେତେବେଳେ ଉଭୟ ଦଳର ନେତା ବାରମ୍ବାର ଦିଲ୍ଲୀ ଗସ୍ତ କରୁଥିଲେ। ଆରମ୍ଭରୁ ହିଁ ମେଣ୍ଟ ନକରିବା ପାଇଁ ରାଜ୍ୟ ବିଜେପି ଅଡି ବସିଥିବା ବେଳେ କେନ୍ଦ୍ର ନେତୃତ୍ବ ରାଜ୍ୟପାଳ ରଘୁବର ଦାସଙ୍କ ପରାମର୍ଶ ଆଧାରରେ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହୋଇଥିଲା । ନିର୍ବାଚନ ପୂର୍ବରୁ ସାରା ରାଜ୍ୟ ଗସ୍ତ କରି ରାଜନୈତିକ ସ୍ଥିତି ଆକଳନ କରିଥିଲେ ରଘୁବର । ଯାହା ପରବର୍ତ୍ତୀ ସମୟରେ ବିଜେପିର ବିଜୟ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିଥିବା କୁହାଯାଇଥିଲା ।

ନବୀନ ଶୁଝାଉଛନ୍ତି କି ରାଗ?

ବିଜେଡିର ପରାଜୟ ପଛରେ କେଉଁଠି ନା କେଉଁଠି ରାଜ୍ୟପାଳ ରଘୁବର ଦାସଙ୍କ ରାଜନୈତିକ ସକ୍ରିୟତା କାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। କାରଣ ସେ ହିଁ ଖୋଲାଖୋଲି ସେତେବେଳର ବିଜେଡି ସରକାରକୁ ଟାର୍ଗେଟ୍ କରିଥିଲେ । ଏବେ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓ ତାଙ୍କର ୫ଜଣ ସହଯୋଗୀ ମାଡ ମାରିବା ଘଟଣାକୁ ନେଇ ମୋହନ ସରକାରଙ୍କୁ ଘେରୁଛି ବିଜେଡି । ଏଏସଓଙ୍କୁ ମାଡ ଘଟଣାରେ ନ୍ୟାୟ ମାଗୁଛି । ଯେଉଁ ଓଡିଆ ଅସ୍ମିତାକୁ ପ୍ରସଙ୍ଗ କରି କ୍ଷମତାକୁ ଆସିଛି ବିଜେପି ସରକାର, ସେହି ଅସ୍ମିତାକୁ ନେଇ ସିଧାସଳଖ ପ୍ରଶ୍ନ କରୁଛି । ଗତକାଲି ରାଜ୍ୟପାଳଙ୍କ ଅଭିଭାଷଣ ବର୍ଜନ କରିଥିବା ବେଳେ ଆଜି ଗୃହରେ ହୋହଲ୍ଲା କରିଛି ବିଜେଡି ।

ଓଡିଆ ଅସ୍ମିତା: ବ୍ୟାକଫୁଟରେ ବିଜେପି ସରକାର !

ପୁରୀ ରାଜଭବନ ପରିସରରେ ଜୁଲାଇ ୭ତାରିଖରେ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ ମାରିଥିଲେ ରାଜ୍ୟପାଳଙ୍କ ପୁଅ। କୌଣସି କାର୍ଯ୍ୟରତ ସରକାରୀ ଅଧିକାରୀଙ୍କୁ ମାଡ ମାରିବା ନିଶ୍ଚିତ ଭାବେ ଅପରାଧ। ତେବେ ଘଟଣା ସହ ଓଡିଆ ଅସ୍ମିତାକୁ ଯୋଡି ଏହାକୁ ବଡ ପ୍ରସଙ୍ଗ କରିଛି ବିଜେଡି । ଆଉ ଏଥିରେ ବିଜେଡିକୁ କଂଗ୍ରେସର ସାଥ୍ ବି ମିଳିଛି। ଓଡ଼ିଆ ଅଧିକାରୀଙ୍କୁ ମାଡ ପ୍ରସଙ୍ଗରେ ଉଠୁଛି ପଡୁଛି ବିଧାନସଭାରୁ ସୋସିଆଲ୍ ମିଡିଆ । ବିଜେପି ସରକାର ଘଟଣାକୁ ନେଇ ବ୍ୟାକଫୁଟରେ ରହିଛନ୍ତି । କେବଳ ବିରୋଧୀ ନୁହନ୍ତି ସାଧାରଣ ଜନତା ବି ସରକାରଙ୍କୁ କାଠଗଡାକୁ ଟାଣିଲେଣି । ଆଉ ଏଥିରୁ ପଲିଟିକାଲ ମାଇଲେଜ୍ ନେବାକୁ ଉଦ୍ୟମ କରୁଛି ବିଜେଡି । ଗତକାଲି ନିଜ ସରକାର ବେଳର କଥା କହି ମୋହନ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଜି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବି ଉତ୍ତର ମାଗିଲେଣି । ବେଳକୁ ବେଳ ଏଏସଓଙ୍କୁ ମାଡ ଘଟଣା ବିଜେପି ସରକାର ତଣ୍ଟିର କଣ୍ଟା ହେବାରେ ଲାଗିଛି । ଚର୍ଚ୍ଚା ହେଉଛି, ନିର୍ବାଚନ ବେଳେ ବିଜେପି ପାଇଁ ବାହାରିଥିବା ରଘୁବର ଦାସଙ୍କୁ ଏହି ପ୍ରସଙ୍ଗରେ ଷଣ୍ଢୁଆସି ଆକ୍ରମଣ କରି ପୁରୁଣା ରାଗ ଶୁଝାଉଛି ବିଜେଡି ।

Comments are closed.