ନୂଆଦିଲ୍ଲୀ: ଭୟାନକ ମୋଡରେ ଇସ୍ରାଏଲ୍ ଓ ଇରାନ ଯୁଦ୍ଧ । ଇରାନକୁ ଶେଷ ଅଲଟିମେଟମ୍ ଦେଇସାରିଛି ଆମେରିକା । ଇରାନ ବୁଝାମଣା କରି ପରମାଣୁ କାର୍ଯ୍ୟକ୍ରମ ଛାଡିବ ନହେଲେ ବିନାଶକୁ ଆମନ୍ତ୍ରଣ କରିବ । ଦୁଇ ଦେଶ ମଧ୍ୟରେ ଭୀଷଣ ଯୁଦ୍ଧ ଲାଗି ରହିଥିବା ବେଳେ ନା ଇସ୍ରାଏଲ୍ ମିସାଇଲ୍ ଆକ୍ରମଣ ବନ୍ଦ କରୁଛି ନା ଇରାନ ପ୍ରତିଆକ୍ରମଣ କମ୍ କରୁଛି । ଏପର୍ଯ୍ୟନ୍ତ ଇରାନରେ ୨ଶହ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଇସ୍ରାଏଲରେ ୨୦ରୁ ଅଧିକଙ୍କ ଜୀବନ ଯାଇଛି । ଏବେ ପ୍ରଶ୍ନ ଇରାନ୍-ଇସ୍ରାଏଲ୍ ଯୁଦ୍ଧରେ ଆଗକୁ କ’ଣ ହେବ? ଇସ୍ରାଏଲର ପ୍ଲାନ୍ ଇରାନ କ’ଣ? ଇସ୍ରାଏଲର ଆଗାମୀ ଟାର୍ଗେଟ୍ କି ଖାମେନେଇ?
ବଙ୍କରରେ ଲୁଚିଛନ୍ତି ଖାମେନେଇ !
ଇରାନର ସୁପ୍ରିମ ଲିଡର ଖାମେନେଇଙ୍କୁ ମାରିବା ପରେ ହିଁ ଯୁଦ୍ଧ ଶେଷ ହେବ ବୋଲି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି। ସେପଟେ ଖାମେନେଇ ନିଜ ପରିବାର ସହ ବଙ୍କରରେ ଲୁଚିଥିବା କୁହାଯାଉଛି । ଇସ୍ରାଏଲ ଲଗାତର ଆକ୍ରମଣ କରୁଥିବା ବେଳେ ଯେକୌଣସି ସମୟରେ ଖାମେନେଇଙ୍କୁ ନିଶାନା ବନାଇପାରେ । ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଏଭଳି ଅଣ୍ଡରଗ୍ରାଉଣ୍ଡ ବଙ୍କରରେ ରଖାଯାଇଛି ଯେଉଁଠାରେ ଶତ୍ରୁ ଦେଶର ମିସାଇଲ୍ ପହଞ୍ଚି ପାରିବନି । ଏହାମଧ୍ୟରେ ଆମେରିକା ଅଧିକାରୀଙ୍କ ସୂତ୍ରରୁ ଏକ ରିପୋର୍ଟ ସାମନାକୁ ଆସିଛି । ଏଥିରେ କୁହାଯାଇଛି, ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନେଇଙ୍କୁ ମାରିବାକୁ ଇସ୍ରାଏଲ୍ ପ୍ଲାନ୍ କରିଥିଲା । ତେବେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏହି ପ୍ଲାନ ବିରୋଧରେ ଭିଟୋ ପ୍ରୟୋଗ କରିଥିଲେ ।
ନେତାନ୍ୟାହୁଙ୍କ ପ୍ରେସର ପଲିଟିକ୍ସ
ଯେଉଁଭଳି ଇସ୍ରାଏଲ୍ ବାଛି ବାଛି ଇରାନର ଟପ୍ ସାମରିକ ଅଧିକାରୀ ଓ ପରମାଣୁ ବୈଜ୍ଞାନିକଙ୍କୁ ଟାର୍ଗେଟ୍ କରିଛି, ସେଥିରୁ ସ୍ପଷ୍ଟ ଯେ, ଇସ୍ରାଏଲର ଟାର୍ଗେଟରେ ଖାମେନେଇ ରହିଛନ୍ତି । ମଙ୍ଗଳବାର ଇରାନର ସଶସ୍ତ୍ର ବଳର ନବନିଯୁକ୍ତ ଚିଫ୍ ଅଫ୍ ଷ୍ଟାଫ୍ ଅଲି ଶାଦମାନିଙ୍କୁ ମାରିଥିବା କହିଛି ଇସ୍ରାଏଲ୍ । ୫ଦିନ ଭିତରେ ଦ୍ବିତୀୟ ଥର ଇରାନର ଚିଫ୍ ଅଫ୍ ଷ୍ଟାଫଙ୍କୁ ମାରିଥିବା ଇସ୍ରାଏଲ୍ କହିଛି। ଶାଦମାନି ଖାମେନେଇଙ୍କର ସବୁଠୁ ନିକଟତମ ସାମରିକ ପରାମର୍ଶଦାତା ଥିଲେ । ଏହାପୂର୍ବରୁ ଇରାନ ସେନାର ଚିଫ୍ ଅଫ୍ ଷ୍ଟାଫ୍ ମେଜର ଜେନେରାଲ ମହମ୍ମଦ ବାଘେରୀ, ଆଇଆରଜିସିର କମାଣ୍ଡର ଇନ୍ ଚିଫ୍ ଜେନେରାଲ ହୁସେନ୍ ସଲାମିଙ୍କ ସହ ଇରାନର ଅନ୍ୟ ଶୀର୍ଷ ଅଧିକାରୀଙ୍କୁ ମାରି ସାରିଛି ଇସ୍ରାଏଲ୍ । କୁହାଯାଉଛି, ଏହାଦ୍ବାରା ଇରାନ ଉପରେ ଚାପ ପକାଇବାକୁ ଉଦ୍ୟମ କରୁଛନ୍ତି ନେତାନ୍ୟାହୁ । ଇରାନର ବିଭିନ୍ନ ସହରରେ ଆକ୍ରମଣ କରି ପ୍ରେସର ପଲିଟିକ୍ସ କରାଯାଇଛି । ଏଥିରେ ଟ୍ରମ୍ପଙ୍କର ବି ବଡ଼ ଭୂମିକା ରହିଛି ।
କିଛି ବଡ଼ ହେବାକୁ ଯାଉଛି !
କାନାଡାରେ ଆୟୋଜିତ ଜି-୭ ସମିଟ୍ ଛାଡି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ୍ବାଶିଂଟନ ଫେରି ଯାଇଛନ୍ତି । ତେବେ ଦେଶକୁ ଫେରିବା ଆଗରୁ କିଛି ବଡ଼ ହୋଇପାରେ ବୋଲି ସଙ୍କେତ ଦେଇଛନ୍ତି ଟ୍ରମ୍ପ । ରାଷ୍ଟ୍ରୀୟ ସୁରକ୍ଷା ପରିଷଦକୁ ସିଚୁଏସନ୍ ରୁମ୍ ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ସଂଘର୍ଷ ଯୋଗୁଁ ଟ୍ରମ୍ପ ଫେରି ଯାଇଥିବା କୁହାଯାଉଛି । ଏପରିକି ଆମେରିକା ସିଧାସଳଖ ଇରାନ ବିରୋଧରେ ଯୁଦ୍ଧକୁ ଓହ୍ଲାଇପାରେ ବୋଲି ବି ଆକଳନ କରାଯାଉଛି । ଏହାସହ ତେହେରାନ ଖାଲି କରିବାକୁ ବି ଚେତାବନୀ ଦେଇଛନ୍ତି ଟ୍ରମ୍ପ । ଲୋକଙ୍କୁ ତୁରନ୍ତ ତେହେରାନ ଛାଡି ଚାଲିଯିବାକୁ କହିଛନ୍ତି । ଏହାପରେ ଆଗକୁ ଇରାନରେ କଣ ହେବାକୁ ଯାଉଛି, ତାକୁ ନେଇ ଆଶଙ୍କା ପ୍ରକାଶ ପାଇଛି ।
ଇରାନର ଅଧାରୁ ଅଧିକ ଡ୍ରୋନ୍ ନଷ୍ଟ କରିଥିବା କହିଛନ୍ତି ନେତାନ୍ୟାହୁ । ଯୁଦ୍ଧରେ ତିନିଟି ବଡ଼ ଲକ୍ଷ୍ୟ ରଖିଛି ଇସ୍ରାଏଲ୍ । ପ୍ରଥମରେ ଇରାନର ପରମାଣୁ କ୍ଷମତା ସଫା କରିବା, ଦ୍ବିତୀୟରେ ଏହାର ବାଲିଷ୍ଟିକ ମିସାଇଲ୍ ସଫା କରିବା ଓ ତୃତୀୟରେ ଏହାର ଆତଙ୍କୀ ସଂପର୍କକୁ ପୂରା କ୍ଷେତ୍ରରେ ଶେଷ କରିବା । ଭୟଙ୍କର ରୂପ ନେଇଥିବା ଏହି ଯୁଦ୍ଧ ରୋକିବାକୁ ଚୀନ୍ ଓ ଋଷ ମଧ୍ୟସ୍ଥତା ଅଫର ଦେଇଛନ୍ତି । ତେବେ ଲକ୍ଷ୍ୟ ହାସଲ ନହେବା ଯାଏଁ ଯୁଦ୍ଧ ରୋକିବାକୁ ଚାହୁଁନି ଇସ୍ରାଏଲ୍ ।
Comments are closed.