ଭୁବନେଶ୍ୱର: ନବ ଦାସଙ୍କୁ ହତ୍ୟା କରିଥିବା ପୋଲିସ ଅଧିକାରୀ ଗୋପାଳକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି। ଗୋପାଳର କାର୍ଯ୍ୟକଳାପ, ମାନସିକ ଅବସ୍ଥା ଆଦିକୁ ଦେଖିଲେ ପୋଲିସ ବ୍ୟବସ୍ଥା ସ୍ୱତଃ ପ୍ରଶ୍ନ ଭିତରକୁ ଠେଲି ହୋଇଯାଉଛି। ଏପରିକି ଗୋପାଳ ହତ୍ୟା କଲା କିନ୍ତୁ ଗୋପାଳ ସମ୍ପର୍କରେ ଯାହା ତଥ୍ୟ ଆସୁଛି ତାର ଏଭଳି କାଣ୍ଡ କାରନାମା ସତ୍ତ୍ୱେ କିଭଳି ସେ ଦୀର୍ଘ ବର୍ଷ ଧରି ସେଠି କାର୍ଯ୍ୟ କରୁଥିଲା ତାକୁ ନେଇ ଉଠିଛି ପ୍ରଶ୍ନ। ଏପରିକି ଗୋପାଳର ଏଭଳି କାଣ୍ଡ ପାଇଁ ଉତ୍ତରଦାୟିତ୍ୱ କିଏ ମୁଣ୍ଡାଇବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଏଥିରେ କଣ କେବଳ ଗୋପାଳ ଦୋଷୀ ନା ପୋଲିସ ବ୍ୟବସ୍ଥାରେ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଦାୟୀ ବୋଲି କୁହାଯାଇପାରିବ।
ନବ ଦାସଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଗୋପାଳ ଦାସ ସବ୍-ଇନ୍ସପେକ୍ଟର ବା ଏସଆଇ ପାହ୍ୟାକୁ ପଦୋନ୍ନତି ପାଇଥିଲେ ମଧ୍ୟ ସେ ଏହାକୁ ଗ୍ରହଣ କରି ନ ଥିବା କୁହାଯାଉଛି। ଗୋପାଳକୁ ଏସ୍ଆଇ ପାହ୍ୟାକୁ ପଦୋନ୍ନତି ପ୍ରସ୍ତାବ ଦିଆଯାଇଥିଲା କିନ୍ତୁ ସେ ଏହାକୁ ଗ୍ରହଣ ନ କରି ଏଏସଆଇ ପଦରେ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ ବୋଲି କୁହାଯାଉଛି। ଏସଆଇ ଭାବେ ପଦୋନ୍ନତି ହେଲେ ତାଙ୍କର ବଦଳି ହୋଇଯିବା ଭାବି ବୋଧହୁଏ ସେ ଅଫରକୁ ପ୍ରତ୍ୟାଖ୍ୟାନ କରିଥିବା ଚର୍ଚ୍ଚା ହେଉଛି। ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଥାନା ଓ ଫାଣ୍ଡିରେ ଗୋପାଳ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଛି। ଏଥିପାଇଁ ସେ ସମ୍ମାନିତ ହୋଇଥିବା କୁହାଯାଏ।
ଗୋପାଳ କେବଳ ଦୀର୍ଘ ବର୍ଷ ଧରି ସେଠାରେ କାର୍ଯ୍ୟ କରୁଥିଲା ତାହା ନୁହେଁ ନିଜ ସମ୍ପର୍କୀୟଙ୍କୁ ବ୍ୟବସାୟରେ ମଧ୍ୟ ପ୍ରତିଷ୍ଠିତ କରାଇଥିଲା। ବ୍ରଜରାଜନଗର ଗାନ୍ଧୀ ଛକ ଫାଣ୍ଡି ପାଖରେ ଗୋପାଳର ଭାଇ ସତ୍ୟ ନାରାୟଣଙ୍କ ଗୋଟିଏ ହୋଟେଲ୍ ଥିଲା। ଏହାର ନାଁ ଥିଲା ବ୍ରହ୍ମପୁର ହୋଟେଲ୍। ପ୍ରାୟ ଏକ ମାସ ପୂର୍ବେ ସତ୍ୟ ନାରାୟଣ ବ୍ରଜରାଜନଗରକୁ ଯାଇ ଏହି ହୋଟେଲ୍ ଖୋଲିଥିଲେ। ବ୍ୟବସାୟ ବ୍ୟତୀତ ଅର୍ଥ କାରବାର ନେଇ ମଧ୍ୟ ଗୋପାଳ ବିରୋଧରେ ଅଭିଯୋଗ ରହିଛି। ଗୋପାଳ ମାନସିକ ରୋଗରେ ପୀଡିତ ଥିବାବେଳେ ଚିକିତ୍ସିତ ମଧ୍ୟ ହେଉଥିଲା। ଏ କଥା ପୋଲିସ ବିଭାଗ ମଧ୍ୟ ଜାଣିଥିବା କୁହାଯାଏ। ତା ହେଲେ ମାନସିକ ରୋଗରେ ପୀଡିତ ଥିବା ଗୋପାଳକୁ କିଭଳି ଫିଲଡ଼ରେ ଲଗାତାର କାର୍ଯ୍ୟ ଦିଆଯାଉଥିଲା ଏବଂ ବନ୍ଧୁକ ଦିଆଯାଇ ଥିଲା ତାକୁ ନେଇ ବଡ଼ ପ୍ରଶ୍ନ ଉଠିଛି ।
ଖାଲି ସେତିକି ନୁହେଁ ନବ ଦାସଙ୍କୁ ହତ୍ୟା କରିବା ପାଇଁ ଗୋପାଳ ଦୀର୍ଘ ଦିନ ଧରି ଯୋଜନା କରିବା ସହ ରିହର୍ଷିଆଲ ମଧ୍ୟ କରୁଥିଲା। ଏସବୁ କଥା ଗୁଇନ୍ଦା ବିଭାଗକୁ କିଭଳି ଜଣାପଡିଲା ନାହିଁ ବୋଲି ପ୍ରଶ୍ନ ଉଠିଛି। ଏସବୁ କଥାକୁ ଦେଖିଲେ ସମ୍ପୂର୍ଣ୍ଣ ପୋଲିସ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠୁଛି। ଏପରିକି ଏହି ହତ୍ୟାକାଣ୍ଡ ପାଇଁ ହତ୍ୟା କରିଥିବା କେବଳ ଗୋପାଳ ହିଁ ଦାୟୀ ନାଁ ଅନ୍ୟ ଅଧିକାରୀ ମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବା ଆବଶ୍ୟକ ତାକୁ ନେଇ ଚର୍ଚ୍ଚା ହେଉଛି ।
Comments are closed.