Latest Odisha News

BREAKING NEWS

ରୁଷିଛନ୍ତି ଜୟନାରାୟଣ !

ଭୁବନେଶ୍ବର: ନା ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ପଦ ମିଳିଲା ନା ମନ୍ତ୍ରିମଣ୍ଡଳରେ ମିଳିଲା ସ୍ଥାନ । ଅଭିମାନ କରିଛନ୍ତି କି ରାଜ୍ୟ ବିଜେପିର ପଶ୍ଚିମ ଓଡିଶା ଚେହେରା ଜୟନାରାୟଣ ମିଶ୍ର? ବୁଧବାର ରାଜ୍ୟରେ ବିଜେପିର ପ୍ରଥମ ସରକାରର ଶପଥ ଗ୍ରହଣ ଉତ୍ସହରେ ଜୟନାରାୟଣଙ୍କ ଅନୁପସ୍ଥିତିକୁ ନେଇ ରାଜନୈତିକ ମହଲରେ ବଢିଛି ଚର୍ଚ୍ଚା। ପୂର୍ବ ବିଜେଡି ସରକାରକୁ ଘେରିବାରେ ଆଗରେ ରହୁଥିବା ଜୟନାରାୟଣଙ୍କୁ ଅଣଦେଖା କରିଛି କି ବିଜେପି ?

ମୋହନଙ୍କ କ୍ୟାବିନେଟରେ ମିଳିଲାନି ଜାଗା

ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ରେସରେ ବି ରହିଥିଲା। ବିଜେଡି ସରକାରରେ ଥିବା ବେଳେ ବିରୋଧୀ ଦଳ ନେତା ରହିଥିଲେ ଜୟନାରାୟଣ। ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ କିମ୍ବା ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଟପ୍ ତିନି ପଦରେ ତ ସ୍ଥାନ ମିଳିଲାନି, ଆଶ୍ଚର୍ଯ୍ୟଜନକ ଭାବେ ଜୟନାରାୟଣଙ୍କୁ ମନ୍ତ୍ରିମଣ୍ଡଳରେ ବି ସାମିଲ କରାଯାଇନି। ଏହାକୁ ନେଇ ଚର୍ଚ୍ଚା ଜୋରଦାର ହେଉଛି । ପ୍ରଶ୍ନ ଉଠୁଛି, ଜୟନାରାୟଣଙ୍କୁ କୋଣଠେସା କରିଛି କି ବିଜେପି?

ବିଜେଡି ସରକାରକୁ ଦେଉଥିଲେ ସିଧା ଟକ୍କର

ବିଜେଡି ସରକାରରେ ଥିବା ବେଲେ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ୍ କରୁଥିଲେ ଜୟନାରାୟଣ। ଫାଇଭ୍-ଟି ହେଉ କି ଅନ୍ୟ କିଛି ପ୍ରସଙ୍ଗ ବିରୋଧର ସ୍ବର ପାଲଟିଥିଲେ। ଜୟନାରାୟଣ ବିରୋଧୀ ଦଳ ନେତା ହେବା ପରେ ହିଁ ବିଜେପିର ବିରୋଧକୁ ସ୍ବର ମିଳିଥିଲା। ଜୟନାରାୟଣଙ୍କ ଆଟାକିଂ ଅନ୍ଦାଜ ପାଇଁ ବିଧାନସଭାରେ ବି ଅପଦସ୍ତ ହୋଇଥିଲା ବିଜେଡି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରେ ନିର୍ବାଚନ ଜିତିବାରେ ବି ଜୟନାରାୟଣଙ୍କର ବଡ ଭୂମିକା ରହିଥିଲା ।

ଅଭିମାନ କରିଛନ୍ତି ଜୟନାରାୟଣ !

କୁହାଯାଉଛି, ବିଜେପି ସରକାରରେ ମୁଖ୍ୟମନ୍ତ୍ରୀ କିମ୍ବା ଉପମୁଖ୍ୟମନ୍ତ୍ରୀ ପଦ ପାଇଁ କୁଆଡେ ଅଡି ବସିଥିଲେ ଜୟନାରାୟଣ। ତେବେ ଦଳ ତାଙ୍କ ଦାବି ନଶୁଣିବାରୁ ସେ ଅସନ୍ତୁଷ୍ଟ ହୋଇଥିଲେ । ଏହାପରେ ବି ଜୟନାରାୟଣ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ବୋଲି ତାଙ୍କ ସମର୍ଥକ ଆଶା ବାନ୍ଧିଥିଲେ । ହେଲେ ଏଥିରେ ବି ତାଙ୍କୁ ନିରାଶ ହେବାକୁ ପଡିଥିଲା । ତେଣୁ ଜୟନାରାୟଣ ବିଜେପି ସରକାରର ଶପଥ ଗ୍ରହଣ ସମାରୋହକୁ ଆସିନଥିବା ଚର୍ଚ୍ଚା ହେଉଛି ।

କାହିଁକି କଟିଲା ନାଁ ?

ପଶ୍ଚିମ ଓଡିଶା କୋଟାରୁ କନକ ବର୍ଦ୍ଧନ ସିଂହଦେଓ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀ ଓ କୁଚିଣ୍ଡା ବିଧାୟକ ରବିନାରାୟଣ ନାଏକଙ୍କୁ ବି କ୍ୟାବିନେଟରେ ସାମିଲ କରାଯାଇଛି । ବ୍ରାହ୍ଣଣ ଓ ସାଧାରଣ ବର୍ଗ କୋଟାରୁ ସୁରେଶ ପୂଜାରୀ ଓ କେଭି ସିଂହଦେଓ ମନ୍ତ୍ରୀ ହୋଇଥିବାରୁ ଜୟନାରାୟଣଙ୍କୁ ମନ୍ତ୍ରୀ ପଦ ମିଳିନଥିବା କୁହାଯାଉଛି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ମୋଟ୍ ୧୬ଜଣ ମନ୍ତ୍ରୀ ଶପଥ ନେଇଥିବା ବେଳେ ମନ୍ତ୍ରିମଣ୍ଡଳରେ ଆହୁରି ୬ଟି ପଦବୀ ଖାଲି ରହିଛି। ତେଣୁ ପ୍ରାଥମିକ ପର୍ଯ୍ୟାୟରେ ନହେଲେ ବି ଜୟନାରାୟଣଙ୍କୁ ପରବର୍ତ୍ତୀ ସମୟରେ ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ରାଜ୍ୟରେ ବିଜେପି ପାଇଁ ବିରୋଧର ସ୍ବର ପାଲଟିଥିବା ଜୟନାରାୟଣଙ୍କୁ ଅଣଦେଖା କରାଯାଇଥିବା କୁହାଯାଉଛି ।

Comments are closed.