Latest Odisha News

‘ରେଳ ଜିହାଦ’ ଏବେ ନୂଆ ଆତଙ୍କ !

କାନପୁର: ଉତ୍ତର ପ୍ରଦେଶର କାନପୁର ହେଉ ବା ରାଜସ୍ଥାନର ଆଜମେର । ରେଳ ଧାରଣାରେ ମିଳିଛି ଗ୍ୟାସ ସିଲିଣ୍ଡର ଓ ଭାରି ସିମେଂଟ ବ୍ଲକ୍ । ଟ୍ରେନ ଦୁର୍ଘଟଣା ଘଟାଇବା ପାଇଁ ଏହା ଷଡଯନ୍ତ୍ର ନୁହେଁ ତ ? ଗତ ସପ୍ତାହେ ମଧ୍ୟରେ ୪ଟି ଏମିତି ଘଟଣା ସାମନାକୁ ଆସିଛି, ଯେଉଁଥିରୁ କି ଟ୍ରେନ ଦୁର୍ଘଟଣା ପାଇଁ ଷଡଯନ୍ତ୍ରର ଗନ୍ଧ ଆସୁଛି । ଏସବୁ ଘଟଣା ପରେ ସତର୍କ ହୋଇଛି ରେଳବାଇ । ୟୁପିରୁ ରାଜସ୍ଥାନ ଯାଏଁ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ ଓ ସ୍ଥାନୀୟ ପୋଲିସ ସକ୍ରିୟ ହୋଇଛନ୍ତି । ରେଳ ଧାରଣାରୁ ସିଲିଣ୍ଡର, ସିମେଂଟ ବ୍ଲକ୍ ଓ ଓଜନିଆ ପଥର ଖଣ୍ଡ ମିଳିବା ଚିନ୍ତାଜନକ ବୋଲି ରେଳ ଅଧିକାରୀମାନେ କହିଛନ୍ତି । କେହି କେହି ତ ଏଭଳି ଘଟଣାକୁ ପାକ୍ ସମର୍ଥିତ ଆତଙ୍କବାଦୀଙ୍କ ରେଳ ଜିହାଦ ବୋଲି କହୁଛନ୍ତି । ଭାରତର ରେଳ ଭିତ୍ତିଭୂମିକୁ ଟାର୍ଗେଟ କରିବା ପାଇଁ ଆତଙ୍କବାଦୀମାନେ ବ୍ୟାପକ ଷଡଯନ୍ତ୍ର କରିଥିବା ନେଇ ଜୋର୍ ଧରିଛି ଚର୍ଚ୍ଚା ।

ଆତଙ୍କବାଦୀଙ୍କ ଟାର୍ଗେଟରେ ରେଳ ଭିତ୍ତିଭୂମି ?

ଉତ୍ତର ପ୍ରଦେଶର କାନପୁର ଜିଲ୍ଲାରେ ରବିବାର ରାତିରେ ପ୍ରୟାଗରାଜ-ଭିୱାନୀ କାଳିନ୍ଦୀ ଏକ୍ସପ୍ରେସ ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା । କାନପୁରର ଶିବରାଜପୁର ଅଂଚଳ ଅତିକ୍ରମ କରୁଥିବା ବେଳେ ରେଳ ଧାରଣା ଉପରେ ଥିବା ଗ୍ୟାସ ସିଲିଣ୍ଡରକୁ ଧକ୍କା ଦେଇଥିଲା କାଳିନ୍ଦୀ ଏକ୍ସପ୍ରେସ । ସୌଭାଗ୍ୟବଶତଃ କିଛି କ୍ଷୟକ୍ଷତି ହୋଇନାହିଁ । ଲୋକୋ ପାଇଲଟ ଉପସ୍ଥିତ ବୁଦ୍ଧି ଖଟାଇ ଇମର୍ଜେନସୀ ବ୍ରେକ୍ ମାରିଥିଲେ । ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା ଟ୍ରେନ୍ । କାନପୁର ପୋଲିସର ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ ଘଟଣାସ୍ଥଳରୁ ଗ୍ୟାସ ଭର୍ତ୍ତି ସିଲିଣ୍ଡର ସମେତ ବିସ୍ଫୋରକ, ପେଟ୍ରୋଲ ବୋତଲ, ଦିଆସିଲି ବକ୍ସ ଜବତ କରିଥିଲେ । ଏସବୁ ସାମଗ୍ରୀ ଜବତ ସହ ଜୋରଦାର ତଦନ୍ତ ଆରମ୍ଭ ହୋଇଛି । ଜବତ ସାମଗ୍ରୀରୁ ସ୍ପଷ୍ଟ ଜଣାପଡୁଛି ଯେ, ଟ୍ରେନ ଦୁର୍ଘଟଣା ପାଇଁ ବଡ ଷଡଯନ୍ତ୍ର ହୋଇଥିଲା । ଏଥିପାଇଁ ଆତଙ୍କବାଦୀଙ୍କ ସଂପୃକ୍ତିକୁ ଏଡାଇ ଦିଆଯାଇନପାରେ ବୋଲି ସୁରକ୍ଷା ଏଜେନ୍ସୀମାନେ କହିଛନ୍ତି ।

ରେଳ ଭିତ୍ତିଭୂମିକୁ ଟାର୍ଗେଟ ପାଇଁ ଉସୁକାଇଥିଲା ପାକ୍ ଆତଙ୍କୀ

କିଛି ଦିନ ତଳେ ପାକିସ୍ତାନରେ ଥିବା ଏକ ଆତଙ୍କବାଦୀ ଫରତୁହ୍ଲା ଘୋରୀ ଏକ ଭିଡିଓ ଜାରି କରିଥିଲା । ବିଭିନ୍ନ ସ୍ଥାନରେ ଟ୍ରେନ ଓଲଟାଇବା ପାଇଁ ଉଦ୍ୟମ କରିବାକୁ ସେ ଚରମପନ୍ଥୀଙ୍କୁ ଉସୁକାଉଥିବା ଭିଡିଓରେ ଦେଖାଯାଇଛି । ଟ୍ରେନ ଓଲଟାଇ ସପ୍ଲାଏ ଚେନକୁ ଟାର୍ଗେଟ କରି ଭାରତର ଭିତ୍ତିଭୂମିକୁ କ୍ଷତି ପହଂଚାଇ ହେବ ବୋଲି ଆତଙ୍କୀ ଫରତୁହ୍ଲା ଭିଡିଓରେ କହୁଛି ।

୨୦୨୩ ଜୁନ୍‌ରୁ ଏ ଯାଏଁ ୧୭ଟି ମାମଲା

୨୦୨୩ ଜୁନ୍‌ଠାରୁ ଏ ଯାଏଁ ଟ୍ରେନକୁ ଟାର୍ଗେଟ କରି ୧୭ଟି ଉଦ୍ୟମ ହୋଇଛି । ରେଳ ଲାଇନରେ ମୋଟା କାଠଗଣ୍ଡି, ଓଜନିଆ ପଥର, ଗ୍ୟାସ ସିଲିଣ୍ଡର ରଖାଯାଇଥିବା ଘଟଣା ସାମନାକୁ ଆସିଛି । ସିଗନାଲ୍ ଏପଟସେପଟ କରିବା ପାଇଁ ମଧ୍ୟ ହୋଇଛି ଉଦ୍ୟମ ।ଏଥିସହ କିଛି ସୋସିଆଲ ମିଡିଆ ଇନଫ୍ଲୁଏସରଙ୍କ ପକ୍ଷରୁ ମଧ୍ୟ ରେଳ ଟ୍ରାକର ବେଆଇନ ବ୍ୟବହାର ଅଭିଯୋଗ ମଧ୍ୟ ଆସିଛି । ଏସବୁ ମାମଲାରେ ଆରପିଏଫ ମାମଲା ରୁଜୁ କରିଛି । ଭାରତର ବିଭିନ୍ନ ସ୍ଥାନରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ନିୟମିତ ବ୍ୟବଧାନରେ ଟେକା ପଥର ମାଡ ଘଟଣା ଅନେକ ଥର ହୋଇଛି । ଯଦି ଏସବୁ ପଛରେ କଠୋରପନ୍ଥୀ ମୁସିଲମ ସଂଗଠନ ବା ପାକ୍ ଆତଙ୍କବାଦୀଙ୍କ ହାତ ଥାଏ, ତାହା ହେଲେ ଭାରତର ରେଳ ସୁରକ୍ଷା ପାଇଁ ଏହା ବଡ ଚ୍ୟାଲେଂଜ । କେହି କେହି ଏଭଳି ଉଦ୍ୟମକୁ ରେଳ ଜିହାଦ ବୋଲି କହିବା ଆରମ୍ଭ କଲେଣି ।

Comments are closed.