Latest Odisha News

BREAKING NEWS

ବିଜେପିର ସୁପର ସ୍ପୋକ୍ସପର୍ସନ ଥରୁର !

ନୂଆଦିଲ୍ଲୀ: ସର୍ଜିକାଲ ଷ୍ଟ୍ରାଇକ ନେଇ ଶଶି ଥରୁରଙ୍କ ବୟାନ ପରେ ଅସହଜ କଂଗ୍ରେସ। ଦଳ ଭିତରୁ ହିଁ ଥରୁରଙ୍କୁ ହେଲାଣି ଜୋରଦାର ବିରୋଧ। ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁପର ସ୍ପୋକ୍ସପର୍ସନ ବି କହିଲେଣି କଂଗ୍ରେସ ନେତା। ନିକଟରେ ପାନାମାରେ ଅଭିଭାଷଣ ରଖି ଥରୁର କହିଥିଲେ, ୨୦୧୬ରେ ମୋଦି ସରକାରଙ୍କ ସମୟରେ ପ୍ରଥମ ଥର ଭାରତ ନିୟନ୍ତ୍ରଣ ରେଖା ପାର କରି ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା। ଏହାକୁ ନେଇ କଂଗ୍ରେସ ନେତା କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

କାହିଁକି ଅସନ୍ତୁଷ୍ଟ କଂଗ୍ରେସ ନେତା?
ଥରୁରଙ୍କ ବୟାନ ପାର୍ଟି ଲାଇନ୍ ସହ ଖାପ ଖାଉନଥିବା କଂଗ୍ରେସ ନେତାଙ୍କ ଅସନ୍ତୋଷର କାରଣ। ୟୁପିଏ ସରକାର ସମୟରେ ବି ଅନେକ ସର୍ଜିକାଲ୍ ଷ୍ଟ୍ରାଇକ୍ କରାଯାଇଥିଲା, ତେବେ ସେସବୁର ପ୍ରଚାର କରାଯାଇନଥିବା ଦଳ କହୁଛି। ତେବେ ୨୦୧୬ରେ ପ୍ରଥମ ଥର ଏଲଓସି ପାର୍ କରି ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଥିବା ନେଇ ଥରୁରଙ୍କ ବୟାନ କଂଗ୍ରେସର ଦାବିକୁ ଦୁର୍ବଳ କରୁଛି। ବରିଷ୍ଠ କଂଗ୍ରେସ ନେତା ପଓ୍ବନ ଖେଡା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବୟାନ ଭିତ୍ତିରେ ୟୁପିଏ ସରକାର ବେଳେ ସର୍ଜିକାଲ ଷ୍ଟ୍ରାଇକ୍ ହୋଇଥିବା କହିଛନ୍ତି। ସେପଟେ ଥରୁରଙ୍କୁ ବିଜେପିର ସୁପର ମୁଖପାତ୍ର କହି କଟାକ୍ଷ କରିଛନ୍ତି କଂଗ୍ରେସ ନେତା ଉଦିତ ରାଜ। କଂଗ୍ରେସର ଅନେକ ନେତା ଥରୁର ଲକ୍ଷ୍ମଣରେଖା ଲଂଘିଥିବା ମାନୁଥିବା ବେଳେ ଜଣେ ଭାରତୀୟ ଭାବେ ଏଭଳି କହିଥିବା ସଫେଇ ଦେଇଛନ୍ତି ଶଶି ଥରୁର।

ବିଜେପିର ମୁଖପାତ୍ର ଥରୁର !
କଂଗ୍ରେସରେ ରହି ମଧ୍ୟ ନିଜର ସ୍ବତନ୍ତ୍ର ରାୟ ରଖି ଆସିଛନ୍ତି ଶଶି ଥରୁର। ଅନେକ ସମୟରେ ମୋଦି ସରକାରଙ୍କୁ ପ୍ରଶଂସା ବି କରିଛନ୍ତି। ଟ୍ରମ୍ପଙ୍କ ସହ ମୋଦିଙ୍କ ସାକ୍ଷାତକାର ହେଉ କି ଋଷ, ୟୁକ୍ରେନ୍ ନେଇ ଆଭିମୁଖ୍ୟ, ପୂର୍ବରୁ ମଧ୍ୟ ନିଜ ବୟାନ ନେଇ ଚର୍ଚ୍ଚାକୁ ଆସିଛନ୍ତି ଥରୁର। ଗତ କିଛି ଦିନ ହେଲା ଥରୁର ଓ କଂଗ୍ରେସ ମଧ୍ୟରେ ଦୂରତା ବଢିଥିବା ଚର୍ଚ୍ଚା ହୋଇଛି। କଂଗ୍ରେସ ଛାଡିବା ଓ ବିଜେପିରେ ସାମିଲ ହେବା ଚର୍ଚ୍ଚାକୁ ଏଡାଇ ଯାଇଥିଲେ ମଧ୍ୟ ଥରୁରଙ୍କ ବୟାନ ଭିନ୍ନ ଦିଗକୁ ସଙ୍କେତ କରୁଥିବା କୁହାଯାଉଛି।

ଥରୁରଙ୍କ ବୟାନ…ଅସହଜ କଂଗ୍ରେସ
ରାଷ୍ଟ୍ରୀୟ ହିତକୁ ପାର୍ଟି ଲାଇନରୁ ଉପରକୁ ରଖିବା ସହ ନିଜ ସ୍ବତନ୍ତ୍ର ଛବି ଉପସ୍ଥାପନ କରି ଆସିଛନ୍ତି ଶଶି ଥରୁର। ପାନାମାରେ ସେ ୨୦୧୬ରେ ଉରି ସର୍ଜିକାଲ ଷ୍ଟ୍ରାଇକ୍ ଓ ୨୦୧୯ର ବାଲାକୋଟ ଷ୍ଟ୍ରାଇକର ପ୍ରଶଂସା କରିଥିଲେ। ଏହାକୁ ସେ ରାଷ୍ଟ୍ରୀୟ ଏକତା ଓ ଆତଙ୍କବାଦ ବିରୋଧରେ ଦୃଢ ଅଭିମୁଖ୍ୟ ଦର୍ଶାଇଥିଲେ। ଭାରତ ଆତଙ୍କବାଦୀଙ୍କୁ ସ୍ପଷ୍ଟ ସନ୍ଦେଶ ଦେଇଥିବା କହିଥିଲେ ଥରୁର। ତାଙ୍କର ଏଭଳି ବୟାନ ବିଜେପିର ଆତଙ୍କବାଦ ବିରୋଧୀ ନୀତିକୁ ସମର୍ଥନ ଦେଖାଉଛି। ତେବେ ଅସହଜ ହୋଇଛି କଂଗ୍ରେସ।

ଶଶି ଥରୁର କଂଗ୍ରେସର ସବୁଠାରୁ ଚର୍ଚ୍ଚିତ ଓ ଲୋକପ୍ରିୟ ନେତାଙ୍କ ମଧ୍ୟରୁ ଜଣେ। ପ୍ରଭାବଶାଳୀ ନେତା ଭାବେ ତାଙ୍କର ବିଶ୍ବସ୍ତରୀୟ ଛବି, ଆଲେଖ୍ୟ ତଥା ସୋସିଆଲ ମିଡିଆ ଉପସ୍ଥିତି ରହିଛି। ସେଥିପାଇଁ କଂଗ୍ରେସର ମନୀଷ ତିଓ୍ବାରୀ ଓ ଆନନ୍ଦ ଶର୍ମା ସରକାରଙ୍କ ଆତଙ୍କୀ ବିରୋଧୀ ନୀତିର ପ୍ରଶଂସା କରିଥିଲେ ମଧ୍ୟ ବିବାଦ ଶଶି ଥରୁରଙ୍କ ବୟାନକୁ ନେଇ ହୋଇଛି। ଆଗକୁ କେରଳ ବିଧାନସଭା ନିର୍ବାଚନ ଥିବା ବେଳେ ଥରୁରଙ୍କର ରାଜ୍ୟରେ ଲୋକପ୍ରିୟତା ରହିଛି। ଏପରିକି ତାଙ୍କୁ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ବି ଦେଖାଯାଉଛି। ଏଭଳି ସ୍ଥିତିରେ ସେ ବିଜେପି ସରକାରର ପ୍ରଶଂସା କରିବା ଦଳକୁ ଅଡୁଆ ସ୍ଥିତିରେ ପକାଇପାରେ।

Comments are closed.