Latest Odisha News

BREAKING NEWS

ଠାକରେ ମୁକ୍ତ ଶିବସେନା ସମ୍ଭବ କି?

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତି ପାଞ୍ଚ ଦିନ ଧରି ଉଠୁଛି ପଡୁଛି । ଶିବ ସେନା ରହିବ କି ଭାଙ୍ଗିବ ତାକୁ ନେଇ ଜାତୀୟ ଗଣମାଧ୍ୟମରେ ଘନ ଘନ ନିଉଜ , ବିତର୍କ ଚାଲିଛି । ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ମହାରାଷ୍ଟ୍ରରେ ଠାକରେ ମୁକ୍ତ ଶିବସେନା ସମ୍ଭବ କି? ଏହାକୁ ନେଇ ଏବେ ଆସାମ ଭାୟା ଦିଲ୍ଲୀ ହୋଇ ମୁମ୍ବାଇରେ ରାଜନୀତି ଚାଲିଛି । ମୁମ୍ବାଇଠାରୁ 2700 କିମି ଦୂରରେ ଗୈାହାଟିରେ ଠାକରେ ମୁକ୍ତ ଶିବସେନା ଗଠନ ପାଇ ଏକନାଥ ରଣନୀତି ଚଳାଇଥିବା ବେଳେ । ଶିବସେନାକୁ ନିଜ ପକେଟ ଭିତରେ ରଖିବା ପାଇଁ ଝାଳ ବୁହାଇ ଚେଷ୍ଟା ଚଳାଇଛନ୍ତି ଉଦ୍ଧବ ଠାକରେ ।

କାହା ପାଖେ ବିଧାୟକ

ଦେଶରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଅଙ୍କକଶା ଚାଲିଥିବା ବେଳେ ମହାରାଷ୍ଟ୍ରରେ  ଶିବସେନା ଭିତରେ ମହାଫାଟକୁ ନେଇ ଚର୍ଚା ଜୋର  ଧରିଛି । ଦଳରେ 55 ବିଧାୟକ ଥିଲେ ମଧ୍ୟ ଏବେ 40 ବିଧାୟକ ଏକନାଥଙ୍କ ଗୋଷ୍ଠୀରେ ସାମିଲ ହୋଇଛନ୍ତି । ଦୁଇ ତୃତୀୟାଂଶ ବିଧାୟକ ଏକନାଥଙ୍କ ସହ ରହିଥିବାରୁ ଉଦ୍ଧବଙ୍କ ଶକ୍ତି କ୍ଷୀଣ ହୋଇଛି । ମୁଖ୍ୟମନ୍ତ୍ରୀ ହୋଇମଧ୍ୟ ଉଦ୍ଧବ ଠାକରେ ନିସହାୟ ଅନୁଭବ କରୁଛନ୍ତି । କ୍ଷମତା ଥାଇ ମଧ୍ୟ କ୍ଷମତାକୁ ଭୋଗ କରିପାରୁନାହାଁନ୍ତି କି ଦଣ୍ଡ ବି ଦେଇପାରୁନାହାଁନ୍ତି ।  ଶିବସେନା ଦଳରେ ଏହା ହିଁ ହେଉଛି ଉଦ୍ଧବଙ୍କ ଚରମ ଅସହାୟତା ।

ଶିବସେନା ପ୍ରମୁଖ

ଦଳରେ ଶିବସେନା ପ୍ରମୁଖ ହେଉଛନ୍ତି ସର୍ବେ ସର୍ବା । 2018ରେ ଶିବସେନାର ପ୍ରତିନିଧି ସଭାର282 ସଦସ୍ୟ ଉଦ୍ଧବ ଠାକରେଙ୍କୁ ଶିବସେନା ପ୍ରମୁଖ ଭାବେ ମନୋନୀତ କରିଛନ୍ତି । କିଏ ଦଳରେ ରହିବ କିଏ ବାହାରିବ ଶିବସେନା ପ୍ରମୁଖ ହିଁ ନିଷ୍ପତ୍ତି ନିଅନ୍ତି । ତେଣୁ ପ୍ରତିନିଧି ସଭା ଡକାଇ ଉଦ୍ଧବ କିଛି ନିଷ୍ପତ୍ତି ନେଇପାରନ୍ତି । ଆଜି ଶିବସେନା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଡାକିଛି । ଅପରାହ୍ନ ଦୁଇଟାରେ ବୈଠକ ବସିବ । ଆଗାମୀ କାର୍ଯ୍ୟକ୍ରମ ଉପରେ ଦଳ ନିଷ୍ପତ୍ତି ନେବ ।  ଏଥିରେ ଦଳର ବିଦ୍ରୋହୀ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ସେପଟେ ଉଦ୍ଧବ ଠାକରେଙ୍କଠାରୁ ଆରମ୍ଭ କରି ସଂଜୟ ରାଉତ ଏକନାଥ ସିନ୍ଦେଙ୍କ ଗୋଷ୍ଠୀଙ୍କୁ ଧମକ ଦେବା ଆରମ୍ଭ କରିଛନ୍ତି । ସଂଖ୍ୟା ନଥିଲେ ମଧ୍ୟ ସରକାର ଭାଙ୍ଗିବ ନାହିଁ ବୋଲି କହୁଛନ୍ତି । ତେବେ ସବୁଠୁ ବଡ଼ କଥା ହେଲା ଏକନାଥ ସିନ୍ଦେ ଙ୍କ ବଳ, ସାହାସ , ଧର୍ଯ୍ୟ କେତେ ଅଛି ଠାକରେ ପରିବାର ସହ ଲଢ଼େଇ କରିବା ପାଇଁ ତାହା ଆଜି ହିଁ ସ୍ପଷ୍ଟ ହୋଇଯିବ । କାରଣ ଏବେ ପ୍ରତିନିଧି ସଭାର 250 ସଦସ୍ୟ ସିନ୍ଦେଙ୍କୁ ସମର୍ଥନ କରୁଥିବା ଜଣାପଡିଛି ।

ଫାଇନାଲ ମ୍ୟାଚ୍

ରାଜନୀତିକୁ ନେଇ ସଂଖ୍ୟା ଖେଳ ଏବେ ଫାଇନାଲ ମ୍ୟାଚ ଚାଲିଥିବା ଭଳି ଦେଖାଯାଉଛି । ଗଲି କ୍ରିକେଟ ଭଳି ଏବେ ମହାରାଷ୍ଟ୍ର ରାଜନୀତି ଚାଲିଛି ।  ଅଧିନାୟକ ଉଦ୍ଧବ ଠାକରେ କ୍ଲିନ ବୋଲ୍ଡ ହୋଇଥିଲେ ମଧ୍ୟ ପଡିଆ ଛାଡୁନାହାଁନ୍ତି ।  ନୂଆ ଅଧିନାୟକ ହେବା ଆଶାରେ ବ୍ୟାଟିଂ ପାଇଁ ଅପେକ୍ଷା କରିଥିବା ଅଲରାଉଣ୍ଡର ଏକନାଥ ସିନ୍ଦେଙ୍କୁ ବ୍ୟାଟିଂ ପାଇଁ ଦେଉନାହାଁନ୍ତି । ,ପଡିଆ ବାହାରେ ଦର୍ଶକ କଣ ହେଉଛି ଅପେକ୍ଷା କରିଥିବା ବେଳେ ପଡିଆ ଭିତରେ ଏବେ ପିଟାପିଟି ଚାଲିଛି । ଅମ୍ପେୟାର ଠୁ ଆରମ୍ଭ କରି ଆୟୋଜକ ପ୍ରଯୋଜକ ସମସ୍ତେ କହୁଛନ୍ତି ନୂଆ ଆଇନ କଥା । ତେବେ କିଏ ଜିତିବ କିଏ କିଏ ହାରିବ ତାହା ସ୍ଥିର ହୋଇପାରୁନାହିଁ । ହେଲେ ମଜାଦାର କଥା ହେଉଛି ଖେଳ ତ ସରିବ । କିଛି ଗୋଟେ ଫଇସଲା ହେବ । ତେବେ କଣ ହେବ ତାକୁ ସମସ୍ତେ ଅପେକ୍ଷା କରିଛନ୍ତି ।

ଗୋଆ ରାଜ୍ୟପାଳଙ୍କୁ ଦିଆଯାଇପାରେ ଦାୟିତ୍ବ

ରାଜନୀତି ବିଶ୍ଲେଷକଙ୍କ କହିବା କଥା ଏବେ ଠାକରେ ପରିବାର ପାଖରେ ଆଉ ବିଧାୟକଙ୍କ ସଂଖ୍ୟା ବଳ ନାହିଁ ସରକାର ଗଠନ କରିବା ପାଇଁ । ତେଣୁ ଉଦ୍ଧବଙ୍କ ଶକ୍ତି କ୍ଷୀଣ ହୋଇଯାଇଛି । କିନ୍ତୁ ଉଦ୍ଧବ କିନ୍ତୁ ତାହା ମାନିବାକୁ ନାରାଜ । ସେ ଏବେ ବି ଭାବୁଛନ୍ତି ଏକନାଥଙ୍କୁ ଦଳରୁ ବହିଷ୍କାର କରି ଅନ୍ୟମାନଙ୍କୁ ଡରାଇ ପୁଣି ଦଳରେ ରଖି ସଂଖ୍ୟା ବଢ଼ାଇବା ପାଇଁ ତେବେ ଏହା କଣ ସଂଭବ ହେବ ତାହା ଆଉ କେଇ ଘଂଟା ପରେ ଜଣାପଡିବ । ସେପଟେ ଉପବାଚସ୍ପତିଙ୍କ ଉପରେ ଅବିଶ୍ବାସ ପ୍ରସ୍ତାବ ନେଇ ଏକନାଥଙ୍କ ଗୋଷ୍ଠୀ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି । ସିନ୍ଦେ ବିଧାୟକ ଦଳ ନେତା ହୋଇଥିବାରୁ ବିଦ୍ରୋହୀ ଗୋଷ୍ଠୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ ଉପବାଚସ୍ପତି ବୋଲି କହିଛନ୍ତି ଏକନାଥ  ସିନ୍ଦେ।  ଏହାର ମଧ୍ୟ କିଛି ଫଳାଫଳ ଆସିପାରେ ।  ବଡ଼ କଥା ହେଉଛି ମହାରାଷ୍ଟ୍ର ରାଜ୍ୟପାଳଙ୍କୁ କରୋନା ହୋଇଥିବାରୁ ଗୋଆ ରାଜ୍ୟପାଳଙ୍କୁ ଦାୟିତ୍ବ ଦେଇପାରେ କେନ୍ଦ୍ର ସରକାର  । ନିଜର ଏକତା ଦେଖାଇବା ପାଇଁ ସିନ୍ଦେ ଗୋଷ୍ଠୀର ବିଧାୟକମାନେ ଗୋଆରେ ଯାଇ ପ୍ୟାରେଡ କରିପାରନ୍ତି ।

ନୂଆ ଅଧିନାୟକ ହେବେ କି ସିନ୍ଦେ

ଏବେ ଅଧିକାଂଶ ଖେଳାଳି ଏକନାଥଙ୍କୁ ଦଳର କ୍ୟାପ୍ଟେନଙ୍କ ପାଇଁ ଧାରଣାରେ ବସିଥିବା ବେଳେ ଅଧିନାୟକ ପଦ ଛାଡିବାକୁ ଚାହୁଁନାହାଁନ୍ତି ଉଦ୍ଧବ । ଏପରି ହୋଇଛି କି ଦଳ ମଧ୍ୟ ବଡ଼ ଫାଟ ହେବା ସହ ଦଳରୁ ଉଦ୍ଧବଙ୍କୁ ବିଦା କରିବା ପାଇଁ ଏବେ ଯୋଜନା ଆରମ୍ଭ କରିଛନ୍ତି ବିଦ୍ରୋହୀ ବିଧାୟକ । ତେବେ ଏହା ହିଁ କୁହାଯାଇପାରେ ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଉଦ୍ଧବ ଠାକରେଙ୍କ ଚେୟାର ବର୍ତ୍ତମାନ ବିପଦରେ । ଶିବସେନା ବିଧାୟକଙ୍କ ଦୁଇ ତୃତୀୟାଂଶ ସଂଖ୍ୟା ଏକନାଥଙ୍କ ସହ ରହିଥିବାରୁ ଉଦ୍ଧବଙ୍କ ହାତ ଏବେ ଖାଲି । ଦଳର ନୂଆ ନେତା ହୋଇପାରନ୍ତି ସିନ୍ଦେ ।

ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ସିନ୍ଦେ

କେବଳ ଦଳର ନୂଆ ନେତା ନୁହଁନ୍ତି ।  ଏହା ମଧ୍ୟ ଚର୍ଚା ହେଉଛି ଆଗାମୀ ଦିନରେ ରାଜ୍ୟରେ  ବିଜେପି ସରକାର ଗଠନ କରିବ । ଶିବସେନାର ବିଦ୍ରୋହୀ ବିଧାୟକମାନେ ବିଜେପିକୁ ସମର୍ଥନ କରିବେ । ଆଉ ଉପମୁଖ୍ୟମନ୍ତ୍ରୀ ହେବେ ଏକନାଥ ସିନ୍ଦେ । କାରଣ ବିଜେପି ପାକରେ 106 ବିଧାୟକ ଥିବାବେଳେ ସିନ୍ଦେ ଗୋଷ୍ଠୀଙ୍କ ପାଖରେ ଶିବସେନା ଏବଂ ଅନ୍ୟାନ୍ୟ ବିଧାୟକ ସଂଖ୍ୟା 55 ରହିଛି । ତେଣୁ 144 ସଂଖ୍ୟାରୁ ଅଧିକ ଥିବାରୁ ବିଜେପି ସରକାର ଗଠନ କରିବାର ସମ୍ଭାବନା ଅଧିକ ଉଜ୍ଜ୍ବଳ । ଏସବୁ ଚର୍ଚା ହେଉଥିଲେ ମଧ୍ୟ ଠାକରେ ପରିବାର ମୁକ୍ତ ଶିବସେନା ସମ୍ଭବ ନା ନାହିଁ ତାହା  ଆଜି ହିଁ ସ୍ପଷ୍ଟ ହେବ ଏବଂ ସବୁ ସନ୍ଦେହରୁ ପରଦା ଉଠିବ ବୋଲି କୁହାଯାଇପାରେ ।

Leave A Reply

Your email address will not be published.