Latest Odisha News

BREAKING NEWS

କବିତା : ଦାରୁବ୍ରହ୍ମଙ୍କ ଜ୍ବର

ରାମକୃଷ୍ଣ 

ରଥ ନିର୍ମାଣ ସରିବା ଉପରେ
ପୁନଶ୍ଚ ମହା ଶୋଭାଯାତ୍ରାର ବେଳ ଆଖର
ଗାଧେଇ ପାଧେଇ ସଜବାଜ ହେବାକଥା
କୋଳାହଳଠୁ ଦୂରରେ
ଟିକେ ବିଶ୍ରାମ ନେବାକଥା କିଛିବେଳ

ସାରା ଜୀବନ ମୂର୍ତ୍ତି ପରି ବସି ବସି
ଜନତାର ହାରିଗୁହାରି ଶୁଣିବାର ଲୋକ
ଆଜି ହଠାତ୍ ଚଟାଣରେ ଶ୍ରୀଅଙ୍ଗ
ହୁରି ପଡିଗଲା ଜଗତସାରା
ଦାରୁବ୍ରହ୍ମଂକୁ ଜ୍ବର, ଦାରୁବ୍ରହ୍ମଂକୁ ଜ୍ବର
ମିଛବା କେମିତି ହେବ
ଗୋଟେ ଭାବ ଛଳଛଳ ଗୁଜବ

ନିଦ ଚୋରି ହୋଇଗଲା
ଠାକୁରଙ୍କ ଚୌକିଦାର ଗଜପତିଙ୍କ ଆଖିରୁ
ବ୍ୟସ୍ତ ବିବ୍ରତ ପାତ୍ର ମନ୍ତ୍ରୀ,ସେବକ ସେବାୟତ
ଈଶ୍ବରଙ୍କ ଜ୍ବରପୀଡା ଲାଘବ ପାଇଁ

କାଢ଼ରେ କାଢ ମାଟିତଳୁ
ମାଠିଆରେ ପୋତା ଘଣାପେଡା ରାଶିତେଲ
ରାଶିତେଲରେ ଧାନ
ସୁବାସିତ ଚାଉଳ, ମେଥି, ବେଣାଚେର
ଚେରମୂଳି, ମଲ୍ଲି ଚମ୍ପା, କିଆଫୁଲ
ବଉଳଫୁଲ, କର୍ପୂର କସ୍ତୁରୀ ଚୂଆ
ଆଉ କେଶର ମିଶା ଫୁଲୁରି ତେଲ
ଶ୍ରୀଅଙ୍ଗ ଲାଗିହେଉ ଦାରୁବ୍ରହ୍ମଙ୍କ

ଡାକରେ ଡାକ ବୈଦ୍ୟରାଜଙ୍କୁ
ଆଣ ଆଣ ଶୀଘ୍ର
ଶାଳପର୍ଣ୍ଣ,ଗମ୍ଭାରୀ, ନବାଙ୍ଗ କୋଳି
ମଣଫେଣା, କୃଷ୍ଣପର୍ଣ୍ଣି, ବେଲ, ଖଣିବଥୁ
ପଟଳି, ଖୁଆ, ଅଙ୍କରାତି, ଗୋଛରା ଛେଲି
ଓ ଚେରମୂଳିରେ ତିଆରି ମହୌଷଧି

ଡାକ ଡାକ ଦଇତାପତିଙ୍କୁ
ଘଟୁଆରୀ ସେବକଙ୍କ ଘରୁ ଆଣ
କର୍ପୂର କେଶର ମିଶା ଚନ୍ଦନ
ଲାଗିହେଉ ପ୍ରଭୁଙ୍କ ଶ୍ରୀଅଙ୍ଗ

ବାଃ
ଖେଳରେ ଖେଳରେ ହେଉପଛେ
ଏହାହିଁ ତ ରାଜଧର୍ମ

ଆଉ ଏ ପଟେ ସାରା ପୃଥିବୀ
ପୀଡିତ ମଣିଷର ଆସୁରିକ ଭୋକରେ
ମଣିଷର ମୂଢ ଧାର୍ମିକତାରେ
ଲୋଭ ଲାଳସା ଓ ଘୃଣାର ଘୁଣରେ
ହିଂସାରେ ପୀଡିତ, ପୀଡ଼ିତ ଯୁଦ୍ଧରେ
ଜରା, ବ୍ୟାଧି ଓ ଅହରହ ମୃତ୍ୟୁ ଭୟରେ ପୀଡିତ ଜୀବନ

କାହିଁ ନିଦ ଭାଙ୍ଗୁନିତ
ପତିତପାବନ ଉପାଧିରେ ଭୂଷିତ ଦାରୁବ୍ରହ୍ମଙ୍କ !

Leave A Reply

Your email address will not be published.